ଡାକ ଜମା ଯୋଜନାରେ ଲକ୍ଷାଧିକ ଟଙ୍କା ଚଳୁ, ଠକ ଗିରଫ

ଭୁବନେଶ୍ବର : ଡାକ ଜମା ଯୋଜନାରେ ପୁଞ୍ଜି ନିବେଶ ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଠକକୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ସେ ହେଲା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ବିଭୂତି ଭୂଷଣ ମହାପାତ୍ର(୫୪)। ଏଠାରେ ଲିଙ୍ଗରାଜ ଥାନା ରାମେଶ୍ବର ପାଟଣାରେ ରହୁଥିଲା। ଅନ୍ୟପଟେ ଏକାଧିକ ଠକେଇ କଥା ଜଣାପଡ଼ିବା ପରେ ପୁଲିସ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି।

ସୂଚନା ମୁତାବକ, ବିଭୂତି ନିଜକୁ ଜଣେ ଡାକ କର୍ମଚାରୀ ବୋଲି ପରିଚୟ ଦେଉଥିଲା। ଘର ଘର ବୁଲି ଆର୍‌ଡି, ଏମ୍‌ଆଇଏସ୍‌, ଟିଡି ଭଳି ବିଭିନ୍ନ ଯୋଜନାରେ ପୁଞ୍ଜି ନିବେଶ ପାଇଁ‌ ଲୋକଙ୍କୁ ପ୍ରଲୋଭନ ଦେଖାଉଥିଲା। ସେ ୧୯୯୫ ମସିହାରେ ପଟିଆ ଅଞ୍ଚଳର ଖ୍ରୀଷ୍ଟୋଫର ଏକ୍କା ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଡାକି ପୁଞ୍ଜି ନିବେଶ କଲେ ଅଧିକ ସୁଧ ମିଳିବ ବୋଲି କହିଥିଲା। ଏକ୍କା ବିଭୂତି କଥାରେ ରାଜି ହୋଇ ପୁଅ ନାଁରେ ଗୋଟିଏ ଆର୍‌ଡି ଓ ଦୁଇଟି ଏମ୍‌ଆଇଏସ୍‌ରେ ୧୧ଲକ୍ଷ ୮୫ ହଜାର ଟଙ୍କା ନିବେଶ କରିଥିଲେ। ୨୦୧୬ ଡିସେମ୍ବରରେ ଯୋଜନାର ଅବଧି ଶେଷ ହେଉଥିବାରୁ ବିଭୂତି ଏକ୍କାଙ୍କ ଘରକୁ ଆସି ପାସବୁକ ସବୁ ସଂଗ୍ରହ କରିବା ସହିତ ଯୋଜନାର ପରିସମାପ୍ତି ରାଶି ଫେରି ପାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ପାସ୍‌ବୁକ୍‌ ନେବା ପରେ ଆଉ ଟଙ୍କା ଫେରାଇନଥିଲା। ସନ୍ଦେହ ହେବାରୁ ଏକ୍କା ଭୁବନେଶ୍ବର ମୁଖ୍ୟ ଡାକଘରକୁ ଯାଇ ଉକ୍ତ ଜମା ଖାତାର ଯାଞ୍ଚ କରିଥିଲେ। ହେଲେ ତାଙ୍କ ପୁଅ ନାମରେ କୌଣସି ଖାତା ନଥିବା ଜାଣି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଠକାମିର ଶିକାର ହୋଇଥିବା ଜାଣିବା ପରେ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ବିଭୂତିକୁ ଗିରଫ କରି ପଚରା ଉଚରା ସମୟରେ ସେ ଲୋକଙ୍କୁ ଠକିଥିବା ସ୍ବୀକାର କରିଥିଲା। ସେ କେବଳ ଏକ୍କାଙ୍କୁ ନୁହେଁ ଏମିତି ଅନେକ ଲୋକଙ୍କୁ ଠକିଛି ବୋଲି ଜେରା ବେଳେ ଜଣାପଡ଼ିଥିଲା। ଅନ୍ୟ ଥାନାରେ ମଧ୍ୟ ତା ନାଁରେ ମାମଲା ରହିଛି।

ସମ୍ବନ୍ଧିତ ଖବର