ଭୁବନେଶ୍ବର : ଜମି ଦେବା ନାଁରେ ୮୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ଠକ ବିଲ୍ଡରକୁ ଗିରଫ କରିଛି। ସେ ହେଲା, ଶାସ୍ତ୍ରୀନଗର ଅଞ୍ଚଳର ରାଜଶେଖର ଦାସ(୨୯)। କିଛି ବର୍ଷ ହେବ ରାଜଶେଖର ଶାସ୍ତ୍ରୀନଗର ଅଞ୍ଚଳରେ ବିଲ୍ଡର ସଂସ୍ଥା ଆରମ୍ଭ କରିଥିଲା। ଲୋକଙ୍କୁ ଶସ୍ତାରେ ଜମି ଦେବାର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଚୂନ ଲଗାଇଥିଲା।
୨୦୧୮ ମସିହାରେ ୟୁନିଟ୍-୪ ଶାସ୍ତ୍ରୀନଗର ଅଞ୍ଚଳରେ ରହୁଥିବା ବୋରା ହେମନ୍ତଙ୍କୁ ବରମୁଣ୍ଡା କଳିଙ୍ଗବିହାର ଅଞ୍ଚଳରେ ଦୁଇଟି ପ୍ଲଟ୍ ଦେବା ପାଇଁ ୮୦ ଲକ୍ଷ ଟଙ୍କା ନେଇଥିଲା। ଆକାଉଣ୍ଟରେ ୨୦ଲକ୍ଷ ଏବଂ ୬୦ଲକ୍ଷ ନଗଦ ଟଙ୍କା ନେଇଥିଲା। କିନ୍ତୁ ଟଙ୍କା ନେବା ପରେ ମଧ୍ୟ ଜମି ତାଙ୍କ ନାମରେ ପଞ୍ଜୀକରଣ କରିନଥିଲା। ପରବର୍ତ୍ତୀ ସମୟରେ ହେମନ୍ତ ଜାଣିବାକୁ ପାଇଥିଲେ ଯେ, ସେ ଯେଉଁ ଜମି ଦେବାକୁ କହୁଥିଲା, ସେହି ଜମିକୁ ପୂର୍ବରୁ ୫ରୁ ଊର୍ଧ୍ବ ଲୋକଙ୍କୁ ବିକ୍ରି କରି ଟଙ୍କା ନେଇଛି। ଘଟଣା ସଂପର୍କରେ ଜାଣିବା ପରେ ବୋରା ଟଙ୍କା ଫେରସ୍ତ ପାଇଁ କହିଥିଲେ। ହେଲେ ଟଙ୍କା ଫେରସ୍ତ ଦୂରର କଥା, ଓଲଟି ରାଜଶେଖର ତାଙ୍କ ପରିବାରକୁ ହତ୍ୟା ଧମକ ଦେଇଥିଲା। ଏ ସଂପର୍କରେ ହେମନ୍ତ ଖାରବେଳନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/kharavelanagar.jpg)