ଶଠ ପ୍ରେମିକ ଗିରଫ: ପ୍ରେମିକାର ୫୦ ହଜାର ଚଳୁ

ଭୁବନେଶ୍ବର: ଛଳନାପୂର୍ଣ୍ଣ ପ୍ରେମ ଜାଲରେ ଫସାଇବା ସହ ଯୁବତୀଙ୍କର ୫୦ ହଜାର ଟଙ୍କା ଚଳୁ କରିବା ଅଭିଯୋଗରେ ଆଜି ସହିଦନଗର ଥାନା ପୁଲିସ ଜଣେ ଧୂର୍ତ୍ତକୁ ଗିରଫ କରିଛି। ଅଭିଯୁକ୍ତ ଶଠ ପ୍ରେମିକ ହେଲା ନୂଆପଡ଼ା ଜିଲ୍ଲା ଖରିଆର ଅଞ୍ଚଳର କୈବସୁତ ବେହେରା(୨୪)। ସେ ରାଜଧାନୀର ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଜଣାପଡ଼ିଛି। କୈବସୁତ ବହୁ ଯୁବତୀଙ୍କୁ ଏମିତି ପ୍ରେମରେ ଫସାଇ ଟଙ୍କା ହଡ଼ପ କରୁଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ତେବେ ଗୋଟିଏ ମାମଲାରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ପୁଲିସ ସୂଚନାନୁସାରେ ଆଚାର୍ଯ୍ୟ ବିହାର ସ୍ଥିତ ଏକ ହଷ୍ଟେଲ୍‌ରେ ରହୁଥିବା ଜଣେ ଯୁବତୀଙ୍କ ସହ କୈବସୁତର ସାକ୍ଷାତ ହୋଇଥିଲା। କୈବସୁତ ଉକ୍ତ ହଷ୍ଟେଲ ନିକଟସ୍ଥ ଏକ ସଂସ୍ଥାରେ କାମ କରୁଥିବାରୁ ନିତିଦିନିଆ ଦେଖା ସାକ୍ଷାତ ହେଉଥିଲା। ସେମାନଙ୍କ ଭିତରେ ଧୀରେଧୀରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବତୀ ଜଣକ ତାକୁ ଭଲ ପାଇ ବସିଥିଲେ ବି କୈବସୁତର ଟାର୍ଗେଟ୍‌ରେ ଥିଲା ଯୁବତୀଙ୍କ ରୋଜଗାର। ତେଣୁ ସେ ଛଳନା କରି ଯୁବତୀଙ୍କ ଅଧିକ ନିକଟତ୍ତର ହୋଇଥିଲା ଓ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ବିବାହ ପ୍ରତିଶ୍ରୁତି ପାଇବା ପରେ ଯୁବତୀ ଜଣକ ତା’ ଉପରେ ଅଧିକ ଭରସା‌ କରିଥିଲେ ଓ କଥା ଶାରୀରିକ ସମ୍ପର୍କ ପ୍ରତିଷ୍ଠା ପର୍ଯ୍ୟନ୍ତ ଯାଇଥିଲା।

ଏହି ମଉକାରେ ଧୂର୍ତ୍ତ କୈବସୁତ ନିଜର ବିଭିନ୍ନ ଅସୁବିଧା ଦେଖାଇ ଯୁବତୀଙ୍କଠାରୁ ଟଙ୍କା ନେଉଥିଲା। ସ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିବା ଯୁବତୀ ତା’କୁ ଟଙ୍କା ଫେରାଇବାକୁ କହୁନଥିଲେ। ଗତ କିଛି ଦିନ ତଳେ କୈବସୁତ ଯୁବତୀଙ୍କଠାରୁ ୫୦ ହଜାର ଟଙ୍କା ନେଇଥିଲା। ଟଙ୍କା ନେବାର କିଛି ଦିନ ପରେ ଯୁବତୀ ତାକୁ ବିବାହ କଥା କହିଥି‌ଲେ। ଏଥର କୈବସୁତ ତା’ର ଅସଲ ଚେହେରା ଦେଖାଇଥିଲା। ରୋକ୍‌ଠୋକ ବିବାହ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସହ ଟଙ୍କା ମାଗିଲେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ କରିଦେବ ବୋଲି ଧମକ ଦେଇଥିଲା। ପ୍ରତାରଣାର ଶିକାର ହୋଇସାରିଥିବା ଜାଣିବା ପରେ ଯୁବତୀ ତାକୁ ଗାଳି କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କୈବସୁତ ତାଙ୍କୁ ମାଡ଼ ମାରିଥିଲା। ଏନେଇ ଯୁବତୀ ସହିଦନଗର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର