ଏୟାର୍‌ଫୋର୍ସ, ଆର୍ମି ଅଧିକାରୀଙ୍କୁ ଚୁନ ଲଗାଇଛି ଗୟାଧର
ନିରଞ୍ଜନ ବିରୋଧରେ ଲମ୍ବୁଛି ଅଭି‌ଯୋଗ, ବାରମ୍ବାର ଗିରଫ ପରେ ବି କମୁନି ଠକାମି

Advertisment

ଭୁବନେଶ୍ୱର : ରାଜଧାନୀରେ ଠକ ବିଲ୍ଡରଙ୍କ ମାୟାଜାଲ ବିଛେଇ ହୋଇରହିଛି। ରାଜଧାନୀରେ ଜମିଟିଏ କିଣିବା ପାଇଁ ଆଗ୍ରହୀ ଲୋକଙ୍କୁ ସେମାନେ ଚୁନ ଲଗାଇ ଚାଲିଛନ୍ତି। ଏମିତିକି ଏକାଧିକ ଥର ଜେଲ୍ ଯିବା ପରେ ମଧ୍ୟ ଠକେଇ କରିବାକୁ ପଛାଉ ନାହାନ୍ତି। ସପ୍ତାହକ ଭିତରେ ୫ରୁ ଅଧିକ ଠକ ଗିରଫ ହେବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। ମା’ ତାରିଣୀ ସଂସ୍ଥାର ମାଲିକ ନିରଞ୍ଜନ ରଣା ଓ ଶାରଳା ରିୟଲ୍‌କନ୍ ମାଲିକ ଗୟାଧର ଜେନା ବିରୋଧରେ ଠକେଇର ଚିଠା ଲମ୍ବି ଲମ୍ବି ଚାଲିଛି। ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକଙ୍କୁ ସେମାନେ ଠକି ଚାଲିଛନ୍ତି। ସେମାନଙ୍କ ମୁଖା ଖୋଲିବା ପରେ ବି ମାଳମାଳ ଅଭିଯୋଗ ହେଉଛି।

publive-image

ପୂର୍ବରୁ ଉଭୟ ପୁଲିସ ଓ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ହାତରେ ଏକାଧିକ ଥର ଗିରଫ ହୋଇଥିବା ଗୟାଧର ଗତ ୧୧ ତାରିଖରେ ପୁଣି ସହିଦନଗର ଥାନା ପୁଲିସ ହାତରେ ଗିରଫ ହୋଇଛନ୍ତି। ଏହା ପରଠାରୁ ଗୟାଧର ବିରୋଧରେ ମାମଲା ସଂଖ୍ୟା ଲମ୍ବିବାରେ ଲାଗିଛି। ସହିଦନଗର ଓ ଲକ୍ଷ୍ମୀସାଗର ଥାନାରେ ୫ରୁ ଅଧିକ ମାମଲା ରୁଜୁ ହୋଇ ସାରିଲାଣି। ଏମିତିକି ତା ଜାଲରେ ଏୟାର୍‌ଫୋର୍ସ ଓ ଆର୍ମି ଅଧିକାରୀଙ୍କୁ ସେ ଫସାଇଛି। ଏୟାର୍‌ଫୋର୍ସର ଅବସରପ୍ରାପ୍ତ ଅଧିକାରୀ ସୁଧୀର କୁମାର ଜି. ସାରଳାନଗର ଫେଜ୍ ୧ରେ ପତ୍ନୀ ଅରୁନ୍ଧତୀ ସୁଧୀରଙ୍କ ନାଁରେ ୨୫୦୦ ବର୍ଗଫୁଟର ଜମି କିଣିବା ଲାଗି ୨୦୧୧ ଫେବ୍ରୁଆରି ୨୮ରେ ରେଜିଷ୍ଟ୍ରେସନ କରିଥିଲେ। ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ୧୦ ଲକ୍ଷ ୫୮ ହଜାର ଟଙ୍କା ଦେଇଥିଲେ। ୨୦୧୩ରେ ପତ୍ନୀଙ୍କ ନାମ ବଦଳାଇ ନିଜ ନାମରେ କରିଥିଲେ। କିନ୍ତୁ ଏହା ପରେ ଜାଣିବାକୁ ପାଇଥିଲେ ଗୟାଧର ଚଞ୍ଚକତାର ସହ ଏହାକୁ ଅନ୍ୟ ଜଣଙ୍କୁ ବିକ୍ରି କରି ଦେଇଥିଲା। ଏ ନେଇ ସୁଧୀର ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି।

publive-image

ସେହିପରି ଆର୍ମିରୁ ଅବସର ନେବା ପରେ ରିୟଲ ଇଷ୍ଟେଟ୍ ବ୍ୟବସାୟ ଆରମ୍ଭ କରିଥିଲେ ତମାଣ୍ଡୋ କଳିଙ୍ଗବିହାରରେ ରହୁଥିବା ସୁନୀଲ ସୁନ୍ଦରାୟ। ଗୟାଧର ତାଙ୍କୁ ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ ଥିବା ୧୦ ହଜାର ବର୍ଗଫୁଟର ଜମି ବିକ୍ରି କରିଥିଲା। ଏଥିପାଇଁ ୯ ଲକ୍ଷ ୩୪ ହଜାର ଟଙ୍କା ନେଇଥିଲା। କିନ୍ତୁ ସେଲ୍ ଡିଡ୍ କରି ନ ଥିଲା। ଚୁକ୍ତି ଅନୁସାରେ ଜମି ଦେଉ ନ ଥିଲା କିମ୍ବା ଟଙ୍କା ଫେରସ୍ତ କରୁ ନ ଥିଲା। ଏ ନେଇ ସୁନୀଲ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ସେହିପରି ନିରଞ୍ଜନ ରଣା ବିରୋଧରେ ବିଭିନ୍ନ ଥାନରେ ୫୦ରୁ ଅଧିକ ଅଭିଯୋଗ ଆସିଥିବା ବେଳେ ପ୍ରାୟ ୩୦ ମାମଲା ରୁଜୁ ହୋଇ ସାରିଲାଣି। ଠକେଇ ପରିମାଣ ୧୦ କୋଟି ଟପିଯିବ ବୋଲି କୁହାଯାଉଛି। ଗିରଫ ହେବାର ୬ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମାମଲା ସଂଖ୍ୟା କମିବାରେ ନାଁ ଧରୁନି। ଏମିତି ବହୁ ଜମି ଠକ ରାଜଧାନୀରେ ଫାସ ବସାଇଛନ୍ତିି।

ରିମାଣ୍ଡରେ ଆସିଲା ପର୍ଶୁରାମ
ଠକେଇ ଅଭିଯୋଗରେ ଉତ୍ତରପ୍ରଦେଶରୁ ଗିରଫ ହୋଇଥିବା ବିଲ୍ଡର ପର୍ଶୁରାମକୁ ରିମାଣ୍ଡରେ ଆଣିଛି ବଡ଼ଗଡ଼ ଥାନା ପୁଲିସ। ୫ ଦିନ ରିମାଣ୍ଡ ଆବେଦନ କରିଥିବା ବେଳେ ତିନି ଦିନ ପାଇଁ ମଞ୍ଜୁର ହୋଇଛି। ତା’ ନାଁରେ ୪ଟି ଠକେଇ ମାମଲା ରହିଛଇଓ ଆଗକୁ ମାମଲା ବଢ଼ିବ ବୋଲି ପୁଲିସ ଆଶଙ୍କା କରୁଛି। ତା’ ଠକେଇର ଗୁମର ଖୋଲିବା ସହ ତାର ସମ୍ପତ୍ତି ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି।