ଗହଣା ଦୋକାନରୁ ଠକେଇ ମାମଲା: ମୁମ୍ବାଇର ଏମ୍‌ବିଏ ଧୂର୍ତ୍ତ, କୋଲକାତାରୁ ଗିରଫ

ରିମାଣ୍ଡ୍‌ରେ ଆଣିବ ତମାଣ୍ଡୋ ପୁଲିସ, ଫ୍ଲାଇଟ୍‌ରେ ଉଡ଼ିବା ସଉକରୁ ବ୍ୟାଙ୍କ ଚାକିରି ଛାଡ଼ିଛି

ଭୁବନେଶ୍ବର: ବଡ଼ ଚତୁରତାର ସହ ଗହଣା ଦୋକାନକୁ ଲୁଟୁଥିଲା। ଲୁଟ୍‌ ଧନରେ ଫ୍ଲାଇଟ୍‌ରେ ଉଡ଼ୁଥିଲା ଓ ବଡ଼ବଡ଼ ଦାମୀ ହୋଟେଲ୍‌ରେ ରହୁଥିଲା। ଅନୁରୂପଭାବେ ପାତ୍ରପଡ଼ା ଡିଏନ୍‌ ରେଗାଲିଆ ମଲ୍‌ସ୍ଥିତ ‘ନିମନ୍ତ୍ରଣ’ ଗହଣା ଦୋକାନ ମାଲିକଙ୍କୁ ଚୁନ ଲଗାଇ ଚମ୍ପଟ ମାରିଥିଲା। ତେବେ ଦିଲ୍ଲୀ, ମୁମ୍ବାଇ ପୁଲିସକୁ ଚକ୍‌ମା ଦେଇଥିବା ଧୂର୍ତ୍ତ ଶେଷରେ ଭୁବନେଶ୍ବର କମିସନରେଟ୍‌ ପୁଲିସ ହାତରେ ଗିରଫ ହୋଇଛି। ଏହି ଅନ୍ତଃରାଜ୍ୟ ଠକ ହେଲା ଅନ୍ଧେରି ମୁମ୍ବାଇର ରାଜୀବ ପ୍ରଭାସ ଗୁପ୍ତା(୩୭)। ସେ ଏମ୍‌ବିଏ କରିଥିବା ଜଣାପଡ଼ିଛି। ଲୁଟ୍‌ ପରଠାରୁ ପିଛା କରୁଥିବା ସ୍ପେସାଲ୍ ସ୍କ୍ବାଡ୍ ଓ ତମା‌ଣ୍ଡୋ ଥାନା ପୁଲିସ ମିଳିତ ଭାବେ ଗତକାଲି ତାକୁ କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନବନ୍ଦରରୁ ଗିରଫ କରିଛନ୍ତି। ତା’ ନିକଟରୁ ବିପୁଳ ପରିମାଣର ସୁନା ଓ ରୁପା ଅଳଙ୍କାର (ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର), ୩ଟି ଏଟିଏମ୍, ମୋବାଇଲ୍ ଫୋନ୍ ଓ ପ୍ୟାନ୍‌କାର୍ଡ ଜବତ କରାଯାଇଛି। ରାଜୀବ ଜଣେ ଅନ୍ତଃରାଜ୍ୟ ଲୁଟେରା ବୋଲି ଜଣାପଡ଼ିଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଇମ୍ଫାଲ ଓ ଭୁବନେଶ୍ବର ଭଳି ଦେଶର ବଡ଼ବଡ଼ ସହରରେ ଗହଣା ଦୋକାନୀଙ୍କୁ ଟାର୍ଗେଟ୍‌ କରି ସେ ଚୁନ ଲଗାଉଥିଲା ବୋଲି ଜଣାପଡ଼ିଛି।

କେମିତି ଧରାପଡ଼ିଲା

ଗତ ୧୫ ତାରିଖ ଅପରାହ୍ଣରେ ରାଜୀବ ଡିଏନ୍ ରେଗାଲିଆ ମଲ୍‌ ସ୍ଥିତ ‘ନିମନ୍ତ୍ରଣ’ ଗହଣା ଦୋକାନରୁ ପ୍ରାୟ ଲକ୍ଷେ ଟଙ୍କାର ସୁନା ଓ ରୁପା ଅଳଙ୍କାର କିଣିଥିଲା। ଅନ୍‌ଲାଇନ୍‌ରେ ଟଙ୍କା ଦେବାକୁ କହି ପ୍ରଥମେ ୧୦ ଟଙ୍କା ପେମେଣ୍ଟ୍‌ କରି ଦୋକାନ ମାଲିକଙ୍କୁ ନିଶ୍ଚିତ କରାଇଥିଲା। ଏହା ପରେ ଏକ ଲକ୍ଷ ଟଙ୍କା ପଠାଇଥିଲା ଓ ସ୍କ୍ରିନ୍‌ ସଟ୍‌ ଦେଖାଇଥିଲା। ମାତ୍ର ଦୋକାନ ମାଲିକଙ୍କ ମୋବାଇଲ୍‌ ଫୋନ୍‌ରେ ଏହି ଏକ ଲକ୍ଷ ଟଙ୍କାର ପେମେଣ୍ଟ୍‌ ପ୍ରଦର୍ଶିତ ହେଲା ନାହିଁ। ତେଣୁ ସେ ସନ୍ଦେହ କରିଥିଲେ ବି ରାଜୀବର କଥା ଚାତୁରୀରେ ପୁଣି ଫସି ଯାଇଥିଲେ। ନେଟ୍‌ ସମସ୍ୟା ଥାଇପାରେ ବୋଲି ଭାବି ଦୋକାନୀ ତାକୁ ଯିବାକୁ ଦେଇଥିଲେ। ତେବେ କିଛି ଘଣ୍ଟା ପରେ ତାଙ୍କ ଆକାଉଣ୍ଟକୁ ଟଙ୍କା ନ ଆସିବାରୁ ସେ ରାଜୀବକୁ ଫୋନ୍‌ କରିଥିଲେ। ମାତ୍ର ରାଜୀବ ଫୋନ୍‌ ଉଠାଇନଥିଲା। ତେଣୁ ଠକାମିର ଶିକାର ହୋଇଥିବା ନିଶ୍ଚିତ ହୋଇ ଗହଣା ମାଲିକ ତମାଣ୍ଡୋ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁରୀ ସିଂହଦ୍ବାର ଥାନା ଅଞ୍ଚଳରେ ଏଭଳି ଏକ ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ତେଣୁ ଏହି ମାମଲାକୁ ଗୁରୁତ୍ବର ସହ ନେଇଥିଲା କମିସନରେଟ୍‌ ପୁଲିସ। ରାଜୀବର ମୋବାଇଲ୍‌ ଫୋନ୍‌କୁ ଟ୍ରାକ୍‌ କରି ତା’ର ଗତିବିଧି ଉପରେ ନଜର ରଖାଯାଇଥିଲା। ଗତକାଲି ସେ ଫ୍ଲାଇଟ୍‌ ଯୋଗେ ଇମ୍ଫାଲ୍‌ରୁ କୋଲକାତା ଆସୁଥିବା ଖବର ପାଇ ସ୍ପେସାଲ୍‌ ସ୍କ୍ବାଡ୍‌ ଓ ତମାଣ୍ଡୋ ଥାନା ପୁଲିସ କୋଲକାତା ବିମାନବନ୍ଦରରେ ଜଗି ରହି ତାକୁ ଗିରଫ କରିଥିଲେ।

କେମିତି ଲୁଟୁଥିଲା
ମୋବାଇଲ୍‌ ଫୋନ୍‌ରେ ସେ ସେଟ୍‌ କରିଥିବା ଏକ ସ୍ବତନ୍ତ୍ର ଆପ୍‌ ଦ୍ବାରା ଗହଣା ଦୋକାନୀଙ୍କୁ ଚୁନ ଲଗାଉଥିଲା। ପ୍ରଥମେ ସେ ୧୦ଟଙ୍କା ପଠାଉଥିଲା। ଏହା ପରେ ଉକ୍ତ ଆପ୍‌ରେ ଗହଣା ଦୋକାନର ୟୁପିଆଇ ଠିକଣା ବା ନାମ ସେଟ୍‌ କରି ଏକ ଲକ୍ଷ ଟଙ୍କା ପଠାଇଛି ବୋଲି ଦେଖାଉଥିଲା। ପ୍ରକୃତରେ ତାହା ୧୦ ଟଙ୍କା ପେମେଣ୍ଟ୍‌ର ନକଲ ଥିଲା। ୧୦ ଟଙ୍କା ସ୍ଥାନରେ ଏକ ଲକ୍ଷ ଟଙ୍କା ଲେଖା ଦେଖାଯାଉଥିଲା। ସବୁଠାରେ ସେ କେବଳ ଲକ୍ଷେ ଟଙ୍କାର ଗହଣା କିଣୁଥିଲା। କାରଣ ୟୁପିଆଇ ଜରିଆରେ ଏକକାଳୀନ ଏତିକି ପରିମାଣର ପେମେଣ୍ଟ ହୋଇ ପାରୁଥିଲା। ଗୋଟିଏ ସହରରୁ ଠକିବା ପରେ ସେ ଅନ୍ୟ ରାଜ୍ୟର କୌଣସି ସହରକୁ ପଳାଉଥିଲା। ମୋବାଇଲ୍‌ ନମ୍ବର ବଦଳାଇ ପୁଣି ଜଣେ ଗହଣା ଦୋକାନୀକୁ ବକରା କରିବାକୁ ଯୋଜନା କରୁଥିଲା।

ଫ୍ଲାଇଟ୍‌ରେ ଉଡ଼ିବା ସଉକରୁ ବ୍ୟାଙ୍କ ଚାକିରି ଛାଡ଼ିଛି
ଧୂର୍ତ୍ତ ରାଜୀବ ନାଭି ମୁମ୍ବାଇର ସାଉଥ୍‌ ଇଣ୍ଡିଆ ଏଜୁକେସନାଲ୍ ସୋସାଇଟିରୁ ଏମ୍‌ବିଏ ପାସ୍ କରିଥିଲା। ଏହା ପରେ ସେ ସିଟି ବ୍ୟାଙ୍କ୍‌ରେ ଚାକିରି କରିଥିଲା। ବ୍ୟାଙ୍କ ଚାକିରିରେ ମିଳୁଥିବା ଦରମା ରାଜୀବ ପାଇଁ ଯଥେଷ୍ଟ ନଥିଲା। ବଡ଼ବଡ଼ ହୋଟେଲରେ ରହିବା ଓ ଫ୍ଲାଇଟ୍‌ରେ ଉଡ଼ିବା ସଉକ ପାଇଁ ବ୍ୟାଙ୍କ ଦରମା ଯଥେଷ୍ଟ ହେଉନଥିଲା। ତେଣୁ ପରେ ସେ ଚାକିରି ଛାଡ଼ି ଏହି ହାଇଟେକ୍ ଠକେଇ ରାସ୍ତା ଆପଣେଇଥିଲା।

ସମ୍ବନ୍ଧିତ ଖବର