ଭୁବନେଶ୍ବର/ବାଲିଗୁଡ଼ା: ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିକା-ଅନୀଲ୍‌ ଗିରଫ ମାମଲାରେ ଆୟକର ବିଭାଗ ମୁଣ୍ଡ ପୂରାଇବା ପରେ ସେମାନଙ୍କ କଳାସାମ୍ରାଜ୍ୟର ନୂଆ ନୂଆ ଫର୍ଦ୍ଦ ପଦାକୁ ଆସିବାରେ ଲାଗିଛି। ଆଜି ମଧ୍ୟ ସମସ୍ତ ୧୨ଟି ଜାଗାରେ ଆୟକର ବିଭାଗର ଚଢ଼ଉ ଚାଲିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଜି ହଂସିକାଙ୍କ ପ୍ରଥମ ସ୍ବାମୀ ସରୋଜ ସାହୁଙ୍କୁ ଠାବ କରାଯାଇଛି। ସରୋଜଙ୍କ ସହଯୋଗରେ ପଟିଆ ରଘୁନାଥପୁରସ୍ଥିତ ହଂସିକାଙ୍କ ୨ ଫ୍ଲାଟ୍‌ର ଡିଜିଟାଲ୍‌ ଲକ୍‌ ଖୋଲାଯାଇଛି। ଅନ୍ୟପଟେ ଏହି ଧୂର୍ତ୍ତ ଯୋଡ଼ିଙ୍କୁ ଦିନିକିଆ ରିମାଣ୍ଡ୍‌ରେ ନେବାକୁ ଜେଏମ୍‌ଏଫ୍‌ସି କୋର୍ଟ କମିସନରେଟ୍‌ ପୁଲିସକୁ ଅନୁମତି ଦେଇଛନ୍ତି। ମାତ୍ର ଗୋଟିଏ ଦିନର ରିମାଣ୍ଡ୍‌ରେ ପୁଲିସ ସେମାନଙ୍କଠାରୁ କିଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସବୁ ଆଦାୟ କରିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତଥାପି ପୁଲିସ ଏଥିପାଇଁ  ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ମିଳିଛି। 

Advertisment

ହଂସିକା ଗିରଫ ହେବା ପରଠୁ କମିସନରେଟ୍‌ ପୁଲିସ ତାଙ୍କର ଅନ୍ୟତମ ସ୍ବାମୀ ସରୋଜଙ୍କୁ ଖୋଜୁଥିଲା। ଘଟଣା ପରଠୁ ସରୋଜ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ରଘୁନାଥପୁରସ୍ଥିତ ୨ଟିଯାକ ଫ୍ଲାଟ୍‌ରେ ଡିଜିଟାଲ୍‌ ଲକ୍‌ ଥିବାରୁ ପୁଲିସ କିମ୍ବା ଆୟକର ବିଭାଗ ଖୋଲିପାରି ନଥିଲା। କିନ୍ତୁ ସେବେଠୁ ପୁଲିସ ସରୋଜଙ୍କ ପିଛା କରୁଥିଲା। ଅଧିକାଂଶ ସମୟ ସେ ମୋବାଇଲ୍‌ ସୁଇଚ୍‌ ଅଫ୍‌ ରଖୁଥିବାରୁ ପୁଲିସର ମୋବାଇଲ୍‌ ଟ୍ରାକିଂ ଫେଲ୍‌ ମାରୁଥିଲା। କିନ୍ତୁ ଆଜି ସରୋଜଙ୍କ ମୋବାଇଲ୍‌ ଖଣ୍ଡଗିରିରେ ସକ୍ରିୟ ଥିବା ଜଣାପଡ଼ିଥିଲା। ତୁରନ୍ତ ପୁଲିସ ଟିମ୍‌ ଖଣ୍ଡଗିରିରେ ଖୋଳତାଡ଼ କରି ଏକ ହୋଟେଲ୍‌ରୁ ସରୋଜକୁ ଉଠାଇଥିଲା। ସରୋଜଙ୍କୁ ଠାବ କରିବା ପରେ ପୁଲିସ ଓ ଆୟକର ବିଭାଗ ସ୍କ୍ବାଡ୍‌ ତାଙ୍କୁ ନେଇ ଫ୍ଲାଟ୍‌କୁ ଯାଇଥିଲେ। ସରୋଜ ପାଖରେ ରଖିଥିବା ଚାବିରେ ଫ୍ଲାଟ୍‌ ଖୋଲିବା ପରେ ଯାଞ୍ଚ କରାଯାଇଥିଲା। ଫ୍ଲାଟ୍‌ର ବିପୁଳ ପରିମାଣର ସୁନା ଗହଣା ଓ ନଗଦ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି। ସେହିଭଳି ହଂସିକାଙ୍କ ଆୟବ୍ୟୟ ସମ୍ପର୍କିତ ବହୁ ରେକର୍ଡପତ୍ର ମଧ୍ୟ ଜବତ କରାଯାଇଛି। 

ସୂଚନାଯୋଗ୍ୟ ‌ଯେ ବ୍ରହ୍ମପୁର ବୈଦ୍ୟନାଥପୁରର ସରୋଜ ହେଉଛନ୍ତି ହଂସିକାଙ୍କ ପ୍ରଥମ ସ୍ବାମୀ। ଏକଦା ସରୋଜ ଏକ ବଡ଼ କର୍ପୋରେଟ୍‌ ସଂସ୍ଥାର ଓଡ଼ିଶା ମୁଖ୍ୟ ଥିଲେ। ୨୦୧୦ ମସିହାରେ ସେମାନଙ୍କର ବିବାହ ହୋଇଥିଲା। ସେମାନଙ୍କର ଏକ ପୁତ୍ର ସନ୍ତାନ ରହିଛି। କିନ୍ତୁ ୨୦୧୫ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ସରୋଜଙ୍କ ଚାକିରି ଚାଲିଯିବା ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ହଂସିକା ୨୦୨୦ରେ କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କୁ ବିବାହ କରିଥିଲେ। ସରୋଜଙ୍କଠାରୁ ଛାଡ଼ପତ୍ର ପାଇ ନଥିଲେ ହେଁ ରହସ୍ୟଜନକ ଭାବେ ହଂସିକା ଦ୍ବିତୀୟ ବିବାହ କରି ମନୋଜଙ୍କ ସ୍ତ୍ରୀ ସାଜିଥିଲେ। କିନ୍ତୁ ୨ ବର୍ଷ ପରେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଭଟ୍ଟା ପଡ଼ିଯାଇଥିଲା ଏବଂ ସେମାନେ ପୁଣି ଅଲଗା ହୋଇଯାଇଥିଲେ। ଆହୁରି ରହସ୍ୟର କଥା ହେଉଛି ଏବେ ହଂସିକା ଓ ପ୍ରଥମ ସ୍ବାମୀ ସରୋଜ ଏକାଠି ରହୁଥିଲେ। ରଘୁନାଥପୁରସ୍ଥିତ ଆପାର୍ଟମେଣ୍ଟ୍‌ରେ ସେମାନେ ଏକାଠି ରହୁଥିଲେ ଏବଂ ସେଠାରେ ହଂସିକାଙ୍କ ଯୋଡ଼ି ଅନୀଲ ମହାନ୍ତି ଅନ୍ୟ ଏକ ଫ୍ଲାଟ୍‌ରେ ରହୁଥିଲେ। ତେଣୁ ଅନୀଲ୍‌-ହଂସିକା-ସରୋଜଙ୍କ ରହସ୍ୟ ଉନ୍ମୋଚନ ହୋଇପାରିନାହିଁ।


ସେପଟେ ଆଜି ଆୟକର ବିଭାଗ ପକ୍ଷରୁ କନ୍ଧମାଳ ବାଲିଗୁଡ଼ାରେ ଚଢ଼ଉ ଚାଲିଥିଲା। ବାଲିଗୁଡ଼ା ଆଚାର୍ଯ୍ୟ କଲୋନିରେ ରହୁଥିବା ହଂସିକା(ବିଷ୍ଣୁପ୍ରିୟା ଚାନ୍ଦ)ଙ୍କ ଶଶୁର ତଥା ବରିଷ୍ଠ କଂଗ୍ରେସ ନେତା ସୀମାଞ୍ଚଳ ଆଚାର୍ଯ୍ୟଙ୍କ ଘରେ ଆୟକର ବିଭାଗ ଟିମ୍‌ ପଚରାଉଚରା କରିଥିଲା। ଗତକାଲି ସୀମାଞ୍ଚଳ ଓ ତାଙ୍କ ପୁଅ ତଥା ହଂସିକାଙ୍କ ପ୍ରଥମ ସ୍ବାମୀ ମନୋଜ ଆଚାର୍ଯ୍ୟ ଘରେ ନଥିବାରୁ ଆୟକର ବିଭାଗ ଛାନ୍‌ଭିନ୍‌ ସମ୍ପୂର୍ଣ୍ଣ ହୋଇପାରି ନଥିଲା। କିନ୍ତୁ ଚଢ଼ଉ ଖବର ପାଇ ସେମାନେ ଗତକାଲି ରାତିରେ ଘରକୁ ଫେରିଥିଲେ ଏବଂ ଆଜି ଆୟକର ବିଭାଗକୁ ସହଯୋଗ କରିଥିଲେ। ବାଲିଗୁଡ଼ା ଷ୍ଟେଟ୍‌ ବ୍ୟାଙ୍କ୍‌ ଶାଖାରୁ ସେମାନଙ୍କ ଆକାଉଣ୍ଟ ଓ ଲକର୍‌ ବାବଦରେ ଯାଞ୍ଚ କରାଯାଇଛି। ମନୋଜ ବାଲିଗୁଡ଼ା ଏନ୍‌ଏସିର କାଉନ୍‌ସିଲର୍‌ ଥିଲେ। ୨୦୧୯ରେ ସେ କଂଗ୍ରେସ ଟିକଟରୁ କନ୍ଧମ‌ାଳ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ହଂସିକା ମଧ୍ୟ କଂଗ୍ରେସ ନେତ୍ରୀଭାବେ ନର୍ଲାରୁ ସମିତିସଭ୍ୟା ହୋଇଥିଲେ। ମନୋଜଙ୍କ ସୂଚନାନୁସାରେ ୨ବର୍ଷ ହେଲା ହଂସିକାଙ୍କ ସହ ତାଙ୍କର କୌଣସି ପ୍ରକାର ସମ୍ପର୍କ ନାହିଁ। ଛାଡ଼ପତ୍ର ହୋଇ ନଥିଲେ ହେଁ ସେମାନେ ଅଲଗାଅଲଗା ରହୁଛନ୍ତି। ହଂସିକା ଏବେ କ’ଣ କରୁଛନ୍ତି, କେଉଁଠି ରହୁଛନ୍ତି, ସେସବୁ ବାବଦରେ ତାଙ୍କର ଧାରଣା ନାହିଁ ବୋଲି ମନୋଜ କହିଛନ୍ତି।