ଏସ୍‌ଏସ୍‌ସି ଆଡମିଟ୍‌ କାର୍ଡ‌ରେ ଜାଲିଆତି, ନକଲି କାର୍ଡକୁ ଅସଲି କହି ଅଭିଯୋଗ କରୁଥିଲେ

ଥାନାରେ ମାମଲା, ପୁଲିସର ତନାଘନା

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍‌ କମିସନ୍‌(ଏସ୍‌ଏସ୍‌ସି) ଅଡିଟର୍‌-୨୦୧୭ ମୁଖ୍ୟ ପରୀକ୍ଷା ପାଇଁ ନକଲି ଆଡମିଟ୍ କାର୍ଡ ଧରି ଅସଲି ବୋଲି ଦାବି କରୁଥିଲେ। ଡାଉନ୍‌ଲୋଡ୍ ହେଉନି ବୋଲି ଆବେଦନ ମଧ୍ୟ କରିଥିଲେ। କିନ୍ତୁ ଏହା ଜାଲ୍ ବୋଲି ଜଣାପଡ଼ିଥିଲା। ଏହା ପରେ ଷ୍ଟାଫ୍ ସିଲେକ୍ସନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଛି ପୁଲିସ। ତନାଘନା ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଅଡିଟର-୨୦୧୭ ମୁଖ୍ୟ ପରୀକ୍ଷା ଫେବ୍ରୁଆରି ୩ ଓ ୪ ତାରିଖରେ ଧାର୍ଯ୍ୟ ହୋଇଥିଲା। ୩ ତାରିଖରେ କମ୍ପ୍ୟୁଟର୍‌ ବେସଡ୍ ପରୀକ୍ଷା ଓ ୪ ତାରିଖରେ ସବ୍‌ଜେକଟିଭ୍ ପରୀକ୍ଷା ଅନୁଷ୍ଠିତ ପାଇଁ କାର୍ଯ୍ୟସୂଚୀ ହୋଇଥିଲା। ଗତ ୧ ତାରିଖ ପୂର୍ବାହ୍ନ ୧୧ଟା ବେଳେ ଅନୁଗୁଳ ପାଲଲହଡା କରଡ଼ାପାଳର ରାକେଶ କୁମାର ସାହୁ ଷ୍ଟାଫ ସିଲେକ୍ସନ୍ ଅଫିସରେ ପହଞ୍ଚି ଏକ ଆବେଦନପତ୍ର ଦେଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ, ପ୍ରିଲିମନାରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କିନ୍ତୁ ୩ ଓ ୪ରେ ହେବାକୁ ଥିବା ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଡାଉନଲୋଡ୍ ହେଉ ନାହିଁ। ଏହାସହ ସେ ପ୍ରିଲିମ୍ ପରୀକ୍ଷା ଦେଇଥିବା ଆଡମିସନ୍ ଲେଟର ଓ ଆପ୍ଲିକେସନ୍ ନମ୍ବର ଦାଖଲ କରିଥିଲେ। ପରୀକ୍ଷା ଦାୟିତ୍ବରେ ଥିବା ଏସ୍ଆଇପି ମେରିଟ୍ରାକ୍ ଲିମିଟେଡ୍ ପକ୍ଷରୁ ଏହି ଆବେଦନର ଯାଞ୍ଚ କରାଯାଇଥିଲା। ପ୍ରିଲିମ ପରୀକ୍ଷାର ଆଟେଣ୍ଡାସ୍‌ ରେଜିଷ୍ଟର ଯାଞ୍ଚ କରାଯାଇଥିଲା। ରାକେଶ ଦାଖଲ କରିଥିବା ଆଡମିସନ୍ ଲେଟର ନମ୍ବର ମେଳ ଖାଇ ନଥିଲା। ତାହା ଜଣେ ଯୁବତୀଙ୍କର ବୋଲି ଜଣାପଡ଼ିଥିଲା। ରାକେଶଙ୍କର ରୋଲ୍ ନମ୍ବର ଅଲଗା ଥିଲା।

ସେହିପରି ୨ ତାରିଖରେ ନୀଳାଦ୍ରିବିହାର ଅଞ୍ଚଳର ରାଜେଶ ପ୍ରଧାନ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ସେ ଅଭିଯୋଗପତ୍ର ସହ ଦାଖଲ କରିଥିବା ଆଡମିଟ୍ କାର୍ଡ ରୋଲ୍ ନମ୍ବର ଜାଲ୍ ବୋଲି ଜଣାପଡ଼ିଥିଲା। ସେହି ରୋଲ୍ ନମ୍ବର ଅନ୍ୟ ଜଣେ ଯୁବକଙ୍କର ବୋଲି ଅନୁସନ୍ଧାନ ବେଳେ ପଦାକୁ ଆସିଥିଲା। ପ୍ରିଲିମ୍ ପରୀକ୍ଷାର ଯେଉଁ ଆଡମିଟ୍ କାର୍ଡ ଦାଖଲ କରିଥିଲେ, ତାହାକୁ ଫଟୋସପ୍ କିମ୍ବା ଏଡିଟ୍ କରି ଜାଲିଆତି କରିଥିବା ଜଣାପଡ଼ିଥିଲା। କମିସନ୍‌ ଏହି ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରିଥିଲେ। ଗତକାଲି ରାତିରେ ଷ୍ଟାଫ ସିଲେକ୍ସନ୍ କମିସନ ସଚିବ ଏ.କେ ମହାନ୍ତି ଏ ନେଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାସହ ଦୁଇଜଣଙ୍କ ଆବେଦନପତ୍ର, ଆଡମିଟ୍ କାର୍ଡ, ଆଟେଣ୍ଡାନ୍ସ ରେଜିଷ୍ଟର ଦାଖଲ କରାଯାଇଥିଲା।

ସମ୍ବନ୍ଧିତ ଖବର