ମାଗଣା ନୁହେଁ, ଆମେ ଟଙ୍କାଏ ନେଇ ଖାଦ୍ୟ ଦେବୁ: ଅପରାଜିତା
ଅଲବତ୍ ଖାଦ୍ୟ ବାଣ୍ଟିବୁ, ଆମକୁ କେହି ଅଟକାଇ ପାରିବେନି: ସୁର
ମାଗଣା ବାଣ୍ଟିବା ଉପରେ ରୋକ୍ ଲାଗିନି, ଅନୁମତି ନେବାକୁ କୁହାଯାଇଛି: ବିଏମ୍ସି
ଭୁବନେଶ୍ବର : ରାଜଧାନୀରେ ରାସ୍ତାକଡ଼ରେ ରହୁଥିବା କୌଣସି ଲୋକଙ୍କୁ କେହି ପୋଷାକ କି ଖାଦ୍ୟ ବାଣ୍ଟିପାରିବେନି। ଯେଉଁମାନେ ଖାଦ୍ୟ, ପୋଷାକ ବାଣ୍ଟିବାକୁ ଚାହୁଁଥିବେ ସେମାନେ ବିଏମ୍ସିରୁ ଅନୁମତି ନେଇ ସହରାଞ୍ଚଳ ଆଶ୍ରୟସ୍ଥଳରେ ବାଣ୍ଟିପାରିବେ। ବିଏମ୍ସିର ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ନିକଟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆରମ୍ଭ କରିଥିବା ‘ଅନ୍ନପୂର୍ଣ୍ଣା’ ଯୋଜନାକୁ ବନ୍ଦ କରିବା ଲାଗି ବିଏମ୍ସି ଏଭଳି କରିଥିବା ଅପରାଜିତାଙ୍କ ସମର୍ଥକମାନେ କହୁଥିବାବେଳେ ଖୋଦ୍ ଅପରାଜିତା ଆଜି ଅଚାନକ ତାଙ୍କ ଯୋଜନାର ରୂପରେଖ ବଦଳାଇ ଏହା ମାଗଣା ନୁହେଁ, ଟଙ୍କାଏ ଲେଖାଏଁ ନେଇ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯିବ ବୋଲି ଟୁଇଟ୍ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ବିଏମ୍ସିର ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି, ‘ଆମେ ଲୋକଙ୍କୁ ଅଲବତ୍ ମାଗଣାରେ ବାଣ୍ଟିବୁ, ଆମକୁ କେହି ଅଟକାଇ ପାରିବୁନି।’
ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ‘ଅନ୍ନପୂର୍ଣ୍ଣା ଯୋଜନାରେ ଖାଦ୍ୟ ମାଗଣାରେ ଦିଆଯିବନି। ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ। ତେଣୁ ଏହା ବିଏମ୍ସିର କଟକଣା ଭିତରେ ଆସୁନାହିଁ।’ ବିଏମ୍ସିର ଏହି ବିଜ୍ଞପ୍ତି ସାଂସଦ ଅପରାଜିତାଙ୍କ ‘ଅନ୍ନପୂର୍ଣ୍ଣା’ ଯୋଜନାକୁ ଲକ୍ଷ୍ୟ ରଖି ପ୍ରକାଶ ପାଇଥିବା କୁହାଯାଉଥିବାବେଳେ ବିଏମ୍ସି କର୍ତ୍ତୃପକ୍ଷ କିନ୍ତୁ ଏହାକୁ ଅସ୍ବୀକାର କରିଛନ୍ତି।
ଅପରାଜିତା ଆଜି ଏମିତି କହିଥିଲେ ହେଁ, ବିଏମ୍ସିର ବିଜ୍ଞପ୍ତି ପରେ ସେ ତାଙ୍କ ଯୋଜନା ବଦଳାଇ ଦେଇଥିବା ସ୍ପଷ୍ଟ ହୋଇଛି। କାରଣ ଗତ ୭ ତାରିଖରେ ସେ ‘ଅନ୍ନପୂର୍ଣ୍ଣା’ ଯୋଜନା ଆରମ୍ଭ କରିବାବେଳେ କହିଥିଲେ ଯେ ବସ୍ତି, ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳ, ବଜାରରେ ଖାଦ୍ୟ ଅଭାବରୁ ଭୋକିଲା ରହୁଥିବା ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଯିବ। ଏବେ ଭୁବନେଶ୍ବରରେ ଲୋକଙ୍କୁ ମାଗଣାରେ ଦିଆଯିବ, ପରେ ସାରା ରାଜ୍ୟରେ ଏହି ଯୋଜନା ଆରମ୍ଭ ହେବ। ଖାଦ୍ୟ ସଂଗ୍ରହ, ପ୍ରସ୍ତୁତି ଓ ବିତରଣ ପାଇଁ ପ୍ରଥମ ବର୍ଷ ପ୍ରାୟ ୪୦ଲକ୍ଷ ଟଙ୍କା ଦରକାର। ଏଥିପାଇଁ ଓଡ଼ିଶା, ଓଡ଼ିଶା ବାହାରର ଏବଂ ବିଦେଶର କିଛି ବଦାନ୍ୟ ବ୍ୟକ୍ତି ଦାନ କରିଛନ୍ତି।’
/sambad/media/post_attachments/wp-content/uploads/2021/01/Basti-people.jpg)
ଉଲ୍ଲେଖଯୋଗ୍ୟ ଯେ ଅପରାଜିତା ଯେଉଁ ‘ଅନ୍ନପୂର୍ଣ୍ଣା’ ଯୋଜନା ଆରମ୍ଭ କରିଛନ୍ତି, ତାହା କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ବା ସ୍କିମ୍ ନୁହେଁ। ୫ଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା ରୋଟାରୀ ଜିଲ୍ଲା(୩୨୬୨)ଭୁବନେଶ୍ବର, ସୋ ଆମ୍ ଆଇ ଫାଉଣ୍ଡେସନ୍ ଟ୍ରଷ୍ଟ, ଉମେଶ ଖଣ୍ଡଲୱାଲ ଫାଉଣ୍ଡେସନ୍, ୟୁଥ୍ ଫର୍ ଆକସନ୍, ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍ ଆଦିକୁ ମିଶାଇ ଏକ ନୂଆ ଟ୍ରଷ୍ଟ କରାଯାଇଛି, ଯାହାର ମୁଖ୍ୟ ପରାମର୍ଶଦାତା ଅଛନ୍ତି ଅପରାଜିତା। ଏହି ଟ୍ରଷ୍ଟ ଜରିଆରେ ସହରବାସୀଙ୍କ ପାଇ ‘ଅନ୍ନପୂର୍ଣ୍ଣା’ ଯୋଜନା କରାଯାଇଛି।
ଅପରପକ୍ଷେ ବିଏମ୍ସିର ଅତିରିକ୍ତ କମିସନର ଅବନି ପଟ୍ଟନାୟକ କହିଛନ୍ତି ଯେ, ରାଜଧାନୀରେ ମାଗଣାରେ ଖାଦ୍ୟ, ପୋଷାକ ବାଣ୍ଟିବା ଉପରେ ରୋକ୍ ଲାଗିନି। କେବଳ ବିଏମ୍ସିରୁ ଅନୁମତି ନେବାକୁ କୁହାଯାଇଛି। ବିଏମ୍ସି ଅଜାଣତରେ ଲୋକଙ୍କୁ ଖାଦ୍ୟ ଦିଆଯାଉଥିବାରୁ ଏବଂ କେହି ତଦାରଖ କରିବାକୁ ନଥିବାରୁ କିଛି ଲୋକ, ସଂସ୍ଥା ରାସ୍ତାକଡ଼ରେ ରହୁଥିବା ଲୋକଙ୍କୁ ବାସି, ସଢ଼ା ଖାଦ୍ୟ ଦେବାର ଆଶଙ୍କା ରହୁଛି। ଏହାଦ୍ବାରା ସେମାନଙ୍କ ଜୀବନ ପ୍ରତି ବିପଦ ରହୁଛି। ହଠାତ୍ ହଇଜା, ଝାଡ଼ାବାନ୍ତି ଆକ୍ରାନ୍ତ ହୋଇପାରନ୍ତି। ତେଣୁ ବିଏମ୍ସିକୁ ଅବଗତ କରି, ଖାଦ୍ୟର ମାନ ଯାଞ୍ଚ କରି ବାଣ୍ଟିବା ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି।
ସେହିପରି କେହି ପୋଷାକ କି କୌଣସି ସାମଗ୍ରୀ ରାସ୍ତା ଉପରେ ବାଣ୍ଟିଲେ ଲୋକମାନେ ଟଣାଓଟରା କରୁଛନ୍ତି, ରାସ୍ତା ଜାମ୍ ହେଉଛି। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଏହାଛଡ଼ା ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ରାଜ୍ୟ ସରକାର ଭୁବନେଶ୍ବରକୁ ଭିକାରିମୁକ୍ତ ସହର କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏହି ଯୋଜନା ସଫଳ ହେବାକୁ ହେଲେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ସହ ଦାତାଙ୍କ ସହଯୋଗ ଦରକାର। ଏହାକୁ ନଜରରେ ରଖି କେବଳ ବିଏମ୍ସି ଆଶ୍ରୟସ୍ଥଳରେ ବ୍ୟବସ୍ଥିତ ଢଙ୍ଗରେ ଖାଦ୍ୟ, ପୋଷାକ ଆଦି ବାଣ୍ଟିବା ବ୍ୟବସ୍ଥା କରାଯାଇଛି।
ଷ୍ଟେସନ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲା ବିଏମ୍ସି : ରେଳ ଷ୍ଟେସନରେ ବି କେହି ବାସହରା ଆଶ୍ରୟ ନେବେନି
ଭୁବନେଶ୍ବର ରେଳ ଷ୍ଟେସନରେ ଯେପରି କେହି ବାସହରା ଶୋଇବେନି ସେନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଭୁବନେଶ୍ବର ରେଳ ଷ୍ଟେସନର ଷ୍ଟେସନ ନିର୍ଦ୍ଦେଶକଙ୍କୁ ଆଜି ବିଏମ୍ସି ଚିଠି ଲେଖିଛି। ବିଏମ୍ସିର ଡେପୁଟି କମିସନର କମଳାକାନ୍ତ ବେହେରା କହିଛନ୍ତି ଯେ, ରେଳ ଷ୍ଟେସନ ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ବହୁ ଭିକାରି ଓ ବାସହରା ଲୋକ ଆଶ୍ରୟ ନେଉଛନ୍ତି। ତେଣୁ ସେମାନଙ୍କ ରହଣି ବ୍ୟବସ୍ଥା ଷ୍ଟେସନ କର୍ତ୍ତୃପକ୍ଷ କରିବାକୁ କୁହାଯାଇଛି। ଏହା ସହ ଷ୍ଟେସନର ବିଭିନ୍ନ ସ୍ଥାନରେ ବିଏମ୍ସିର ଦୁଇଟି ଆଶ୍ରୟସ୍ଥଳୀ ସମ୍ବନ୍ଧରେ ସୂଚନା ଦେବାକୁ କୁହାଯାଇଛି। ଏନେଇ ବିଭିନ୍ନ ସ୍ଥାନରେ ସାଇନ୍ ବୋର୍ଡ ଲଗାଇବେ। ଷ୍ଟେସନ ଏବଂ ଏହା ନିକଟରେ ଶୋଉଥିବା ଲୋକଙ୍କୁ ଖାରବେଳନଗରରେ ଥିବା ସୋସିଓ ଇକ୍ୟୁଟି ସେଣ୍ଟର କିମ୍ବା ଅଶୋକନଗରସ୍ଥିତ ଆଶ୍ରୟସ୍ଥଳକୁ ପଠାଇବେ। ଏହି ଦୁଇ ଆଶ୍ରୟସ୍ଥଳର ପରିଚାଳନା ଦାୟିତ୍ବରେ ଥିବା ସଂସ୍ଥାର ନମ୍ବର ମଧ୍ୟ ଷ୍ଟେସନ ନିର୍ଦ୍ଦେଶକଙ୍କୁ ଦିଆଯାଇଛି। ଷ୍ଟେସନରେ ଯେପରି କେହି ବାସହରା କି ଭିକାରି ଶୋଇବେନି ତାହା ଷ୍ଟେସନ ନିର୍ଦ୍ଦେଶକ ନିଶ୍ଚିତ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/annapurna.jpg)