ଜେଡ୍‌ଏନ୍‌ଏମ୍‌ଡି ଗ୍ରୁପ୍‌ର ମାଗଣା ଚିକିତ୍ସା ଶିବିର: ‘ସମାଜ ପାଇଁ ସମୟ ଦେବ’

ଭୁବନେଶ୍ବର: ହୁଏତ ଏ ଜୀବନ ଦ୍ବିତୀୟ ବାର ମିଳିନପାରେ।‌ ତେଣୁ ଚାଲ, ନିଜ ଜୀବନରୁ କିଛି ସମୟ କାଢ଼ି ସମାଜ ସେବାରେ ଲଗାଇବା। ଖାସ୍‌ ଏମିତି ଏକ ଉଦ୍ଦେଶ୍ୟ ନେଇ ଗଢ଼ି ଉଠିଥିବା ‘‌ଜିନ୍ଦେଗି ନା ମିଲେଗି ଦୋବାରା’ ଅର୍ଥାତ ଜେଡ୍‌ଏନ୍‌ଏମ୍‌ଡି ଗ୍ରୁପ୍‌ ସମାଜରେ ଖୁସି ବାଣ୍ଟିବା ପାଇଁ ଆଗେଇ ଆସିଛି। ଆଜି ଜେଡ୍‌ଏନ୍‌ଏମ୍‌ଡି ଗ୍ରୁପ୍‌ ଓ ‘ଇ-ଥ୍ରି’ ମିଳିତ ଭାବେ ବନ୍ଦୀ ଜୀବନ ଭୋଗୁଥିବା ପିତାମାତାଙ୍କ ପିଲାମାନେ ପଢ଼ୁଥିବା ମଧୁରମୟୀ ଆଦର୍ଶ ଶିକ୍ଷା ନିକେତନରେ ଆୟୋଜନ କରିଥିଲେ ‘ମୁକ୍ତ ଚିକିତ୍ସା ଶିବିର’ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ। ଏହି ଅବସରରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ବରିଷ୍ଠ ଆଇଏଫ୍‌ଏସ୍‌ ଅଧିକାରୀ ରାଜୀବ କୁମାର, ଭରଦ୍ବାଜ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସାଂସଦ ଶ୍ରୀ ପଟ୍ଟନାୟକ ଉପସ୍ଥିତ ପିଲାଙ୍କୁ ସମ୍ବୋଧନ କରି କହିଲେ, ଚାକିରି ତ ନିଜ ପାଇଁ କରିବ କିନ୍ତୁ ସମାଜ ପାଇଁ ମଧ୍ୟ କିଛି ସମୟ ବାହାର କରିବ। ଓଡ଼ିଶା ପତିତା ଉଦ୍ଧାର ସମିତିର ସମ୍ପାଦିକା ତଥା ମଧୁରମୟୀ ଶିକ୍ଷା ନିକେତନକୁ ମାନସ କନ୍ୟା ଭାବେ ଗଢ଼ିଥିବା ଆଭାରାଣୀ ଚୌଧୁରୀ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା ନିକେତନର ଅଧ୍ୟକ୍ଷା ନିରୋଜା ମହାପାତ୍ର ଉପସ୍ଥିତ ଥିଲେ। ଡାକ୍ତର ନାରାୟଣ ପ୍ରସାଦ ମୋଦୀ ଓ ଡାକ୍ତର ଅନୁପ କୁମାର ବୁଦ୍ଧିଆ ପିଲାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ବିତରଣ କରିଥିଲେ। ଶିକ୍ଷା ନିକେତନ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଜେଡ୍‌ଏନ୍‌ଏମ୍‌ଡି ଗ୍ରୁପ୍‌ର ରିତୁ, ଅର୍ଚ୍ଚନା, ସୋନାଲ୍‌, ନିତୁ, ସଂଗୀତା, ଦୀପା, ନିଲମ୍‌ ଓ ରଶ୍ମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର