ଭୁବନେଶ୍ବର : ମୋ ବସ୍ରେ ଯାତ୍ରା କରୁଥିବା ଲୋକ ଏଣିକି ବସ୍ ଭିତରେ ଖବରକାଗଜ ପଢ଼ିବାର ସୁଯୋଗ ପାଇବେ। ଆଜିଠାରୁ ସମସ୍ତ ଏସି ବସ୍ରେ ଇଂରାଜୀ ଖବର କାଗଜ ଯୋଗାଇ ଦିଆଯାଇଥିବା ବେଳେ ଆଗାମୀ ଦିନରେ ସମସ୍ତ ନନ୍-ଏସି ବସ୍ରେ ଓଡ଼ିଆ ଖବର କାଗଜ ଯୋଗାଇ ଦିଆଯିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।
କ୍ରୁଟ୍ର କାର୍ମିକ ଓ ପ୍ରାଶାସନିକ ବିଭାଗର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ଯେ ଦୈନିକ ଯାତ୍ରୀମାନଙ୍କ ମଧ୍ୟରେ ପଢ଼ିବାର ଅଭ୍ୟାସକୁ ପ୍ରୋତ୍ସାହିତ ଏବଂ ବିକଶିତ କରିବା ପାଇଁ କ୍ରୁଟ୍ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି। ସକାଳୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏହା ବେଶ ଫଳପ୍ରଦ ହେବ। ଅଧିକରୁ ଅଧିକ ଯାତ୍ରୀମାନଙ୍କୁ ଏହି ସେବା ସହ ଯୋଡ଼ିବା ନିମନ୍ତେ ଆମେ ଲକ୍ଷ୍ୟ ରଖିଛୁ। ଏହାଦ୍ବାରା ଯାତ୍ରୀମାନେ ଅଯାଚିତ ସ୍ମାର୍ଟ ଫୋନ୍ ବ୍ୟବହାରଠାରୁ ଦୂରେଇ ରହିବେ। ଏହାସହ ଆଗାମୀ ଦିନରେ ମୋ ବସ୍ଗୁଡ଼ିକରେ ଦୂରଭାଷ ପାଠାଗାରର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଯୋଜନା ଅଛି ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି। ଆଜି ସକାଳେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଯାତ୍ରୀଙ୍କୁ ଖବରକାଗଜ ବାଣ୍ଟି ଏହି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ।