ଚନ୍ଦ୍ରଶେଖରପୁର : ସାଧାରଣ ଲୋକଙ୍କ ପାଇଁ ମାଗଣା ଓ୍ଵାଇଫାଇ ସେବା ଯୋଗାଇ ଦେବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏନ୍‌ଜିଓ ଓ କର୍ପୋରେଟ୍‌ ସଂସ୍ଥାଗୁଡ଼ିକୁ ଆହ୍ଵାନ କରାଯାଇଥିଲା। ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରା) ଏହି ଆହ୍ଵାନକୁ ଗ୍ରହଣ କରିବା ସହିତ ରେଳପଥର ପରିସୀମା ମଧ୍ୟରେ ଆସୁଥିବା ପ୍ରାୟ ୩୨ଟି ଷ୍ଟେସନ୍‌ରେ ମାଗଣା ଓ୍ଵାଇଫାଇ ସେବା ପ୍ରଦାନ କରିଛି।

Advertisment

ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ବିଭିନ୍ନ ଦୁର୍ଗମ ଆଦିବାସୀ ବହୁଳ ଅଞ୍ଚଳର ବିଭିନ୍ନ ଷ୍ଟେସନ୍‌ରେ ଏହି ସେବା ପ୍ରଦାନ କରାଯାଇଛି। ଏହି ଷ୍ଟେସନ୍‌ଗୁଡ଼ିକ ଅତ୍ୟନ୍ତ ଛୋଟ ଏବଂ ରେଳବାଇର ମାନଦଣ୍ଡ ଅନୁଯାୟୀ ମାଗଣା ଓ୍ଵାଇଫାଇ ସେବା ଯୋଗାଇବା ପରିସରରେ ଆସୁନାହିଁ। ମାଗଣା ଓ୍ଵାଇଫାଇ ସେବା ନିମନ୍ତେ ଏହି ସବୁ ଷ୍ଟେସନଗୁଡ଼ିକୁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିଥାନ୍ତା। ମାତ୍ର ଇକୋରା ଏହି ସବୁ ଅଞ୍ଚଳରେ ଇଣ୍ଟରନେଟ୍‌ର ଆବଶ୍ୟକତାକୁ ଉପଲବ୍ଧି କରି ସଂଗଠନର ଅଧ୍ୟକ୍ଷା ମଧୁଲିକା ସିଂହ ଏହି ଷ୍ଟେସନଗୁଡ଼ିକରେ ଓ୍ଵାଇଫାଇ ସେବା ପ୍ରଦାନ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିବା ସହିତ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଗଭର ହୋଇଛନ୍ତି। ଏହା ଫଳରେ ଜନସାଧାରଣ ବିଭିନ୍ନ ଅନ୍‌ଲାଇନ୍‌ କାର୍ଯ୍ୟ ସହିତ ଅନ୍ୟାନ୍ୟ ସରକାରୀ ଯୋଜନା ଓ ଟ୍ରେନ୍‌ ବସ୍‌ ପାଇଁ ଇ-ଟିକେଟ୍‌ କ୍ରୟ କରିପାରିବେ। ଡିଜିଟାଲ୍‌ ଭାରତର ସଫଳ ଉଦ୍ୟମର ଏକ ପ୍ରୟାସ ସ୍ୱରୂପ ଏହି ସେବା ସଂପୃକ୍ତ ଅଞ୍ଚଳରେ ଯୁବଗୋଷ୍ଠୀ ଓ ବିଦ୍ୟାର୍ଥୀମାନଙ୍କୁ ସଶକ୍ତ କରାଇବାର ଏକ ମାଧ୍ୟମ ପାଲଟିବା ନେଇ ଇକୋରା ଅଧ୍ୟକ୍ଷା ଶ୍ରୀମତୀ ସିଂହ ପ୍ରକାଶ କରିଛନ୍ତି।