ଭୁବନେଶ୍ବର: ଲୋକଙ୍କୁ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବା ପାଇଁ ପୂର୍ବ ସରକାରଙ୍କ ଅମଳରେ ଆରମ୍ଭ ହୋଇଥିଲା ‘ଭୁବନେଶ୍ବର ମି ୱାଇଫାଇ’ ଯୋଜନା। ବର୍ତ୍ତମାନ ଏହି ଯୋଜନାରେ ରାଜଧାନୀର ବିଭିନ୍ନ ସ୍ଥାନରେ ୫୧୫ଟି ହଟ୍ସ୍ପଟ୍ ସ୍ଥାପନ କରାଯାଇ ୧୬୦୧ଟି ୱାଇଫାଇ ଆକ୍ସେସ ପଏଣ୍ଟ ଯୋଗାଇ ଦିଆଯାଇଛି। ୩୦ ଏମ୍ବିପିଏସ୍ ସ୍ପିଡ୍ରେ ଏହି ସେବା ଉପଲବ୍ଧ କରାଯାଇଛି। ଜଣେ ବ୍ୟକ୍ତି ଦିନକୁ ୧ଜିବି ଡାଟା ମାଗଣା ପାଇବା ସୁବିଧା ଏଥିରେ ରହିଛି।
ରାଜଧାନୀରେ ଏହି ସେବା ଆରମ୍ଭ ପାଇଁ ୧୦ରୁ ୧୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିସହିତ ମାସିକ ପ୍ରାୟ ୩ ଲକ୍ଷ ଟଙ୍କା ପରିଚାଳନା ଓ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ ହେଉଛି। କିନ୍ତୁ ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ଏବଂ ବାପୁଜୀନଗରସ୍ଥିତ ସନ୍ଥକବି ଭୀମ ଭୋଇ ପାଠାଗାର ଭଳି ଅଳ୍ପ କେତୋଟି ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ଏହାର ସେତେଟା ବ୍ୟବହାର ହେଉ ନଥିବା ଜଣାଯାଇଛି। ବରମୁଣ୍ଡାରେ ବିଭିନ୍ନ ସ୍ଥାନକୁ ବସ୍ ଯୋଗେ ଯାତାୟାତ କରୁଥିବା ବ୍ୟକ୍ତି ଏବଂ ଭୀମ ଭୋଇ ପାଠାଗାରରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଏହି ସେବାର ଅଧିକ ବ୍ୟବହାର କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯେଉଁସବୁ ସ୍ଥାନରେ ୱାଇଫାଇ ସେବାର କମ୍ ବ୍ୟବହାର ହେଉଛି ତାହାକୁ ପାର୍କ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ସ୍ଥାନାନ୍ତର ଯୋଜନା ହୋଇଛି।
ସ୍ମାର୍ଟସିଟି ଲିମିଟେଡର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀର ୯ଟି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏହି ସୁବିଧା ସ୍ଥାପନ ପାଇଁ କାର୍ଯ୍ୟ ଚାଲିଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଏଥିପାଇଁ ବିଏସ୍ଏନ୍ଏଲ୍ ସହ ମିଶି ସର୍ଭେ କରାଯାଇଛି। ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଏବଂ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ରହିଛି। ଏଥିସହିତ ସର୍ବସାଧାରଣ ସ୍ଥାନରେ ପ୍ରଦର୍ଶନୀ ଓ ମେଳା ଆୟୋଜନ ସମୟରେ କ୍ଷମତାଠାରୁ ଅଧିକ ଲୋକ ଟେଲିଫୋନ୍ ବ୍ୟବହାର କରୁଛନ୍ତି। ଏଥିପାଇଁ ୟୁପିଆଇ ସେବା ବାଧାପ୍ରାପ୍ତ ହେଉଛି। ତାହାକୁ ଦୃଷ୍ଟିରେ ରଖି ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆ ଏବଂ ଜନତା ମଇଦାନ ଭଳି ସ୍ଥାନରେ ହଟସ୍ପଟ୍ ସ୍ଥାପନ କରାଯାଇ ଲୋକଙ୍କୁ ୱାଇଫାଇ ସେବା ଯୋଗାଇ ଦିଆଯାଉଛି। ଫଳରେ ୟୁପିଆଇ ପେମେଣ୍ଟ ସେବା ସୁରୁଖୁରୁରେ ସମ୍ପାଦନ କରାଯାଇ ପାରୁଛି ବୋଲି ଜଣେ ଅଧିକାରୀ କହିଛନ୍ତି।
ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୫ରୁ ୩୧ ତାରିଖ ମଧ୍ୟରେ ରାଜଧାନୀରେ ଏହି ଯୋଜନାର ଲାଭ ୨୭,୪୨୦ ଜଣ ଉଠାଇଛନ୍ତି। ମୋଟ ୬୮୦୧ ଜିବି ଡାଟା ବ୍ୟବହାର ହୋଇଛି। ଏଥିରୁ ୫୯୬୬.୬୪ ଜିବି ଡାଟା ଡାଉନଲୋଡ୍ ପାଇଁ ଏବଂ ୮୩୪.୦୨ ଜିବି ଡାଟା ଅପଲୋଡ୍ ପାଇଁ ବ୍ୟବହାର କରାଯାଇଛି। ଏସଂକ୍ରାନ୍ତ ତଥ୍ୟ ବିଶ୍ଳେଷଣରୁ ଜଣାଯାଇଛି ଯେ ରାଜଧାନୀରେ ଦିନକୁ ପ୍ରାୟ ୪୦୦ ଜିବି ଡାଟା ଏହି ଯୋଜନାରେ ଲୋକମାନେ ବ୍ୟବହାର କରୁଛନ୍ତି। ସେହିଭଳି ଦିନକୁ ପ୍ରାୟ ୧୬୦୦ ଲୋକ ଏହି ସେବାର ଉପଯୋଗ କରୁଛନ୍ତି। ଡାଉନ୍ଲୋଡ୍ରେ ୩୫୦ ଜିବି ଓ ଅପଲୋଡ୍ରେ ୫୦ ଜିବି ଡାଟା ଦିନକୁ ବ୍ୟବହାର ହେଉଛି। ଏହି ସେବାକୁ କିଭଳି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଯିବ ସେ ନେଇ ପ୍ରଚେଷ୍ଟା ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ବିଶେଷକରି ରାଜଧାନୀର ଯେଉଁସବୁ ସ୍ଥାନରେ ଏସବୁ ସୁବିଧା ରହିଛି ତାହା ଲୋକଙ୍କୁ ଜଣାଇବାର ଆବଶ୍ୟକତା ରହିଛି। ଫଳରେ ସ୍ମାର୍ଟଫୋନ ଥାଇ ମଧ୍ୟ ଯେଉଁମାନେ ଅର୍ଥ ଅଭାବରୁ ଡାଟା ବ୍ୟବହାର କରି ପାରୁ ନାହାନ୍ତି ସେମାନେ ଅନାୟାସରେ ଏହାର ଉପଯୋଗ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/10/untitled-6-2025-09-10-06-34-38.jpg)