ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ସ୍ମାର୍ଟ କାରନାମା-୩ : ମାଗଣା ଦୂର କଥା, ନେଟୱର୍କ ବି ନାହିଁ, କାମରେ ଲାଗୁନି ୱାଇଫାଇ

ଆରମ୍ଭ ହେବାର କିଛି ମାସ ପରେ ଅଚଳ, ଯାହା ଥିଲା ଫନିରେ ଭୁଶୁଡ଼ି ଯାଇଥିଲା

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହକି ବିଶ୍ବକପ୍‌ ପୂର୍ବରୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ରାଜଧାନୀରେ ୱାଇଫାଇ ସେବା ଆରମ୍ଭ କରିଥିଲେ। ସେତେବେଳେ କୁହାଗଲା ପୂରା ଭୁବନେଶ୍ବରରେ ଲୋକଙ୍କୁ ମାଗଣା‌େର ୱାଇଫାଇ ମିଳିବ। ମାଗଣାରେ ବି ପ୍ରତିଦିନ ୩୦ମିନିଟ ପର୍ଯ୍ୟନ୍ତ ୱାଇଫାଇ ସେବା ମିଳିଲା। ଭୁବନେଶ୍ବର ମି ୱାଇଫାଇ ଯୋଜନାରେ ଏହି ୱାଇଫାଇ ସେବା ଲୋକ ପାଇଲେ। ରାଜଧାନୀର ପ୍ରମୁଖ ଛକ, ବଜାରରେ ଲୋକ ଭୁବନେଶ୍ବର ମି ୱାଇଫାଇ ୱାୟରଲେସ୍‌ ନେଟୱର୍କରେ ଲଗ୍‌ଇନ୍‌ କରି ଏହି ସେବା ପାଇଲେ। କିନ୍ତୁ ମାତ୍ର ଦିନ କେଇଟାରେ ଏହା ଫୁସ୍‌ ହୋଇଗଲା। କିଛି ଦିନ ମୋବାଇଲରେ ୱାଇଫାଇ ସ୍କାନ୍‌ କଲେ ଭୁବନେଶ୍ବର ମି ୱାଇଫାଇ ନେଟୱର୍କ ଆସିଲା। କିନ୍ତୁ ଇଣ୍ଟ‌ରନେଟ୍‌ ଗତି ଧିମେଇ ଗଲା। ଆଉ ଏବେ ତ ଏହି ନେଟୱର୍କ ବି ଆସୁନି। ମାଗଣାରେ ଇଣ୍ଟରନେଟ୍‌ ବ୍ୟବହାର ଦୂର କଥା।

ନଭେମ୍ବର ୫,୨୦୧୮‌େର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମି ୱାଇଫାଇ ସେବାର ଉଦ୍‌ଘାଟନ କରିଥିଲେ। ସ୍ମାର୍ଟ ସିଟିରେ ଏବେ ସବୁ କାମ ସ୍ମାର୍ଟ ତରିକାରେ କରିବା ପାଇଁ ଏହି ୱାଇଫାଇ ସେବା ସହାୟକ ହେବ ବୋଲି କର୍ତ୍ତୃପକ୍ଷ କହିଥିଲେ। ଲୋକଙ୍କୁ ପ୍ରତିଦିନ ଅଧଘଣ୍ଟା ମାଗଣାରେ ଇଣ୍ଟରନେଟ୍ ବ୍ୟବହାର କରିବାର ସୁଯୋଗ ମିଳିବ। ଏଥିରେ ପ୍ରତି ଗ୍ରାହକଙ୍କୁ ୨୫୦ଏମ୍‌ବି ଇଣ୍ଟ‌ରନେଟ୍ ମାଗଣାରେ ଉପଲବ୍ଧ ହେବ। କିନ୍ତୁ ଯେଉଁଦିନ ଏହି ସେବା ଆରମ୍ଭ ହେଲା ତାର ଠିକ୍‌ ୭ଦିନ ପରଠାରୁ ଇଣ୍ଟରନେଟ୍ ସେବା ଧିମେଇ ଗଲା। ୱାଇଫାଇ ଲଗ୍ଇନ୍‌ ହେଲା। କିନ୍ତୁ ବିଭିନ୍ନ ସାଇଟ୍‌ ଖୋଲିଲାନି। ଲୋକମାନେ ମୋବାଇଲ୍‌କୁ ଉପରକୁ କିଛି ସମୟ ଉଠାଇକି ରଖିବା ପରେ ସାଇଟ୍‌ ଖୋଲିଲା। ଏହାପରେ ତ ୱାଇଫାଇ ଗତି ଧିମେଇ ଧିମେଇ ଗଲା। ଯାହା ଥିଲା ମେ ୩, ୨୦୧୯ରେ ହୋଇଥିବା ବାତ୍ୟାରେ ଭୁଶୁଡ଼ିଗଲା। ଆଉ ଏବେ ତ ଲୋକେ ମାଗଣା ୱାଇଫାଇ ମିଳୁଥିଲା ବୋଲି ଭୁଲିଗଲେଣି।

କେବଳ ସହରରେ ନୁହେଁ ରାଜଧାନୀରେ ଗଡ଼ୁଥିବା ୨୦୦ ମୋ ବସ୍‌ରେ ବି ୱାଇଫାଇ ସେବା ଉପଲବ୍ଧ ହେବାର ଥିଲା। ତାହାର ଅବସ୍ଥା ବି ସମାନ।

ୱାଇଫାଇ ସେବା ଭୁଶୁଡ଼ିଯିବାର ପ୍ରମୁଖ କାରଣ ଥିଲା ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କର ନିଜସ୍ବ ବ୍ୟାଣ୍ଡୱିଡ୍‌ଥ ନଥିଲା। ହକି ବିଶ୍ବକପ୍‌ ପୂର୍ବରୁ ଏକ ଘରୋଇ କମ୍ପାନିଠାରୁ ଭଡ଼ାରେ ବ୍ୟାଣ୍ଡୱିଡ୍‌ଥ କିଣି ୱାଇଫାଇ ସେବା ଯୋଗାଇଲେ। ହେଲେ କିଛି ଚୁକ୍ତି ହୋଇନଥିବାରୁ ଏବଂ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଘରୋଇ ସଂସ୍ଥାକୁ ଦେୟ ଦେବାରେ ସମସ୍ୟା କରିବାରୁ ସେ ଇଣ୍ଟରନେଟ୍‌ ସେବା ଦେଲାନି। ଏହାପରେ ବିଏସ୍‌ଏନ୍‌ଏଲ୍‌ ଠାରୁ ବ୍ୟାଣ୍ଡୱିଡ୍‌ଥ କିଣି ୱାଇଫାଇ ସେବା ଦେଲେ। କିନ୍ତୁ ଯେତିକି ବ୍ୟବହାର ହେଲା ତାହା‌ ଠାରୁ ଅଧିକ ବିଲ୍‌ ଆସିବାରୁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ବିଲ୍‌ ଦେୟ ଦେଲେନି। ବିଏସ୍‌ଏନ୍‌ଏଲ୍‌ ବି ଇଣ୍ଟରନେଟ୍‌ ସେବା ବନ୍ଦ କରିଦେଲା। ବାତ୍ୟା ପରେ ସବୁ ବନ୍ଦ ହୋଇଯାଇଛି।

ଏନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବିଏସ୍‌ଏନ୍‌ଏଲ୍‌ ସହ ଆମର ଯାହା ସମସ୍ୟା ଥିଲା ତାହା ସମାଧାନ ହୋଇଯାଇଛି। ଆମେ ୧୦୦ଏମ୍‌ବିପିଏସ୍‌ ଡାଟା ବ୍ୟବହାର କରୁଥିବାବେଳେ ସେମାନେ ୫୦୦ ଏମ୍‌ବିପିଏସ୍‌ର ବିଲ୍‌ ଦେଉଥିଲେ। ଆମର ଅଡିଟ୍‌ ହେଲେ ସମସ୍ୟା ହେବାର ଥିବାରୁ ଆମେ ବିଲ୍‌ ଦେଇନଥିଲୁ। ଉଭୟ ପକ୍ଷ ଆଲୋଚନା କରିବା ପରେ ଏବେ ସବୁ ଠିକ୍‌ଠାକ୍ ଚାଲିଛି। ବାତ୍ୟାରେ ହଟସ୍ପଟ୍ ଓ ଆକ୍‌ସେସ୍‌ ପଏଣ୍ଟରେ ଲାଗିଥିବା ଯନ୍ତ୍ରାଂଶ ଭାଙ୍ଗି ଯାଇଥିଲା। ବାହାର ସଂସ୍ଥାରୁ ବ୍ୟାଣ୍ଡୱିଡ୍‌ଥ କିଣି ବ୍ୟବହାର କରିବା ଅପେକ୍ଷା ଆମେ ନିଜସ୍ବ ଫାଇବର୍‌ ବିଛାଇ ନିଜର ବ୍ୟାଣ୍ଡୱିଡ୍‌ଥ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛୁ। ଏହି ଅନୁଯାୟୀ କାମ ଚାଲିଥିଲା। ହେଲେ କରୋନା ପାଇଁ ପାଇଁ ଦୁଇ ମାସ ହେଲା କାମ ବନ୍ଦ ହୋଇଗଲା। ଏବେ ଆମେ ରାତି ଦିନ କାମ କରିବାକୁ ଅନୁମତି ପାଇଛୁ। ତେଣୁ ଖୁବ୍‌ ଶୀଘ୍ର ସମସ୍ତ କାମ ଶେଷ କରି ମାଗଣା ୱାଇଫାଇ ସେବା ପୂର୍ବ ପରି ଯୋଗାଇବୁ।

ସୂଚନାଯୋଗ୍ୟ ଯେ, ଆରମ୍ଭରୁ ରାଜଧାନୀରେ ୧୦୦ଟି ହଟ୍‌ସ୍ପଟ୍ କାର୍ଯ୍ୟକ୍ଷମ ଥିବାବେଳେ ଏଥିରେ ୨୭୫ଟି ଆକ୍‌ସେସ୍‌ ପଏଣ୍ଟ ଥିଲା। ଯାହା ଏବେ କାମ କରୁନି। ଖୁବ୍‌ ଶୀଘ୍ର ପୂରା ରାଜଧାନୀରେ ୱାଇଫାଇ ସେବା ଯୋଗାଇବା ପାଇଁ ୫୧୮ଟି ହଟ୍‌ସ୍ପଟ୍ ସହ ୧୮୦୦ଟି ଆକ୍‌ସେସ୍‌ ପଏଣ୍ଟ୍‌ ରହିବ। ଇଣ୍ଟରନେଟ୍ ସ୍ପିଡ୍ ୨ଏମ୍‌ବିପିଏସ୍‌ରେ ଉପଲବ୍ଧ ହେବ। ଜଣେ ବ୍ୟକ୍ତି ଦିନକୁ ୨୫୦ଏମ୍‌ବି ମାଗଣା ଇଣ୍ଟରନେଟ୍‌ ଡାଟା ପାଇବେ।

ସମ୍ବନ୍ଧିତ ଖବର