ସଂଗ୍ରାମୀ ଦୋଳଗୋବିନ୍ଦ

ମାତ୍ର ୧୪ ବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଦେଶ ପ୍ରେମରେ ଉଦ୍‌ବୁଦ୍ଧ ହୋଇ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ୍‌ ହେବାକୁ ଆଗେଇ ଆସିଥିଲେ ସ୍ବାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ। ୧୯୨୬ ମସିହା ଜୁନ୍‌ ୨୮ ତାରିଖରେ ଜନ୍ମିତ ଦୋଳଗୋବିନ୍ଦ ୧୯୪୨ରୁ ୧୯୪୫ ମସିହା ପର୍ଯ୍ୟନ୍ତ କାରାବରଣ କରିଥିଲେ। ସେହିଦିନଠୁ ସେ ଆଉ ‌ପଛକୁ ଫେରି ଚାହିଁନାହାନ୍ତି। ୱାର୍ଡ ମେମ୍ବର, ନାଏବ ସରପଞ୍ଚ, ସରପଞ୍ଚ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ, କଂଗ୍ରେସର ପ୍ରାଥମିକ ସଭ୍ୟ, ସକ୍ରିୟ ସଦସ୍ୟ, ବ୍ଲକ କଂଗ୍ରେସ କମିଟି ସଭାପତି, ଜିଲ୍ଲା କଂଗ୍ରେସ କମିଟି ସଦସ୍ୟ, କଟକ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ, ଅବିଭକ୍ତ କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ତୁଲାଇବା ପରେ ୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟ ଓ ମନ୍ତ୍ରୀ ଭାବେ ସେବା ଦେଇଥିଲେ। ଗାନ୍ଧିଜୀଙ୍କ ଭାବଧାରାର ପାଳନ ପ୍ରତି ସେ ସର୍ବଦା ସଜାଗ ଦୃଷ୍ଟି ଦେଇ ଆସିଥିଲେ। ଦୋଳ ବାବୁ ନିଜ ବ୍ୟକ୍ତିତ୍ବର ପରାକାଷ୍ଠାରେ ପଦବି ପାଖରେ ଲୁଚି ଯାଇନଥିଲେ। ପଦବିର ଦାସତ୍ବ ବରଣ କରିନଥିଲେ। ବରଂ ପଦବି ତାଙ୍କୁ ପାଇ ଗୌରବାନ୍ବିତ ହୋଇଥିଲା। ବାଲ୍ୟ ଜୀବନରୁ ଦାର୍ଶନିକ ଅଧ୍ୟାପକ ରତ୍ନାକର ପତି, ଜାତୀୟ କବି ବୀରକିଶୋର ଦାସଙ୍କ ସହ ଛାଇ ଭଳି ରହିଥିଲେ। ଶ୍ରୀମଦ ଭଗବତ ଗୀତାକୁ ଗୀତ ଆକାରରେ ପ୍ରସ୍ତୁତ କରିବା ସହ ଜାତୀୟ କବି ବୀରକିଶୋରଙ୍କ ରଚିତ ଜାତୀୟ ସଂଗୀତ ଗୁଡ଼ିକର ଗ୍ରନ୍ଥାବଳୀ ଏବଂ ସ୍ବାଧୀନତା ସଂଗ୍ରାମର ଝଲକ ‘ଗାନ୍ଧୀକଥା’ ସଂକଳନ କରି ଓଡ଼ିଶା ସ୍ବାଧୀନତା ସଂଗ୍ରାମ ସମ୍ବନ୍ଧୀୟ ଏକ ଦଲିଲର ଅଭାବକୁ ପୂରଣ କରିଥିଲେ। ଏହି ମହାନ ଆତ୍ମା ଆମକୁ ଛାଡ଼ି ଚାଲିଯିବା ଏକ ବର୍ଷ ହେବାକୁ ଯାଉଛି। ଆଜି ଦୋଳବାବୁଙ୍କ ୯୪ତମ ଜନ୍ମ ଦିବସରେ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି।

– ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

ସମ୍ବନ୍ଧିତ ଖବର