ଆଖି ବୁଜିଲେ ସ୍ୱାଧୀନତା ସଂଗ୍ରାମୀ ଡାକ୍ତର ନରହରି

ବାଲିପାଟଣା : ବାଲିପାଟଣା ବ୍ଲକର ଜଣାଶୁଣା ସ୍ୱାଧୀନତା ସଂଗ୍ରାମୀ ତଥା ହୋମିଓପାଥିକ୍‌ ଡାକ୍ତର ନରହରି ସାହୁଙ୍କ ରବିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ହୋଇଥିଲା। ତାଙ୍କ ତିରୋଧାନରେ ବାଲିପାଟଣା ସମେତ ବନମାଳୀପୁର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ଏ ନେଇ ଆଜି ବନମାଳିପୁର ବଜାର ବନ୍ଦ ରହିଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ୩ ପୁଅ ଓ ୩ ଝିଅ ଉପସ୍ଥିତ ଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ।

୧୯୨୩ ମାର୍ଚ୍ଚ ୭ତାରିଖରେ ନିମାପଡ଼ା ଥାନା ଅନ୍ତର୍ଗତ ହଂସପଡ଼ା ଗ୍ରାମରେ ପିତା ସ୍ୱର୍ଗତ ସୋମନାଥ ସାହୁ ଓ ମାତା ସ୍ୱର୍ଗତା ଉଜ୍ଜଳା ସାହୁଙ୍କ କୋଳ ମଣ୍ଡିତ କରିଥିଲେ ନରହରି। ଗାନ୍ଧୀଙ୍କ ଡାକରାରେ ଯୁବକ ଭବାନୀ ପଟ୍ଟନାୟକ, ଲୋକନାଥ ସେନାପତି ନୂଆହାଟର ରାମ ମହାନ୍ତି ବନମାଳିପୁରର ଭୀମ ଚଣ୍ଡଙ୍କ ସହ ମିଶି ସେ ୧୯୪୨ମସିହାରେ ନିମାପଡ଼ା ଥାନାରେ ଝଣ୍ଡା ପୋତିଥିଲେ। ସେତେବେଳେ ସେ ଗିରଫ ହୋଇ ପୁରୀ ଜେଲରେ ୩ବର୍ଷ ସଜା କାଟିଥିଲେ। ଜେଲରୁ ଖଲାସ ହେବା ପରେ ୧୯୪୫ମସିହାରେ ନିମାପଡ଼ା ଛାଡ଼ି ସେ ବନମାଳିପୁର ଚାଲି ଆସିଥିଲେ। ସେହିଦିନଠାରୁ ଦୀର୍ଘ ୭୦ବର୍ଷ ହେବ ବନମାଳିପୁରରେ ରହିଥିଲେ। ୧୯୬୪ମସିହାରେ ରାହାମା ସ୍ଥିତ ମରଚିପୁର ହୋମିଓପାଥି ମେଡ଼ିକାଲରେ ଚାକିରି କରିଥିଲେ। ୧୯୭୫ରେ ସେ ସ୍ୱେଚ୍ଛାକୃତ ଅବସର ନେଇ ବନମାଳିପୁରକୁ ଫେରି ଆସିଥିଲେ। ୧୯୭୨ମସିହା ଅଗଷ୍ଟ ୧୫ତାରିଖ ଦିନ ସ୍ୱାଧୀନତାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରାଗାନ୍ଧୀ ଦିଲ୍ଲୀର ଲାଲକିଲ୍ଲାଠାରେ ତାଙ୍କୁ ସମ୍ମାନିତ କରିଥିଲେ। ପରେ ପୁର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡ.ଅବଦୁଲ କଲାମ୍‌ ରାଷ୍ଟ୍ରପତି ଭବନରେ ସମ୍ବର୍ଧିତ କରିଥିଲେ। ବନମାଳିପୁର ବଜାରରେ ଦୀର୍ଘ ବର୍ଷ କାଳ ହୋମିଓପାଥି ଡାକ୍ତର ଭାବେ ସେବା କରିବା ପରେ ଗତ ଦୁଇବର୍ଷ ହେବ ସେ ନିଜ ପୈତୃକ ଜନ୍ମସ୍ଥାନ ହଂସପଡ଼ାକୁ ଫେରିଥିଲେ।

ସମ୍ବନ୍ଧିତ ଖବର