‘ଭୁଲି ହୁଏନି ସେ ଅଗଷ୍ଟ ୧୫’

ଭୁବନେଶ୍ବର : ମୁଠା‌ରେ ଥିଲା ତ୍ରିରଙ୍ଗା। ମୁହଁରେ ଥିଲା ଗୋରା ସରକାର ବିରୋଧରେ ଅଗ୍ନିସ୍ଫୁଲିଙ୍ଗ ନାରା। ଗୁର୍ଖା ପୁଲିସ୍‌ଙ୍କ କଣ୍ଟାବୁଟ୍‌ର ଗୋଇଠାକୁ ଖାତିର୍‌ ନଥିଲା କି ଚାବୁକ୍‌ର ପ୍ରହାରକୁ ଡର ନଥିଲା। ୧୯୩୪ରେ ମହାତ୍ମା ଗାନ୍ଧୀ ଆମ ସଡ଼କ ଦେଇ ହରିଜନ ପଦଯାତ୍ରାରେ ଯିବା ବେଳେ ଶଙ୍ଖ ହୁଳହୁଳିରେ ଫାଟି ପଡ଼ୁଥାଏ। ଏ ଦୃଶ୍ୟ ମୋ ଦେହରେ ଯେମିତି ନିଆଁ ଲଗେଇ ଦେଲା। ଗାନ୍ଧିଜୀଙ୍କ ଡାକରାରେ ଏକ ଅଦୃଶ୍ୟ ଶକ୍ତି ମୋ ମନକୁ ଟାଣ କରିଦେଲା। ସ୍କୁଲ୍‌ ଛାଡ଼ି ବଡ଼ମାନଙ୍କ ସାଙ୍ଗେ ସ୍ବାଧୀନତା ସଂଗ୍ରାମର ସାରଥୀ ହେବାକୁ ବାହାରି ପଡ଼ିଲି। ଭଣ୍ଡାରୀପୋଖରୀ ଥାନା ପୋଡ଼ିରେ ସାମିଲ୍‌ ହେଲି। ଯେମିତି ପୁଲିସ୍‌ମାନେ ଆଉ ଭଦ୍ରକ ଆଡ଼ୁ ଯାଇପାରିବେନି ତାକୁ ଦୃଷ୍ଟିରେ ରଖି ଜଗନ୍ନାଥ ସଡ଼କ ପୋଲକୁ ବି ଭାଙ୍ଗି ଦେଲୁ। ତା’ପରେ ଆବାଳ ବୃଦ୍ଧବନିତା ସଭିଏଁ ଦେଶର ମୁକ୍ତି ସଂଗ୍ରାମରେ ସାମିଲ୍‌ ହେଲେ। ଗୋରା ସରକାରର ଜୁଲୁମକୁ ଭ୍ରୂକ୍ଷେପ ନଥିଲା। ବାଲେଶ୍ବର କଂଗ୍ରେସ ଅଫିସ୍‌ ନିକଟରୁ ମତେ ବ୍ରିଟିସ୍‌ ପୁଲିସ୍‌ ଗିରଫ କରିନେଲା। ସେଦିନର କଥା ମନେ ପଡ଼ିଲେ, ଆଜି ବି ମନ ଭିତରେ ଏକ ବୀର ପଣିଆ ଜାଗି ଉଠେ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ୯୨ ବର୍ଷୀୟ ଶ୍ୟାମସୁନ୍ଦର ବେହେରା।

ସେଦିନର ସେ ସଂଗ୍ରାମର ସ୍ମୃତିଚାରଣ କରି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ କୁହନ୍ତି, ସେତେବେଳେ ମୁଁ ଏକାଦଶରେ ପଢ଼ୁଥାଏ। ଶିକ୍ଷକମାନେ ସ୍କୁଲ୍‌ରେ ଗାନ୍ଧିଜୀଙ୍କ ବାର୍ତା ବୁଝାଉଥାଆନ୍ତି। ଗାନ୍ଧିଜୀଙ୍କ ଡାକରାରେ ନିମାପଡ଼ା, ବିଷ୍ଣୁପୁର, ହଂସପଡ଼ା, ଗଡ଼ଅଣ୍ଢିଆ, ଚରଣପଦା ଗାଁରୁ ଅନେକ ପିଲା ପଦ୍ମଚରଣ ସାମନ୍ତସିଂହାରଙ୍କ ଅଧୀନରେ ନିମାପଡ଼ା ଥାନା ଦଖଲ କରି ପତାକା ଉଡ଼ାଇବାକୁ ବାହାରିପଡ଼ିଲେ। ସେଥିରେ ମୁଁ ବି ସାମିଲ୍‌ ହୋଇଥିଲେ। ହେଲେ ପୁଲିସ୍‌ର ଗୁଳିରେ ଉଚ୍ଛବ ମଳିକ ଟଳିପଡ଼ିବା ଦେଖି ଯିଏ ଜୁଆଡ଼େ ଛତ୍ରଭଙ୍ଗ ଦେଲେ। ଶେଷରେ ମୋ ଭଳି କେତେଜଣ ପିଲାଙ୍କୁ ନିମାପଡ଼ା ଥାନା ପୁଲିସ୍‌ ଗିରଫ କରି ଜେଲ୍‌ରେ ପୂରାଇ ଦେଲା। ମତେ ସାଢ଼େ ୩ ବର୍ଷ ଜେଲ୍‌ ହେଇଗଲା। ଶ୍ରୀ ପଟ୍ଟନାୟକ କୁହନ୍ତି, ଅଗଷ୍ଟ ୧୫ରେ ସ୍ୱାଧୀନତା ମିଳିବା ଆଭାସ ଆଗରୁ ମିଳିସାରିଥିଲା। ତେଣୁ ଅଗଷ୍ଟ ୧୪ ରାତିରୁ ଆମ ଗାଁରେ ଉତ୍ସବ ଆରମ୍ଭ ହୋଇଯାଇଥିଲା। ଏବେ ସେ ୯୭ ବର୍ଷରେ ପଦାର୍ପଣ କରିଥିବା ବେଳେ ସେଦିନର ଅଗଷ୍ଟ ୧୫ର ସ୍ମୃତି ତାଙ୍କୁ ଯୁବାବସ୍ଥାକୁ ଫେରାଇନିଏ। ଅଗଷ୍ଟ ୧୫ର ଉଦିତ ସୂର୍ଯ୍ୟ ସ୍ୱାଧୀନତାର ବାର୍ତା ବିଛେଇ ଦେବା ପରେ ସଂକୀର୍ତନରେ ଉଚ୍ଛୁଳିଥିଲା ପଲ୍ଲୀରୁ ସହର। ସେ ବି ସ୍ୱାଧୀନତା ପ୍ରାପ୍ତିର ଖବର ପ୍ରଚାର ହେବା ପରେ ରାତିଯାକ ସଂକୀର୍ତନ କରି ଡେଇଁଥିଲେ। ସେତେବେଳର ସେ ଖୁସି କହିଲେ ନସରେ।

ସମ୍ବନ୍ଧିତ ଖବର