ସ୍ବାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

‘ସେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ’

କଟକ: ଦୋଳଗୋବିନ୍ଦ ପ୍ରଧାନ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ସ୍ବାଧୀନତା ସଂଗ୍ରାମ, ସମାଜସେବା ଓ ରାଜନୀତି ଆଦି ସବୁକ୍ଷେତ୍ରରେ ସ୍ବର୍ଗତ ପ୍ରଧାନ ଏକ ଅଲିଭା ଛାପ ଛାଡ଼ିଛନ୍ତି। ଗାନ୍ଧୀଙ୍କ ଦର୍ଶନରେ ପ୍ରଭାବିତ ହୋଇ ସେ ସତ୍ୟ ଓ ଅହିଂସାକୁ ଜୀବନର ଆଭୂଷଣ ଭାବେ ଗ୍ରହଣ କରିଥିଲେ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପ୍ରଥମ ଶ୍ରଦ୍ଧାବାର୍ଷିକୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ୍ ଦୋଳଗୋବିନ୍ଦ ପ୍ରଧାନଙ୍କୁ ଉତ୍ତରପିଢ଼ି ପାଇଁ ପ୍ରେରଣାର ଉତ୍ସ ଭାବେ ବର୍ଣ୍ଣନା କରିଥ‌ିଲେ।

ଗତିରାଉତପାଟଣାଠାରେ ସ୍ବର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ର ସଂପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସଂଗ୍ର‌ାମୀ ଦୋଳଗୋବିନ୍ଦଙ୍କୁ ଜଣେ ସଫଳ ବ୍ୟକ୍ତି ଭାବେ ବର୍ଣ୍ଣନା କରିଥିଲେ। ସଫଳ ବ୍ୟକ୍ତିଙ୍କ ପୂଣ୍ୟତିଥିକୁ ଶୋକସଭା ଭାବେ ପାଳନ ନକରି ଉତ୍ସବ ଭାବେ ପାଳିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଦୋଳଗୋବିନ୍ଦଙ୍କ ସ୍ମୃତିକୁ ଉଚ୍ଚାରଣ ନ କରି ତାଙ୍କ ନୀତି ଓ ଆଦର୍ଶକୁ ଆଚରଣରେ ପାଳନ କରିବାକୁ ଶ୍ରୀ ପଟ୍ଟନାୟକ ଉତ୍ତରପିଢ଼ିକୁ ଆହ୍ବାନ ଦେଇଥିଲେ। ସମା‌ରୋହରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର, ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍, ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ପ୍ରମୁଖ ସ୍ବର୍ଗତ ପ୍ରଧାନଙ୍କ ଜୀବନୀ, ସାଧନା ଓ ସଫଳତା ବିଷୟରେ ସ୍ମୃତିଚାରଣ କରିଥିଲେ। ସମାରୋହରେ ମହାତ୍ମାଗାନ୍ଧୀ ଅହିଂସା ଐତିହ୍ୟ ପ୍ରତ‌ିଷ୍ଠାନ ନ୍ୟାସର ଟ୍ରଷ୍ଟି ଡକ୍ଟର ବୁଦ୍ଧଦେବ ମିଶ୍ରଙ୍କ ଚରିତ ପୁସ୍ତକ ‘ଗାନ୍ଧୀ ମଣିଷ’କୁ ମୁଖ୍ୟ ଅତିଥି ରାଜ୍ୟପାଳ ଲୋକାର୍ପିତ କରିଥ‌ିଲେ। କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଡକ୍ଟର ବୁଦ୍ଧଦେବ ମିଶ୍ର ଧନ୍ୟବାଦ ଅର୍ପଣ କରିଥ‌ିଲେ।

ସମ୍ବନ୍ଧିତ ଖବର