ଭୁବନେଶ୍ବର(ସୋମନାଥ ପରିଡ଼ା): ଦେଶର ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ କିଛି କମ୍ ନଥିଲା। ତ୍ୟାଗ ଓ ତପସ୍ୟାର ଓଡ଼ିଶା ମାଟିରେ ହିଁ ପ୍ରଥମ ସ୍ବାଧୀନତା ସଂଗ୍ରାମର ବହ୍ନି ଜଳିଥିଲା। ୧୮୧୭ ମସିହାରେ ଇଂରେଜ ସରକାରଙ୍କ ବିରୋଧରେ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ। ସେହି ଦିନଠାରୁ ଦେଶ ସ୍ବାଧୀନ ପର୍ଯ୍ୟନ୍ତ କେତେ ଯେ ଓଡ଼ିଆ ଦେଶ ପାଇଁ କାରାବରଣ ଓ ପ୍ରାଣବଳି ଦେଇଛନ୍ତି ତା’ର ହିସାବ ନାହିଁ। ପର୍ଯ୍ୟାୟକ୍ରମେ ଯେଉଁ କେତେ ଜଣ ଓଡ଼ିଶାରେ ସ୍ବାଧୀନତା ଆନ୍ଦୋଳନର ମଙ୍ଗ ଧରିଥିଲେ ଆଜି ବି ସେମାନଙ୍କ ସଂଘର୍ଷର କାହାଣୀ ପ୍ରତିଟି ଓଡ଼ିଆଙ୍କୁ ପ୍ରଭାବିତ କରିଛି। ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମ ଓ ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ରାଜ୍ୟ ସଂଗ୍ରହାଳୟରେ ‘ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମ’ ଭଳି ଏକ ସ୍ବତନ୍ତ୍ର ଗ୍ୟାଲେରି ରହିଛି। ଯାହା ବର୍ତ୍ତମାନ ସହ ଆଗାମୀ ପିଢ଼ିକୁ ମହାନ ସଂଗ୍ରାମୀ ତଥା ଓଡ଼ିଶାର ବୀର ଗାଥାକୁ ଅବଗତ କରାଇବାକୁ ବଡ଼ ପ୍ରେରଣା ଦେଉଛି।
ଗ୍ୟାଲେରି ଆରମ୍ଭରେ ଓଡ଼ିଶାର ମହିଳା ସ୍ବାଧୀନତା ସଂଗ୍ରାମୀ ଫଟୋ ଚିତ୍ର ଓ ସଂଗ୍ରାମୀଙ୍କ ବିଷୟରେ କିଛି ତଥ୍ୟ ସ୍ଥାନିତ ହୋଇଛି। ମୁଖ୍ୟତଃ ରମାଦେବୀ, ସରଳା ଦେବୀ, ମାଳତୀ ଚୌଧୁରୀ, ପ୍ରଭାବତୀ ଦେବୀ, ପାର୍ବତୀ ଗିରି, ଅନ୍ନପୂର୍ଣ୍ଣା ମହାରଣା, ଶଶିବାଳା କାନୁନ୍ଗୋ, ରାଧାରାଣୀ ଦେବୀଙ୍କ ଭଳି ଅନେକ ସଂଗ୍ରାମୀଙ୍କ ଫଟୋଚିତ୍ର ସ୍ଥାନ ପାଇଛି। ଏଥିସହ ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଗୋପବନ୍ଧୁ ଚୌଧୁରୀ, ରାଧାନାଥ ରଥ, ନୀଳମଣି ରାଉତରାୟଙ୍କ ପରି ଅନେକ ସଂଗ୍ରାମୀଙ୍କ ଫଟୋ ଓ ତାଙ୍କ ସମ୍ପର୍କରେ ଲେଖାମାନ ରଖାଯାଇଛି। ମଧୁସୂଦନ ଦାସଙ୍କ ବ୍ୟବହୃତ କାଠ ବାକ୍ସ, ପଗଡ଼ି, ରୁପାରେ ନିର୍ମିତ ଚିଟାଉ ଭଳି ଦୁର୍ମୂଲ୍ୟ ସାମଗ୍ରୀକୁ ସାଇତି ରଖାଯାଇଛି। ଏଥିସହ କିଛି ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ରଖାଯାଇଛି। ସେହିପରି ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ କରାଯାଇଥିବା ଡାକ ଟିକଟ ବି ଏଠାରେ ରଖାଯାଇଛି।
ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ ପାଠ୍ୟ ପୁସ୍ତକରେ ପଢ଼ୁଥିବା ପିଲାଙ୍କୁ ସେ ସମୟର ଚିତ୍ର ଦେଖାଇବା ପାଇଁ ଗ୍ୟାଲେରିରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ‘ପ୍ରଜା ମଣ୍ଡଳ ଆନ୍ଦୋଳନ’, ସୁନ୍ଦରଗଡ଼ର ଲୋମହର୍ଷଣକାରୀ ଘଟଣା ‘ଆମ୍କୋ ସିମ୍କୋ’, ‘ଜହ୍ନପଡ଼ାର ଗୁଳିକାଣ୍ଡ’, ‘ମାଥିଲି ଗୁଳିକାଣ୍ଡ’, ‘ଭାରତ ଛାଡ଼ ଆନ୍ଦୋଳନ’, ‘ଇଟାପଡ଼ା କଳାମାଟି ଗୁଳିକାଣ୍ଡ’, ‘ଲବଣ ସତ୍ୟାଗ୍ରହ’, ‘ପାଇକ ବିଦ୍ରୋହ’, ‘ଘୁମୁସର ବିଦ୍ରୋହ’ର ବୃହତ ଛବି ରହିଛି। ସେହିପରି ଗାନ୍ଧୀଜୀଙ୍କ ପାଇଁ ଏକ ସ୍ବତନ୍ତ୍ର ଗ୍ୟାଲେରି କରାଯାଇଛି। ଯେଉଁଥିରେ ଗାନ୍ଧୀଜୀଙ୍କ ୮ଥର ଓଡ଼ିଶା ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ରହିଛି। ଏଥିସହ ଓଡ଼ିଆ କବିତାରେ ଗାନ୍ଧୀ, ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀଙ୍କୁ ଗାନ୍ଧୀଜୀଙ୍କ ଚିଠି ସମେତ ଅନେକ ଉପାଦେୟ କଥା ସ୍ଥାନ ପାଇଛି।
ବଡ଼ କଥା ହେଲା, ଏଥିରେ ଡିଜିଟାଲ ଡିସପ୍ଲେ, ଇଣ୍ଟରଆକ୍ଟିଭ ଡିସପ୍ଲେ ଏବଂ କ୍ୟୁଆର କୋଡ ଡିସପ୍ଲେ ମାଧ୍ୟମରେ ସମସ୍ତ ତଥ୍ୟ ଦିଆଯାଇଛି। ଡିଜିଟାଲ ଡିସପ୍ଲେରେ ୧୭୭୬ ମସିହାରୁ ସ୍ବାଧୀନତା ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ଘଟଣାକୁ ଶବ୍ଦ ଓ ଦୃଶ୍ୟ ସହ ରହିଛି। ଏଥିରେ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଆନ୍ଦୋଳନର ସମସ୍ତ ତଥ୍ୟ ମିଳି ପାରୁଛି। ରାଜା ଓ ଜମିଦାରଙ୍କ ନେତୃତ୍ବରେ ୧୭୬୭ ରୁ ୧୮୫୭ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ବିଦ୍ରୋହ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଜନଜାତି ଓ ନାଗରିକ ଅଧିକାର ବିଦ୍ରୋହ ୧୮୬୪ରେ ଆରମ୍ଭ ହୋଇ ୧୮୮୯ ମୁଣ୍ଡା ବିଦ୍ରୋହ ପର୍ଯ୍ୟନ୍ତ, ତୃତୀୟ ପର୍ଯ୍ୟାୟ ୧୮୬୬ରୁ ୧୯୩୬ ପର୍ଯ୍ୟନ୍ତ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ଭାଷାଭିଭିକ ପ୍ରଦେଶ ଓ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ ପ୍ରମୁଖକୁ ନେଇ ‘ଜାତୀୟତାବାଦୀ ଆନ୍ଦୋଳନ’ ଏବଂ ଚତୁର୍ଥ ଓ ଶେଷ ପର୍ଯ୍ୟାୟରେ ‘ଆଇନ ଅମାନ୍ୟ ଆନ୍ଦୋଳନ’ ପ୍ରମୁଖ ଘଟଣାବଳୀକୁ ଅତି ସହଜରେ ଉପଲବ୍ଧ କରାଯାଇଛି। ଯାହା ଓଡ଼ିଶାର ସ୍ବାଧୀନତା ଆନ୍ଦୋଳନ ଓ ସଂଗ୍ରାମୀମାନଙ୍କ ଅବଦାନକୁ ବର୍ତ୍ତମାନର ପିଢ଼ି ଓ ଭବିଷ୍ୟତର ପିଢ଼ିଙ୍କ ପାଖରେ ସହଜରେ ପହଞ୍ଚାଇ ପାରୁଛି।