ଶୁକ୍ରବାର ହୋଲି : ହର୍ବାଲ୍‌ ରଙ୍ଗର ଚାହିଦା

ଭୁବନେଶ୍ବର : ଦିନକ ପରେ ରଙ୍ଗର ପର୍ବ ହୋଲି। ଏନେଇ ପ୍ରସ୍ତୁତ ପୂରା ରାଜଧାନୀ। ସାଙ୍ଗସାଥୀ ଓ ପରିବାରଲୋକଙ୍କ ଗହଣରେ ରଙ୍ଗ ଖେଳିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଛୁଟି ପଡ଼ି ଯାଉଥିବାରୁ ଆଜି ବିଭିନ୍ନ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ରଙ୍ଗ ଖେଳ ଦେଖିବାକୁ ମିଳିଥିଲା। ଅନେକ ଏଥର ନିରାପଦ ହୋଲିକୁ ଆପଣାଇଥିବା ବେଳେ କିଛି ସଚେତନତାର ସହ ରଙ୍ଗ ଖେଳି ସମାଜ ଓ ପରିବେଶ ପ୍ରତି ନିଜ ଦାୟିତ୍ବବୋଧତା ଦେଖାଇଛନ୍ତି। ସାଧାରଣତଃ ଏଥର ବଜାରରେ ହର୍ବାଲ ହୋଲିର ଚାହିଦା ଦେଖିବାକୁ ମିଳିଥିବା ବେଳେ ଅନେକ ଆଜି ହର୍ବାଲ ହୋଲି ଖେଳିଥିବା ଦେଖିବାକୁ ମିଳିଥିଲା।

ବର୍ଷକୁ ଥରେ ଆସେ ରଙ୍ଗର ପର୍ବ ହୋଲି। ଏହାକୁ ମନ ଭରି ଉପଭୋଗ କରିବାକୁ ସମସ୍ତଙ୍କ ମନରେ ଉତ୍ସାହ ରହିଛି। କିନ୍ତୁ ଟିକେ ସତର୍କତା ସହ ହୋଲି ଖେଳିବା ଭଲ। ଫଳରେ ସମସ୍ତେ ସୁସ୍ଥ ରହିବା ସହିତ ପରିବେଶ ପ୍ରଦୂଷଣରୁ ମଧ୍ୟ ମୁକ୍ତି ମିଳିପାରିବ। ସାମାନ୍ୟ ଅସାବଧାନତା ଦୃଷ୍ଟିଶକ୍ତି ହରାଇବାର ସମ୍ଭାବନା ବଢ଼ାଇ ଦେଇଥାଏ। ଏହାସହ ଚର୍ମ ରୋଗର ଶିକାର ମଧ୍ୟ ହେବାକୁ ପଡ଼ିଥାଏ। ବଜାରରେ ମିଳୁଥିବା ରସାୟନିକ ରଙ୍ଗ ବାୟୁମଣ୍ତଳକୁ ମଧ୍ୟ ପ୍ରଦୂଷିତ କରିଥାଏ। ରସାୟନିକ କିମ୍ବା କସ୍‌ମେଟିକ୍‌ ରଙ୍ଗ ବ୍ୟବହାର ନ କରି ପ୍ରାକୃତିକ ଓ ବୈଦିକ ରଙ୍ଗରେ ହୋଲି ଖେଳିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ରଙ୍ଗ ବ୍ୟବସାୟୀମାନେ ରସାୟନ ପଦାର୍ଥର ପ୍ରୟୋଗ ନ କରି ପ୍ରାକୃତିକ ଦ୍ରବ୍ୟର ମିଶ୍ରଣରେ ରଙ୍ଗ ପ୍ରସ୍ତୁତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ରଙ୍ଗ ତିଆରି ପାଇଁ କପର ସଲଫେଟ୍‌, ମର‌୍‌କ୍ୟୁରସ୍‌ ସଲଫାଇଡ୍‌ ଓ ସୀସା ଆଦି ରସାୟନ ବ୍ୟବହାର ନ କରି ଗଛ ପତ୍ର, ହଳଦୀ ଆଦି ପ୍ରାକୃତିକ ପଦାର୍ଥକୁ ଏହାର ବିକଳ୍ପ ଭାବେ ବ୍ୟବହାର କରିବା ଉଚିତ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

ବଜାରରେ ମିଳୁଥିବା ରଙ୍ଗରେ ମଧ୍ୟ ବିଭିନ୍ନ ରସାୟନର ମିଶ୍ରଣ ରହୁଥିବାରୁ ଏହା ଶରୀର ସ˚ସ୍ପର୍ଶରେ ଆସିଲେ ଚର୍ମ ଓ ଆଖି କୁଣ୍ଡେଇ ହେବା ସହ ଲାଲ୍‌ ମଧ୍ୟ ପଡ଼ିଯାଏ। କେତେକ କ୍ଷେତ୍ରରେ ଆଖି ମଧ୍ୟ ବହୁ ଜୋରରେ ପୋଡ଼ିଥାଏ। ମହିଳା ଓ ଛୋଟ ଛୁଆଙ୍କ ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ସେମାନେ ଏଥିରେ ଅଧିକ ପ୍ରଭାବିତ ହୋଇଥାନ୍ତି। ତେଣୁ ସେମାନଙ୍କୁ ବିଶେଷ ସାବଧାନ ରହିବା ଉଚିତ ବୋଲି ଶିଶୁରୋଗ ବିଶେଷଜ୍ଞ ଡାକ୍ତର ହେମନ୍ତ କୁମାର ନାୟକ କହିଛନ୍ତି। ଏଥିସହ ବିଷାକ୍ତ ରସାୟନରୁ ବଞ୍ଚିବା ପାଇଁ ହୋଲି ଖେଳିବା ପୂର୍ବରୁ ଶରୀରରେ ଭଲ ମଶ୍ଚରାଇଜର‌୍‌ ଓ ମୁଣ୍ତରେ ଭଲ ଭାବେ ତେଲ ମାଲିସ୍‌ କରି ନେବା ଉଚିତ। ମୁଣ୍ତଫଟା, ବାର୍ନିସ୍‌ ଆଦି ରଙ୍ଗ ଚର୍ମ ଉପରେ ବିଶେଷ ପ୍ରଭାବ ପକାଇଥାଏ। ରଙ୍ଗର ପ୍ରଭାବ ଅଧିକ ନ ପଡ଼ିବା ପାଇଁ ଶରୀରକୁ ସମ୍ପୂର୍ଣ୍ଣ ଆବୃତ୍ତ କଲା ଭଳି ପୋଷାକ ପରିଧାନ କରିବା ଭଲ ବୋଲି ଡା. ନାୟକ କହିଛନ୍ତି।

ରଙ୍ଗ ଆଖି ପାଇଁ କ୍ଷତିକାରକ ହୋଇଥିବାରୁ ରଙ୍ଗ ଯେପରି ମୁହଁ ଓ ଆଖିରେ ନ ପଡ଼େ, ସେନେଇ ଧ୍ୟାନ ଦେବାକୁ ପଡ଼ିବ। ହୋଲି ଖେଳିବା ସମୟରେ ଆଖିରେ ଚଷମା ବ୍ୟବହାର କରିବା ଉଚିତ। ଯଦି ଖେଳିବା ସମୟରେ ରଙ୍ଗ ଆଖି ଭିତରକୁ ଚାଲିଯାଏ, ତେବେ ସଙ୍ଗେ ସଙ୍ଗେ ଥଣ୍ତା ଓ ସ୍ବଚ୍ଛ ପାଣିରେ ଆଖି ଧୋଇଦେବା ଉଚିତ୍‌ ବୋଲି ଚକ୍ଷୁ ଚିକିତ୍ସକ ଡ.ରୀତା ଦାସ ଉପଦେଶ ଦେଇଛନ୍ତି। ବଜାରରେ ମିଳୁଥିବା ଏଣୁତେଣୁ ଔଷଧ ବ୍ୟବହାର ନ କରି ଚକ୍ଷୁ ଚିକିତ୍ସକଙ୍କୁ ପରାମର୍ଶ କରି ନେବା ଭଲ ବୋଲି ସେ କହିଛନ୍ତି।

‘ବୈଶାଳୀ’ ଚଳଚ୍ଚିତ୍ରର ସୁଟିଂ ଚାଲିଥିବାରୁ ଆମେ ସବୁ ସୁଟିଂ ସେଟ୍‌ରେ ହିଁ ରହିବୁ। ତେଣୁ କ୍ରିଉ ମେମ୍ବରଙ୍କ ସହ ଚଳିତ ବର୍ଷ ହୋଲି ଧୁମ୍‌ଧାମ୍‌ରେ ଖେଳିବାର ଯୋଜନା ରହିଛି। ଚଳିତ ବର୍ଷ ଆମେ ହର୍ବା‌ଲ ଓ ନିରାପଦ ‌ହୋଲି ଖେଳିବାକୁ ଭାବିଛୁ। ଏଥିସହ ଦର୍ଶକ ଓ ପ୍ରଶଂସକଙ୍କୁ ଏତିକି କହିବିି ନିଜ ସ୍ବାସ୍ଥ୍ୟ ଓ ପରିବେଶର ସୁରକ୍ଷାକୁ ଆଖି ଆଗରେ ରଖି ନିରାପଦ ହୋଲି ଖେଳନ୍ତୁ। ପରସ୍ପରର ମନୋମାଳିନ୍ୟ ଦୂର କରିବାକୁ ଏହି ପର୍ବର ସଦୁପଯୋଗ କରନ୍ତୁ। ସମ୍ପର୍କର ବିଗିଡ଼ି ଯାଇଥିବା ରଙ୍ଗକୁ ହୋଲିର ଅବିରରେ ରଙ୍ଗେଇ ଦିଅନ୍ତୁ।
ଅଭିଷେକ ରଥ, ଅଭିନେତା‌

ହୋଲି ମୋର ପ୍ରିୟ ପର୍ବ। ପ୍ରତିବର୍ଷ ଆମ ରେଲ୍‌ୱେ କଲୋନିରେ ଧୁମ୍‌ଧାମ୍‌ରେ ହୋଲି ପାଳନ କରୁ। ରଙ୍ଗ ଖେଳ ସହ ଭଳିକି ଭଳି ଖାଦ୍ୟର ପସରା… ବର୍ଷ ସାରା ଏହି ଦିନଟିକୁ ଅପେକ୍ଷା କରିବାକୁ ମତେ ବାଧ୍ୟ କରେ। ଏହାସହ ସୁଟିଂ ସେଟ୍‌ରେ ରଙ୍ଗ ଖେଳ ବି ବେଶ୍‌ ଜମିବ। ସମସ୍ତଙ୍କୁ ଗୋଟିଏ ଅନୁରୋଧ କରିବି ଯେତେ ଦୂର ସମ୍ଭବ ହର୍ବାଲ କିମ୍ବା ପ୍ରକୃତିକ ରଙ୍ଗର ହୋଲି ଖେଳନ୍ତୁ।
ସମିତା ମଣ୍ଡଳ, ଅଭିନେତ୍ରୀ

ହୋଲି ମୁଁ ପ୍ରାୟ ଖେଳେନି। କିନ୍ତୁ କିଛି ଟେଲିଭିଜନ୍‌ ଚ୍ୟାନେଲ୍‌ଗୁଡ଼ିକରୁ ନିମନ୍ତ୍ରଣ ଆସିଥିବାରୁ ମୁଁ ସେମାନଙ୍କ ସହ ସାମିଲ ହେବି। ଆଖି, ଚର୍ମ ଓ ଛୋଟ ଛୁଆଙ୍କୁ ରଙ୍ଗ ଯୋଗୁଁ ଯେମିତି କିଛି କ୍ଷତି ନ ପହଞ୍ଚିବ ସେ ନେଇ ଦୃଷ୍ଟି ଦେବା ଉଚିତ। ଏହି ପର୍ବ ସମସ୍ତଙ୍କ ପ୍ରାଇଁ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ନେଇ ଆସୁ।
ରିଆନା ଶୁକ୍ଳା, ଅଭିନେତ୍ରୀ

ସମ୍ବନ୍ଧିତ ଖବର