ଭୁବନେଶ୍ବର: ଆସନ୍ତାକାଲି କୌଣସି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁ ନଥିଲେ ହେଁ, ୪ଟି ହିନ୍ଦୀ ଚଳଚ୍ଚିତ୍ରରେ କମେଡି ତଡ୍କାର ମଜା ନେବେ ଦର୍ଶକ। ରୋମାନ୍ସ ଷ୍ଟାର୍ ଇମ୍ରାନ୍ ହାସ୍ମି ଏବଂ ଶ୍ରେୟା ଧନ୍ୱାନ୍ଥାରିଙ୍କ ଅଭିନୀତ ‘ହ୍ବାଏ ଚିଟ୍ ଇଣ୍ଡିଆ’ରେ କମେଡି ଡ୍ରାମା ଦେଖିବାକୁ ମିଳିବ। ଚଳଚ୍ଚିତ୍ରଟି ସିନେପଲିସ୍, ଆଇନକ୍ସ, କେଶରୀ, ମହାରାଜା ଓ ସ୍ବାତୀରେ ଦେଖିବାକୁ ମିଳିବ। ସେହିପରି ଅନେକ ଦିନ ପରେ ବଡ଼ ପରଦାକୁ ଫେରିଥିବା ଗୋବିନ୍ଦାଙ୍କ କମେଡି ଦେଖିବାକୁ ମିଳିବ। ରାଜା ବାବୁ ଫିଲ୍ମର ରାଜା ଏଥର ‘ରଙ୍ଗିଲା ରାଜା’ ଜରିଆରେ ପୁଣି ଦର୍ଶକଙ୍କ ସାମ୍ନାକୁ ଆସିବେ। ଏଥିରେ ଗୋବିନ୍ଦାଙ୍କୁ ଦ୍ବୈତ ଭୂମିକାରେ ଦେଖିବାକୁ ମିଳିବ। ସିକନ୍ଦର ଭାରତୀଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଗୋବିନ୍ଦାଙ୍କ ସମେତ ମିଶିକା ଚୌରାସିଆ, ଅନୁପମ ଅଗ୍ନିହୋତ୍ରୀ, ଡିଙ୍ଗାଙ୍ଗାନା ସୂର୍ଯ୍ୟବଂଶୀଙ୍କୁ ଦେଖିବାକୁ ମିଳିବ। ସ୍ବାତୀ ଓ ଏକାମ୍ରରେ ଏହା ଉପଭୋଗ କରିହେବ। ଏଥିସହ ପ୍ରକାଶ ଝାଙ୍କ ପ୍ରଯୋଜିତ ଏବଂ ସୌରଭ ଶ୍ରୀବାସ୍ତବଙ୍କ ନିର୍ଦେଶିତ ‘ଫ୍ରଡ୍ ସୈୟାଁ’ରେ ଜଣେ ଠକ ସ୍ବାମୀର କାରନାମା ଦେଖିବାକୁ ମିଳିବ। ଅର୍ସାଦ ୱାର୍ସିଙ୍କ ସମେତ ସାରା ଲୋରେନ୍, ଫ୍ଲୋରା ସାଇନି ଓ ସୌରଭ ଶୁକ୍ଳାଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ସିନେପଲିସ୍ ଓ ସ୍ତୁତିରେ ଏହା ମୁକ୍ତିଲାଭ କରିବ। ଏଥିସହ ରାଧିକା ଆପ୍ତେଙ୍କ ଅଭିନୀତ ଆଉ ଏକ କମେଡି ଡ୍ରାମା ଦେଖିବାକୁ ମିଳିବ ପିୟା ସୁକନ୍ୟାଙ୍କ ନିର୍ଦେଶିତ ‘ବମ୍ବାଇରିୟା’ରେ। ମେଘନା (ରାଧିକା)ଙ୍କ ଫୋନ୍ ଚୋରି ହେବା ପରେ କିଭଳି ଝଗଡ଼ାର ସୂତ୍ରପାତ ହେଉଛି ତାହା ଉପରେ ପର୍ଯ୍ୟବେସିତ ହୋଇଛି ଚଳଚ୍ଚିତ୍ରର କାହାଣୀ। ରାଧିକାଙ୍କ ସମେତ ସିଦ୍ଧାର୍ଥ କପୁର୍, ଅକ୍ଷୟ ଓବେରେଇ, ଆଦିଲ୍ ହୁସେନ୍, ରବି କିଶନଙ୍କୁ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ସିନେପଲିସ୍ ଓ ଆଇନକ୍ସରେ ଏହା ମୁକ୍ତିଲାଭ କରିବ। ଏଥିସହ ହଲିଉଡ୍ ଚଳଚ୍ଚିତ୍ର ‘ଗ୍ଲାସ୍’ ପରଦାକୁ ଆସିବ। ସାମୁଏଲ୍ ଏଲ୍ ଜାକ୍ସନ୍, ସାର୍ହା ପଲ୍ସନ୍, ଜେମ୍ସ ମାକ୍ଭୟ, ବ୍ରୁସ୍ ୱିଲିସି ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି। ସିନେପଲିସ୍ ଓ ଆଇନକ୍ସରେ ଏହା ଦେଖିବାକୁ ମିଳିବ।