ଫ୍ରାଇଡେ ରିଲିଜ୍‌ : ସୁଶାନ୍ତ ସିଂହ ଚମ୍ବଲ ଡାକୁ

ଭୁବନେଶ୍ବର: ଚମ୍ବଲ ଡାକୁଙ୍କ କାହାଣୀକୁ ପରଦାକୁ ଆଣି‌ବେ ଅଭିଷେକ ଚୌବେ। ଆସନ୍ତାକାଲି ମୁକ୍ତିଲାଭ କରିବ ୧୯୭୫ ମସିହା‌ରେ ହୋଇଥିବା ଏମର୍ଜେନ୍‌ସି ବ୍ୟାକ୍‌ଗ୍ରାଉଣ୍ଡ୍‌ ବେଳର କାହାଣୀ। ଫିଲ୍ମ ଶୁକ୍ରବାର ଅବସରରେ ମୁକ୍ତିଲାଭ କରିବାକୁ ଯାଉଥିବା ‘ସୋନ୍‌ଚିଡିୟା‌’ରେ କୁଖ୍ୟାତ ଚମ୍ବଲ ଡାକୁଙ୍କ କାହାଣୀ ଦେଖିବାକୁ ମିଳିବ। ଏଥିରେ ସୁଶାନ୍ତ ସିଂହ ରାଜପୁତ ଏବଂ ମନୋଜ ବାଜପେୟୀ ଚମ୍ବଲ ଡାକୁ ଭୂମିକାରେ ଦିଶିବେ। ଏହି ଆକ୍ସନ ଧର୍ମୀ ଚଳଚ୍ଚିତ୍ରରେ ସୁଶାନ୍ତଙ୍କ ବିପକ୍ଷରେ ଭୂମି ପେଡ୍‌ନେକର, ରଣବୀର ସୋରେ, ଆଶୁତୋଷ ରାଣାଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଏବେ ବଲିଉଡ୍‌ ବାସ୍ତବଧର୍ମୀ କାହାଣୀକୁ ଗୁରୁତ୍ବ ଦେଉଥିବା ବେଳେ ବହୁ ରହସ୍ୟକୁ ନିଆରା ଢଙ୍ଗରେ ଉପସ୍ଥାପନ କରିଛନ୍ତି ନିର୍ଦେଶକ ଅଭି‌‌‌ଷେକ ଚୌବେ। ରୋନି ସ୍କ୍ରିଉୱାଲା ଏହାର ପ୍ରଯୋଜନା କରିଥିବା ବେଳେ ବିଶାଲ ଭରଦ୍ବାଜ ସଂଗୀତ ନିର୍ଦେଶନା ଦେଇଛନ୍ତି।

ଏଥିସହ ଆସନ୍ତାକାଲି ପରଦାକୁ ଆସୁଛି ରୋମାଣ୍ଟିକ୍‌ କମେଡିଧର୍ମୀ ଚଳଚ୍ଚିତ୍ର ‘ଲୁକାଚୁପି’। ମଥୁରାର ଏକ ଟିଭି ସାମ୍ବାଦିକ ଜଣେ ଜିଦିଆ ଝିଅ‌ର ପ୍ରେମରେ କିଭଳି ଫସୁଛନ୍ତି, ସେହିଭଳି ଏକ ରୋମାଣ୍ଟିକ୍‌ କାହାଣୀକୁ ପରଦାକୁ ଆଣିଛନ୍ତି ନିର୍ଦେଶକ ଲକ୍ଷ୍ମଣ ଉତେକର। ଦିନେଶ ବିଜନ ଏହାର ପ୍ରଯୋଜନା କରିଛନ୍ତି। ବିଶେଷକରି ଏଥିରେ ଥିବା ପୋଷ୍ଟର ଲଗ୍‌ୱାଦୋ.. ଏବଂ କୋକାକୋଲା..ଭଳି ଗୀତ ଆଗରୁ ଚର୍ଚ୍ଚିତ ହୋଇସାରିଥିବା ବେଳେ ଅନେକ ଏହି ଚଳଚ୍ଚିତ୍ର ଦେଖିବାକୁ ଚାହିଁ ରହିଛନ୍ତି। ଏଥିସହିତ ଆସନ୍ତାକାଲି ପରଦାକୁ ଆସିବ ଆନିମେସନ୍‌ ଚଳଚ୍ଚିତ୍ର ଗୋପୀ ଗୱାଇୟା ବାଘା ବଜଇୟା (ଜିଜିବିବି)। ଉପେନ୍ଦ୍ର କିଶୋର ରାୟଚୌଧୁରୀଙ୍କ ଲିଖିତ ଏବଂ ଶିଳ୍ପା ରାନାଡେଙ୍କ ନିର୍ଦେଶିତ ଏହି ଆନିମେସନ୍‌ ଚଳଚ୍ଚିତ୍ରରେ ରାଜୀବ ରାଜ, ମନୀଷ, ବିଶାଲ, ଶୈଳେନ୍ଦ୍ର ପ୍ରମୁଖ ସ୍ବର ଦେଇଛନ୍ତି। ତେବେ ଆସନ୍ତାକାଲି କୌଣସି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବ ନାହିଁ।

ସମ୍ବନ୍ଧିତ ଖବର