ଫ୍ରାଇଡେ ରିଲିଜ୍‌: ମହିଳା ଦିବସରେ ଆସୁଛି ‘ଚାମ୍ପିଆନ୍‌’

ଭୁବନେଶ୍ବର: ଆସନ୍ତାକାଲି ମହିଳା ଦିବସ ପାଳିତ ହେବାକୁ ଯାଉଥିବା ବେଳେ ନାରୀ ସଫଳତାର ୩ଟି ନୂଆ କାହାଣୀ ପରଦାରେ ଦେଖିବାକୁ ମିଳିବ। କେ ମୂରଲିକ୍ରିଷ୍ଣ ଏବଂ ଓଲିଉଡ୍‌ର ଚୁଲବୁଲି ନାୟିକା ଅର୍ଚ୍ଚିତାଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘ଚାମ୍ପିଆନ୍‌’କୁ ନେଇ ଢେର୍ ଦିନ ହେବ ଚର୍ଚ୍ଚା ଲାଗି ରହିଥିବା ବେଳେ ଆସନ୍ତାକାଲି ପରଦାକୁ ଆସିବ। ଅର୍ଚ୍ଚିତା ଏଥି‌ରେ ଜଣେ ବକ୍ସର ଭୂମିକାରେ ରିଙ୍ଗ୍‌କୁ ‌ଓହ୍ଲାଇବେ। ଚାଷୀ ପରିବାରରେ ବଢ଼ୁଥିବା ଝିଅଟିଏ ଅନ୍ୟକୁ ନ୍ୟାୟ ଦେଉଥିବା ବେଳେ ସହରକୁ ଆସି ଲାଲପାନ ବିବି ଭାବେ ପରିଚିତ ହେବା ଏବଂ ନିଜକୁ ଅନ୍ତର୍ଜାତୀୟ ବକ୍ସିଂ ଚାମ୍ପିଆନ୍‌ ମଞ୍ଚରେ ଚାମ୍ପିୟନ୍‌ କ‌ରାଇବାର ନିଆରା କାହାଣୀକୁ ନେଇ ଆସୁଛି ଏହି ଚଳଚ୍ଚିତ୍ର। ଏଥିସହ ସ୍ପାନିସ୍‌ ଚଳଚ୍ଚିତ୍ର ‘କଣ୍ଟ୍ରାଟିଏମ୍ପୋ’ର କାହାଣୀକୁ ନେଇ ହିନ୍ଦୀ ଭାଷାରେ ନିର୍ମିତ ଚଳଚ୍ଚିତ୍ର ‘ବଦ୍‌ଲା’ ମଧ୍ୟ ‌କାଲି ପରଦାକୁ ଆସିବ। ଅମିତାଭ ବଚ୍ଚନଙ୍କୁ ଜଣେ ଓକିଲ ଭୂମିକାରେ ଏବଂ ତାପସୀ ପନ୍ନୁଙ୍କୁ ଜଣେ ବ୍ୟବସାୟୀ ଏବଂ ନିଜର ସଚ୍ଚୋଟତାକୁ ପ୍ରମାଣ କରିବାକୁ ଅହରହ ପ୍ରଚେଷ୍ଟା ଚଳାଇଥିବା ନାରୀ ଭୂମିକାରେ ଦେଖିବାକୁ ମିଳିବ। ଗୌରୀ ଖାନ୍‌ଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରକୁ ସୁଜୟ ଘୋଷ୍‌ ନିର୍ଦେଶନା ଦେଇଛନ୍ତି। ଏଥିସହ ଆନ୍ନା ବୋଡେନ୍‌ ଏବଂ ରୢାନ୍‌ ଫ୍ଲେବ୍‌ଙ୍କ ଚଳଚ୍ଚିତ୍ର ‘କ୍ୟାପ୍‌ଟେନ୍‌ ମାର୍ଭଲ୍‌’ ମଧ୍ୟ ମୁକ୍ତିଲାଭ କରିବ। ଏଥିରେ ୨ ଏଲିଅନ୍‌ ଦୁନିଆର ବିବାଦ ଦେଖିବାକୁ ମିଳିବ। ବ୍ରି ଲାର୍ସନ୍‌, ସାମୁଏଲ୍‌ ଏଲ୍‌ ଜାକ୍ସନ୍‌, ବେନ୍‌ ମେଣ୍ଡେଲ୍‌ସନ୍‌ ଏବଂ ଡି ମୋନ୍‌ସୁଙ୍କ ଅଭିନୟ ଦେଖିବାର ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର