ଭୁବନେଶ୍ବର: ପଚାଶ ବର୍ଷରେ ପଦାର୍ପଣ କରିସାରିଥିବା ବ୍ୟକ୍ତିଟିଏ ବିବାହ ଲାଗି ନିଜ ପାଇଁ ସମବୟସ୍କ ମହିଳାଟିଏ ଖୋଜିବୁଲିବା ବେଳେ ତାକୁ କି ପଦାଙ୍କ ଅନୁସରଣ କରିବାକୁ ପଡ଼ିଛି ଏହିଭଳି ଏକ କଥାବସ୍ତୁକୁ ନେଇ ଆସନ୍ତାକାଲି ଟି-ସିରିଜ୍ ବ୍ୟାନରରେ ମୁକ୍ତିଲାଭ କରିବ ‘ଦେ ଦେ ପ୍ୟାର୍ ଦେ’। ଭୂଷଣ କୁମାର ଓ କ୍ରିଷନ୍ କୁମାରଙ୍କ ପ୍ରଯୋଜିତ ଏବଂ ଲଭ୍ ରଂଜନଙ୍କ ରଚିତ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ, ତବୁ ଓ ରକୁଲ ପ୍ରୀତି ସିଂହଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଅକିଭ୍ ଅଲ୍ଲୀଙ୍କ ନିର୍ଦେଶିତ ଏହି ରୋମାଣ୍ଟିକ୍ କମେଡି ଚଳଚ୍ଚିତ୍ରରେ ଏକ ନିଆରା କାହାଣୀର ମଜା ନେବେ ଦର୍ଶକ।
ଏଥିସହ ମୁକ୍ତିଲାଭ କରିବ ୧୯୮୮ ମସିହାରେ ରିଲିଜ ହୋଇଥିବା ମହିଳା କେନ୍ଦ୍ରିକ ଚଳଚ୍ଚିତ୍ର ‘ଡାର୍ଟି ରୋଟ୍ଟେନ୍ ସ୍କାଉଣ୍ଡ୍ରେଲ୍ସ’ର ରିମେକ୍ ‘ଦି ହସଲ୍’। ଷ୍ଟେନ୍ଲି ସାପିରୋଙ୍କ ରଚିତ ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି କ୍ରିସ୍ ଆଡ୍ଡିସନ୍। ଆମେରିକାନ୍ କମେଡି ଫିଲ୍ମ ‘ଦି ହସଲ୍’ରେ ଆନ୍ନି ହାତ୍ୱେ, ରେବେଲ୍ ୱିଲ୍ସନ, ଆଲେକ୍ସ ସାର୍ପ, ଡିନ୍ ନୋରିସ୍ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି କେବଳ ଇଂରାଜୀ ଭାଷାରେ ଆଇନକ୍ସ ଡିଏନ୍ ରେଗାଲିଆରେ ୩ଟି ସୋ’ରେ ଦେଖିବାର ସୁଯୋଗ ମିଳିବ। ଏଥିସହ ଜାକି ଶ୍ରଫ୍ଙ୍କ ଅଭିନୀତ ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର’ ସହରରେ ସର୍ବାଧିକ ସୋ’ରେ ଚାଲୁଥିବା ବେଳେ ତା’ ତଳକୁ ରହିଛି ‘ଆଭେଞ୍ଜର୍ସ: ଏଣ୍ଡ ଗେମ୍’।