ଖଣ୍ଡଗିରି: ଶୁକ୍ରବାର ବିଳମ୍ବିତ ରାତିରେ ଭରତପୁର ସୋମନାଥବସ୍ତିରେ ରଙ୍ଗମିସ୍ତ୍ରି କୈଳାସ ନାୟକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା। ଏ ନେଇ ଭରତପୁର ଥାନା ପୁଲିସ ତଦନ୍ତ କରି ଅଭିଯୁକ୍ତ ନରହରି ନାୟକ(୨୪)କୁ ଗଞ୍ଜାମଜିଲ୍ଲା ଭଞ୍ଜନଗର ଅଞ୍ଚଳରରୁ ଗିରଫ କରିଛି। ଚୋରିଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ସାଙ୍ଗ ନରହରି କୈଳାସକୁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ବୀକାର କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଗତ ୨୫ ଦିନ ହେବ କୈଳାସ ନିଜ ମା’ଙ୍କ ସହିତ ସୋମନାଥବସ୍ତିରେ ଏକ ଘର ଭଡ଼ାନେଇ ରହୁଥିଲା। କୈଳାସ ନିଜକୁ ରଙ୍ଗମିସ୍ତ୍ରିର ପରିଚୟ ଦେଉଥିଲେ ମଧ୍ୟ ସେ ଜଣେ ଅଭ୍ୟାସଗତ ଅପରାଧୀ ଥିଲା। ପୂର୍ବରୁ ତା ନା’ରେ ବିଭିନ୍ନ ଥାନାରେ ୬ଟି ମାମଲା ରହିଛି। ସାଙ୍ଗ ନରହରି ପ୍ରାୟ ସମୟରେ କୈଳାସ ଘରକୁ ରାତିରେ ଶୋଇବା ପାଇଁ ଯାଉଥିଲା। ନରହରି ନାଁରେ ମଧ୍ୟ ବିଭିନ୍ନ ଥାନାରେ ୫ଟି ଅପରାଧିକ ମାମଲା ରହିଛି। ଉଭୟ ମିଳିମିଶି ବାଇକ୍ ଚୋରି କରିବା ସହିତ କବାଡ଼ିଆରେ ବିକ୍ରି କରୁଥିଲେ। ସେହି ଚୋରି ପଇସା ଭାଗବଣ୍ଟା ନଛିଡ଼ିବାରୁ ନରହରି କ୍ରୋଧରେ ଅନ୍ଧ ହୋଇ କୈଳାସକୁ ହତ୍ୟା କରିଥିଲା। ହତ୍ୟା କରିବା ପରେ କୈଳାସର ବାଇକ୍ ନେଇ ନରହରି ଗଞ୍ଜାମ ପଳାଇଥିଲା। ପୁଲିସ ତା’ ପାଖରୁ କୈଳାସର ପଲ୍ସର୍ ବାଇକ୍ ସହିତ ଏକ ନମ୍ବରବିହୀନ ଆପାଚି ବାଇକ୍ ମଧ୍ୟ ଜବତ କରିଛି।
ମା’କୁ ମାଡ଼ ମାରିଥିଲା କୈଳାସ
ଶୁକ୍ରବାର ଦିନ ମଧ୍ୟାହ୍ନରେ କୈଳାସ କାମରୁ ଘରକୁ ଫେରିଆସିଥିଲା। ମା’ ବେବିନାଙ୍କୁ ଖାଇବାକୁ ମାଗିଥିଲା। ଖାଇବାକୁ ବସିଥିବା ସମୟରେ ଖାଦ୍ୟରେ ଲୁଣ ଅଧିକ ହୋଇଛି ବୋଲି ମା’କୁ ପାଟି କରିଥିଲା। ପରେ ଅଧାଖିଆରୁ ଉଠି ମା’କୁ ମାଡ଼ ମାରିଥିଲା। ଘରୁ ବାହାରିଯିବାକୁ ମା’କୁ କହିଥିଲା। ପୁଅଠାରୁ ମାଡ଼ଖାଇ ମା’ କାନ୍ଦିକାନ୍ଦି ନିଜର ସମ୍ପର୍କୀୟ ଝିଆରି ଘରକୁ ଚାଲିଯାଇଥିଲା। ତେବେ ରାତିରେ ମା’ ବେବିନା ପୁଅକୁ ଫୋନ୍ କରି କ’ଣ ଖାଇଛୁ ବୋଲି ପଚାରିଥିଲେ। ନରହରି ଓ ସେ ମିଶି ରୋଷେଇ କରି ଖାଇଥିବା କୈଳାସ କହିଥିଲା। ସକାଳୁ ଘରକୁ ଫେରି ପୁଅକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ ମା’ ବେବିନା।
କାହିଁକି ମାରିଲା
ନରହରି ଓ କୈଳାସ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଥିଲା। ଉଭୟ ଗଞ୍ଜାମ ଓ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଦାମୀ ବାଇକ୍ ଚୋରି କରୁଥିଲେ। ସେହି ବାଇକ୍କୁ କବାଡ଼ିଆ କିମ୍ବା ଗରାଖକୁ ବିକି ଭାଗବାଣ୍ଟି ନେଉଥିଲେ। ଗତମାସରେ ଏକ ବୁଲେଟ୍ ଚୋରି କରି ୬୦ ହଜାର ଟଙ୍କାରେ ଗରାଖକୁ ବିକିଥିଲେ। ନୂଆ ଘରଭଡ଼ା ନେବ ବୋଲି ଟଙ୍କା ଦରକାର ଅଛି କହି କୈଳାସ ନରହରିକୁ ଟଙ୍କା ଦେଇନଥିଲା। ତେବେ ନରହରି ଟଙ୍କା ପାଇଁ ଜିଦ୍ କରିବାରୁ ତାକୁ କୈଳାସ ୬ହଜାର ଟଙ୍କା ଦେଇଥିଲା। ନରହରି ଆଉ ୨୪ହଜାର ଟଙ୍କା ପାଇବାକୁ ଥିଲା। ଘଟଣାଦିନ ରାତିରେ ଉଭୟ କୈଳାସର ଘରେ ବସି ମଦ ପିଇଥିଲେ। ଏହି ସମୟରେ ନରହରି ଟଙ୍କା ମାଗିବାରୁ ଦୁହିଁଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ପରେ ଦୁହେଁ ଶୋଇପଡ଼ିଥିଲେ। ତେବେ ରାତିରେ ପରିସ୍ରା କରିବାକୁ ନରହରି ଘର ବାହାରକୁ ଯାଇଥିଲା। ରୁମ୍କୁ ଫେରିବା ପରେ କୈଳାସ ଶୋଇଥିବା ଦେଖି ତା’ ମନରେ କ୍ରୋଧ ଆସିଥିଲା। ଘରର ବାରଣ୍ଡାରେ ପଡ଼ିଥିବା ଏକ ସିମେଣ୍ଟ ଇଟା ଆଣି କୈଳାସର ମୁଣ୍ଡକୁ ବାରମ୍ବାର ଛେଚି ଚାଲିଥିଲା। ୭ଥର ଛେଚିବା ପରେ କୈଳାସ ନିସ୍ତେଜ ହୋଇପଡ଼ିଥିବା ଦେଖି କୈଳାସ ଭୟଭୀତ ହୋଇପଡ଼ିଥିଲା। ସେ ତୁରନ୍ତ କୈଳାସର ପଲ୍ସର୍ ନେଇ କଳିଙ୍ଗନଗର ପଳାଇଥିଲା। ତା’ ପରଦିନ ସକାଳୁ ଭଞ୍ଜନଗରକୁ ଚାଲିଯାଇଥିଲା।