‘ବନ୍ଧୁ’ଙ୍କ ମେଳରେ କଟିଗଲା ଦିନ

ଭୁବନେଶ୍ୱର: ଅପେକ୍ଷାର ଅନ୍ତ ଘଟିଲା। ଅଗଷ୍ଟ ମାସର ପ୍ରଥମ ରବିବାର ହେଲା। ବନ୍ଧୁତ୍ୱ ଦିବସ ଆସିଲା। ସବୁ ବୟସର, ସବୁ ବର୍ଗର ଲୋକ ପାଳନ କଲେ ଏହି ଦିବସକୁ। ବନ୍ଧୁଙ୍କ ମେଳରେ କାଟିଦେଲେ ଦିନଟିକୁ। କିଛି ଅପାସୋରା ସ୍ମୃତିକୁ ସାଉଁଟି ରଖିଲେ ଆଗାମୀ ଦିନ ପାଇଁ। ଆଜି ବନ୍ଧୁତ୍ୱ ଦିବସ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇ ଉଠିିଥିଲା ରାଜଧାନୀ। ଯୁବପିଢ଼ିଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ଏଥିପାଇଁ ଖାସ୍‌ ପ୍ରସ୍ତୁତି କରିଥିଲେ। ରାତି ବାରଟାରୁ ଆରମ୍ଭ ହୋଇଯାଇଥିଲା ଶୁଭେଚ୍ଛା ଦିଆନିଆ। ସୋସିଆଲ୍‌ ମିଡିଆରେ ସମସ୍ତେ ବେଶ୍‌ ସକ୍ରିୟ ହୋଇଯାଇଥିଲେ। ଫେସ୍‌ବୁକ୍‌, ଟ୍ଵିଟର୍‌ ଓ ହ୍ଵାଟ୍‌ସ୍‌-ଆପ୍‌ରେ ବନ୍ଧୁତ୍ୱ ଦିବସର ବାର୍ତ୍ତା ପଠାଇ ଦୂରରେ ଥିବା ବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପୁଣି ସକାଳୁ ସକାଳୁ ପାଖରେ ଥିବା ପ୍ରିୟ ବନ୍ଧୁକୁ ଭେଟି ରଙ୍ଗ ବେରଙ୍ଗର କୋଟେସନ୍‌ ଥିବା କଫି ମଗ୍‌, ଲାଇଟିଂ ବୋତଲ, କୋଟେସନ୍‌ କାର୍ଡ, ବିଭିନ୍ନ ପ୍ରକାରର ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ, ଟେଡ୍ଡି, ଫ୍ରେଣ୍ଡସିପ୍‌ ଫିତା, ବ୍ରେସଲେଟ୍‌ ଓ ଫଟୋ ଫ୍ରେମ୍‌ ଉପହାରରେ ଦେଇଥିଲେ।
ତାରକା ହୋଟେଲଠାରୁ ଆରମ୍ଭ କରି ରୋସ୍ତୋରାଁ, କେକ୍‌ ସପ୍‌, ପାର୍କ, ସିନେମା ହଲ୍‌ ଓ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ବେଶ୍‌ ଭିଡ଼ ଜମିଥିଲା। ବିଶେଷ କରି ପାର୍କଗୁଡ଼ିକରେ ଅଧିକ ଗହଳି ହୋଇଥିଲା। ବହୁ ଯୁବକ, ଯୁବତୀ ଏକାଧିକ ଗ୍ରୁପ୍‌ରେ ପାର୍କରେ ଏକାଠି ହୋଇ ବନ୍ଧୁତ୍ୱ ଦିବସ ପାଳନ କରୁଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର