ଭୁବନେଶ୍ୱର: ଅଗଷ୍ଟ ପ୍ରଥମ ରବିବାରରେ ପାଳିତ ହୋଇଛି ବନ୍ଧୁତା ଦିବସ। ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଯୁବପିଢ଼ିଙ୍କ ପର୍ଯ୍ୟନ୍ତ ବେଶ ଉତ୍ସାହର ସହ ପାଳନ କରିଛନ୍ତି। ବିଶେଷକରି ରିଲ୍ସ, ଫଟୋ ଉଠା ଓ କେକ୍‌କଟାରେ ଆଜି ବନ୍ଧୁଙ୍କ ସମୟ କଟିଛି। ତା’ ଛଡ଼ା, ସିନେମା ହଲ, ପାର୍କ, ଧଉଳି, ଖଣ୍ଡଗିରି, ରାଜ୍ୟ ସଂଗ୍ରହାଳୟ, ଜନଜାତି ସଂଗ୍ରହାଳୟରେ ପ୍ରବଳ ଭିଡ଼ ହୋଇଛି। ପରସ୍ପର ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧିବା‌ ଖୋଲା ପଡ଼ିଆରେ କେକ କାଟିବା ଦୃଶ୍ୟ ମଧ୍ୟ ନିଆରା ଥିଲା। ବିଭିନ୍ନ ତାରକା ହୋଟେଲରେ ମଧ୍ୟ ଏହି ସ୍ବତନ୍ତ୍ର ଦିବସ ପାଇଁ ଡିଜେ ନାଇଟ୍‌ର ଆୟୋଜନ ହୋଇଥିଲା। ଯୁବପିଢ଼ିଙ୍କ ପସନ୍ଦକୁ ନଜରରେ ରଖି ରାତି ଭୋଜନରେ ସ୍ୱତନ୍ତ୍ର ମେନ୍ୟୁ ରହିଥିଲା। ଏମ୍ପାୟାର ହୋଟେଲ ପକ୍ଷରୁ ‘ଫ୍ରେଣ୍ଡ ସିପ୍ ଡେ ବାସ’ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତାଙ୍କ ସମେତ ବିଘନାଜ୍ ବ୍ୟାଣ୍ଡ ଓ ରୢାମ୍ପ ସୋ’, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Advertisment

ଫ୍ରେଣ୍ଡସିପ ବ୍ୟାଣ୍ଡ ଓ ମୁଦିଗୁଡ଼ିକ ୫ ଟଙ୍କାରୁ ଆରମ୍ଭ ହୋଇ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା। ବାଣୀବିହାର ଛକର ବ୍ୟବସାୟୀ ରଘୁ ସାହୁ ପ୍ରାୟ ୭ ହଜାର ଟଙ୍କାର ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ ଓ ମୁଦି ବିକ୍ରି ହୋଇଥିବା କହିଥିଲେ। ବଜାରରେ ମଧ୍ୟ ସ୍ବତନ୍ତ୍ର କେକ ବିକ୍ରି ହୋଇଥିଲା। ବିଶେଷ କରି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଇମୋଜି କେକ୍, ଫ୍ରେଣ୍ଡସିପ ବ୍ୟାଣ୍ଡ ଥିବା କେକର ଚାହିଦା ରହିଥିଲା। ଶିରିପୁର ସ୍ଥିତ ‘ହାଲୋ ସ୍ନାକ୍ସ’ର ଶିବାଙ୍କ କହିବା ଅନୁଯାୟୀ କେକ୍‌ର ଦାମ କମ୍‌ ଓ ଗ୍ରାହକଙ୍କ ଚାହିଦା ଅନୁସାରେ ଫ୍ରେଣ୍ଡସିପ ବ୍ୟାଣ୍ଡ ସଜା ଯାଉଥିବାରୁ ଯୁବପିଢ଼ି ଏହାକୁ ବେଶ୍‌ ପସନ୍ଦ କରିଥିଲେ। ସେହିପରି କାର୍ଡ, ଚକଲେଟ ଓ ଗିଫ୍ଟ ଥିବା ‘ଫେଣ୍ଡସିପ୍ ବ୍ୟାଗ୍’ର ମଧ୍ୟ ବହୁତ ଚାହିଦା ରହିଥିଲା। ଆକାର ଅନୁସାରେ ଏହାର ଦାମ ୨୫୦ଟଙ୍କାରୁ ଆରମ୍ଭ ହୋଇ ୫ ଶହ ପର୍ଯ୍ୟନ୍ତ ରହିଥିଲା।

ସୋସିଆଲ ମିଡିଆ ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ ଆପ୍‌, ୟୁଟ୍ୟୁବ୍‌ରେ ବି ଏହି ସ୍ବତନ୍ତ୍ର ଦିନର କ୍ରେଜ୍‌ ରହିଥିଲା। କିଏ ଦୂରରେ ଥିବା ନିଜ ବନ୍ଧୁର ଫଟୋ ପୋଷ୍ଟ କରି ନିଆରା ବନ୍ଧୁତାର ସ୍ମୃତି ବାଣ୍ଟିଥିଲା ତ’ କିଏ ବନ୍ଧୁ ସହ ରିଲ୍ସ ପୋଷ୍ଟ୍‌ କରିଥିଲା। କେବଳ ସାଧାରଣ ଲୋକ ନୁହନ୍ତି, ଏଥିରେ ସେଲିବ୍ରିଟି ବି ସାମିଲ ହୋଇଥିଲେ। ସେହିପରି ବନ୍ଧୁତାରେ ଧୋକା ପାଇଥିବା ଗୋଷ୍ଠୀ ବନ୍ଧୁମାନଙ୍କୁ ‘ସାପ’ ବୋଲି ସମ୍ୱୋଧନ କରିଥିଲେ।