ଦୂରରେ ରହୁଥିବା ବନ୍ଧୁଙ୍କ ପାଇଁ ମାଧ୍ୟମ ପାଲଟିଛି ସୋସିଆଲ୍ ମିଡିଆ। ଛୁଟିଛି ‘ହାପି ଫ୍ରେଣ୍ଡସିପ୍ ଡେ’ର ଶୁଭେଚ୍ଛା। ବନ୍ଧୁତ୍ୱ ଦିବସର କିଛି ଦିନ ଆଗରୁ ସୋସିଆଲ ମିଡିିଆରେ ବହୁଛି ଶୁଭେଚ୍ଛାର ସୁଅ। ଫେସ୍ବୁକ୍, ଟ୍ଵିଟର୍, ହ୍ଵାଟ୍ସ୍ ଅପ୍, ଇନ୍ଷ୍ଟାଗ୍ରାମ ଖୋଲିଲା ମାତ୍ରେ ବନ୍ଧୁତ୍ୱ ଦିବସର ବାର୍ତ୍ତା ସ୍କ୍ରିନ୍ ଉପରକୁ ଚାଲିଆସୁଛି। ଆଧୁନିକ ଯୁଗରେ ନୂତନ ଜ୍ଞାନକୌଶଳ ମାଧ୍ୟମରେ ବନ୍ଧୁତ୍ୱ ଦିବସର ଶୁଭେଚ୍ଛା ପାଇଁ ଏହାଠାରୁ ଭଲ ଉପାୟ କିଛି ନାହିଁ ବୋଲି ଯୁବପିଢ଼ି ଧରି ନେଇଛନ୍ତି। ବେଶ୍ ସହଜ ଓ ସୁବିଧାରେ ଦୂରରେ ଥିବା ବନ୍ଧୁ ପାଖକୁ ପ୍ରଥମେ ବାର୍ତ୍ତା ପଠାଇବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ସୁନ୍ଦର କୋଟେସନ୍ ଥିବା ବାର୍ତ୍ତା ପଠାଇ ଶୁଭେଚ୍ଛା ସହ ଗପରେ ମାତୁଛନ୍ତି।
ସମ୍ପର୍କର ପରିଧି ଭିତରେ ଆମ ସମ୍ପର୍କ ପରିପକ୍ୱ ହୋଇଛି
୧୯୯୬ରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ମଡେଲିଂ ସୋ’ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରଥମ କରି ଉଷଶୀ ଓ ମୋର ଦେଖା ହେଲା। ସେତେବେଳଠାରୁ ଆମେ ପରସ୍ପରର ଭଲ ବନ୍ଧୁ ହୋଇଯାଇଥିଲୁ। ବିଭିନ୍ନ କ୍ଷେତ୍ର ଯଥା ଚଳଚ୍ଚିତ୍ର ହେଉ ବା ପ୍ରଯୋଜନା କ୍ଷେତ୍ର, ମିଳିମିଶି କାମ କରିବା ଫଳରେ ଆମ ବନ୍ଧୁତା ନିବିଡ଼ ହେଲା ଓ ଆମେ ବେଷ୍ଟ ଫ୍ରେଣ୍ଡ୍ ହୋଇଯାଇଥିଲୁ। ଆମ ବନ୍ଧୁତା ୨୩ ବର୍ଷ ଧରି ସେମତି ଅଛି। ପ୍ରତି ସମ୍ପର୍କର ଏକ ପରିଧି ରହିଛି। ସମ୍ପର୍କର ପରିଧି ଓ ମର୍ଯ୍ୟାଦା ଭିତରେ ରହିଲେ ପ୍ରତିଟି ସମ୍ପର୍କ ଦୀର୍ଘସ୍ଥାୟୀ ହୋଇପାରିବ। ଆମେ ବି ତାହା କରିଛୁ। କେବେ କାହା ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିନାହୁଁ। ଆଜି ବନ୍ଧୁତ୍ୱ ଦିବସ ଅବସରରେ ଏତିକି କହିବି, ଉଷଶୀ ତୁ ମୋ ବେଷ୍ଟ୍ ଫ୍ରେଣ୍ଡ୍ ଥିଲୁ, ଅଛୁ ଓ ରହିବୁ। ତୋର ପ୍ରତିଟି ଖରାପ ସମୟରେ ତୋ ପାଖରେ ମତେ ନିଶ୍ଚେ ପାଇବୁ। - ଶ୍ରୀତମ ଦାସ, ଅଭିନେତା
କାହାଠୁ କେବେ କିଛି ଆଶା ରଖିନୁ
୨୩ ବର୍ଷର ଆମର ବନ୍ଧୁତା ଭିତରେ ବହୁ ଭଲ ଓ ଖରାପ ସମୟ ଦେଖିଛି। ମଡେଲିଂ ଜୀବନଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଜୀବନ ପର୍ଯ୍ୟନ୍ତ ସମସ୍ତ ସଂଘର୍ଷ ଓ ଉତ୍ଥାନ ପତନ ସହ ବନ୍ଧୁତା ଆମର ଦୃଢ଼ରୁ ଦୃଢ଼ତର ହୋଇଛି। ଉଭୟ ପରସ୍ପର ବିପଦ ଆପଦରେ ଠିଆ ହୋଇଛୁ। କିନ୍ତୁ ଆମ ବନ୍ଧୁତା ମତଲବର ନୁହେଁ। କେବେ କାହାଠୁ କିଛି ଆଶା ରଖିନୁ। ମୋ ମତରେ ବନ୍ଧୁତା ତାହା, ଯେଉଁଠି ମନ ବନ୍ଧୁକୁ ଖୋଜିବ ଏବଂ ବନ୍ଧୁର ନାଁ ହଠାତ୍ ଫୋନ୍ରେ ବାଜି ଉଠିବ। ସେମିତିକା ବନ୍ଧୁଟିଏ ମୋର ଶ୍ରୀତମ। ଆଜି ବନ୍ଧୁତ୍ୱ ଦିବସରେ ଏତିକି କହିବି ଶ୍ରୀତମ ତୁ ଦୁନିଆର ସବୁ ଖୁସି ନେଇ ଶାନ୍ତିରେ ଥା’। - ଉଷଶୀ ମିଶ୍ର, ଅଭିନେତ୍ରୀ
କ୍ୟାମ୍ପସ୍ରେ ଉତ୍ସବ
ରବିବାର ପଡ଼ୁଛି ବନ୍ଧୁତ୍ୱ ଦିବସ। ସ୍କୁଲ୍, କଲେଜ ଛୁଟି। କିନ୍ତୁ ବନ୍ଧୁମାନଙ୍କ ସହ ତ ଦିନଟିକୁ ପାଳନ କରିବାକୁ ପଡ଼ିବ। ସେଥି ପାଇଁ ରାଜଧାନୀର ବିଭିନ୍ନ କ୍ୟାମ୍ପସ୍ରେ ଆଜି ଏହି ଦିବସଟି ପାଳନ କରାଯାଉଥିବାର ଦେଖିବାକୁ ମିଳିଥିଲା। ଅଧିକାଂଶ ଛାତ୍ରଛାତ୍ରୀ ପରସ୍ପରକୁ ଫ୍ରେଣ୍ଡ୍ସିପ୍ ବ୍ୟାଣ୍ଡ୍ ପିନ୍ଧାଇ ଶୁଭେଚ୍ଛା ଜଣାଇଥିଲେ। ଆଉ କିଛି ଜାଗାରେ ପରସ୍ପରକୁ ଉପହାର ଦେଉଥିଲେ। ପୁଣି କିଛି କ୍ୟାମ୍ପସ୍ରେ ଛାତ୍ରଛାତ୍ରୀ ନାଚ, ଗୀତ କରି ଖାଇପିଇ ଦିନଟିକୁ ମନାଇଥିଲେ। ଆସନ୍ତାକାଲି ନିଜନିଜ ଘନିଷ୍ଠ ସାଙ୍ଗମାନଙ୍କ ସହ ସମସ୍ତେ କିଛି ଯୋଜନା କରିଛନ୍ତି। କିନ୍ତୁ ଏକାଥରେ ଏତେ ସାଙ୍ଗ ଏକାଠି ହେବା ସମ୍ଭବ ନ ଥିବାରୁ ଆଗୁଆ ପାଳନ କରିଦେଲୁ ବୋଲି ବହୁ ଛାତ୍ରଛାତ୍ରୀ କହିଛନ୍ତି।