ଭୁବନେଶ୍ୱର : ମଣିଷର ଛାଇ ପଡ଼ିଲେ ପାରାମାନେ ଉଡ଼ିଯାଆନ୍ତି। ମାତ୍ର ସ୍ନେହ ଆଗେ ସବୁ ସଂଶୟ ଟଳିଯାଏ। ପକ୍ଷୀ ହେଲେ ବି ସେମାନେ ପଢ଼ି ନିଅନ୍ତି ମଣିଷ ମନର ଭାଷା। ଖୁଦ ଟିକେ ନେଇ ଛିଡ଼ା ହୋଇଗଲେ ଦଳବଳ ହୋଇ ପାଖକୁ ଚାଲି ଆସନ୍ତି। ବିନା ଦ୍ବିଧାରେ ମୁଣ୍ଡରେ-ହାତରେ-କାନ୍ଧରେ ବସନ୍ତି। ସ୍ବଚ୍ଛନ୍ଦରେ ଚଣା ଖାଆନ୍ତି। ରାତି ପାହିଲେ, ଭୁବନେଶ୍ବର କ୍ଲବ୍ ସମ୍ମୁଖରେ ମଣିଷ-ପାରା ବନ୍ଧୁତ୍ବର ଏ ଦୃଶ୍ୟ କ୍ଷଣେ ଅଟକିଯିବାକୁ ବାଧ୍ୟ କରେ। ସ୍ନେହ ଓ ଆବିଳତାପୂର୍ଣ୍ଣ ଭାବ ଦିଆନିଆ ଦେଖି ମନ କୁଣ୍ଢେମୋଟ୍ ହୁଏ।
ପାରା-ମଣିଷଙ୍କ ଏ ବନ୍ଧୁତା ଆଜିର ନୁହେଁ, ବରଂ ଦୀର୍ଘ ବର୍ଷର। ଆଗରୁ ଏମାନେ ଏତେ ସଂଖ୍ୟାରେ ଆସୁନଥିଲେ। ମାତ୍ର ଯେବେଠୁ ବେଗୁନିଆ ନିବାସୀ ଅକ୍ଷୟ ସାହୁ ସେଠାରେ ବ୍ୟବସାୟ ଆରମ୍ଭ କଲେ ସେବେଠୁ ସେ କିଛି ଦାନା ଓ ପାଣି ଆଣି ପାରାମାନଙ୍କ ଉଦ୍ଦେଶ୍ୟରେ ରଖିଲେ। ଖାଦ୍ୟ ଓ ପାଣି ମିଳିଯିବାରୁ ପାରାଙ୍କ ସଂଖ୍ୟା ବଢ଼ି ଚାଲିଲା। ତାଙ୍କ ଦେଖାଦେଖି କିଛି ଲୋକେ ବି ପକ୍ଷୀମାନଙ୍କୁ ଖାଇବାକୁ ଦେବାକୁ ଦାନା ଆଣି ପହଞ୍ଚିଲେ। ପକ୍ଷୀମାନେ ବୋଧେ ବୁଝିନେଲେ; ଏଠି ଲୋକଙ୍କ ମେଳି ତାଙ୍କରି ପାଇଁ। ସେବେଠୁ ଆଉ ସେମାନେ ଏ ଜାଗାରେ ମଣିଷକୁ ଡରନ୍ତି ନାହିଁ, ବରଂ ମଣିଷଟିଏ ଛିଡ଼ା ହୋଇଗଲେ ସେମାନେ ଯେଉଁଠି ଥାଆନ୍ତି, ଆସି ପହଞ୍ଚି ଯାଆନ୍ତି। ଦେହ ମୁଣ୍ଡରେ ବସି ନିର୍ଭୟରେ ଖାଆନ୍ତି। ସକାଳ ୯ଟା ପରେ ଏହି ଜାଗାରେ ଜମେ ପାରାଙ୍କ ଗହଳି। ଚଣା, ସୋରିଷ, ଗଜାମୁଗ, ବାଦାମ, ଗହମ ଖାଇ ଲେଉଟି ଯାଆନ୍ତି। ଏ ଭିତରେ ଯେଉଁ ଭାବ ଦିଆନିଆ ଚାଲେ, ସେ ଦୃଶ୍ୟ ଅନନ୍ୟ। ପକ୍ଷୀମାନଙ୍କୁ ପାଖରେ, ନିଜ ହାତ ଉପରେ ବସେଇ ପିଲାମାନେ ଢେର୍ ମଜା ନିଅନ୍ତି।
ମଣିଷ-ପାରାଙ୍କ ମଧ୍ୟରେ ବନ୍ଧୁତାର ନିଚ୍ଛକ ଉଦାହରଣ ହେଉଛନ୍ତି ନୂଆପଲ୍ଲୀ ବ୍ରିଟ୍ କଲୋନିର ଚିତ୍ତରଂଜନ ସାହୁ। ଶ୍ରୀ ସାହୁ କୁହନ୍ତି, ଖରା ହେଉ କି ବର୍ଷା; ସେମାନଙ୍କ ପାଖକୁ ଆସି ଖାଇବାକୁ ନଦେଲେ ଦିନଯାକ କେଉଁ କାମରେ ମନ ଲାଗେ ନାହିଁ। ତେଣୁ ବ୍ୟବସାୟ କ୍ଷେତ୍ରକୁ ଯିବା ପୂର୍ବରୁ ଏମାନଙ୍କ ସହ ଭେଟ ହୋଇଗଲେ ଦିନଟା ଭଲରେ ଯାଏ। ପୁରୁଣା ଭୁବନେଶ୍ବରର ଭବେଶ କୁମାର ଲାଲ୍ଙ୍କର ବି ସେଇ ସମାନ ଉତ୍ତର। ‘ମୁଁ ଆଣିଥିବା ଦାନା ସେମାନଙ୍କ ପେଟରେ ପଡ଼ିଗଲେ ଆତ୍ମା ଶାନ୍ତି ଲାଗେ। ଅନ୍ୟପକ୍ଷରେ ରାଜଧାନୀରେ ଚାଷବାସ ନାହିଁ କି ଫଳମୂଳ ଗଛ ବି ବିଶେଷ ନାହିଁ। ଯଦି ଭୋକ ଲାଗୁଥିବ, ସେମାନେ କାହାକୁ ବା କହିବେ? ତେଣୁ ପ୍ରତିଦିନ ସକାଳେ ଏମାନଙ୍କ ପାଇଁ ଗଜାମୁଗ ନେଇକି ଆସେ’ ବୋଲି ସେ କହିଛନ୍ତି। କିଛି ବ୍ୟକ୍ତି ବାସ୍ତୁ ଆଳରେ ବି ଏଠାକୁ ଆସନ୍ତି। ଆଳ ଯାହା ବି ହେଉ; କିନ୍ତୁ ମଣିଷ-ପକ୍ଷୀଙ୍କ ଏ ସମ୍ପର୍କର ପରିଭାଷା ଭାବବିହ୍ବଳ କରିଦିଏ।