ରାଜ୍ୟରେ ପ୍ରଥମ: କାଉଣ୍ଟର୍‌ରୁ ଏଟିଏମ୍‌ ମେସିନ୍‌ ଟେକିନେଇ ୨୧ ଲକ୍ଷ ଲୁଟିଲେ

ଦୟାକୂଳରୁ ମିଳିଲା ଭଙ୍ଗା ମେସିନ୍‌, ହଜାରେ ଟଙ୍କା

ଭୁବନେଶ୍ବର/ଧଉଳି: ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନି ଅଞ୍ଚଳରୁ ସୋମବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଲୁଟ୍‌ ହୋଇଛି। ଏହି ଅଞ୍ଚଳରେ ଥିବା ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ରୁ ଦୁର୍ବୃତ୍ତମାନେ ୨୧ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦୁର୍ବୃତ୍ତମା‌ନେ ମାତ୍ର ୨୨ ମିନିଟ୍‌ ଭିତରେ ପୂରା ଏଟିଏମ୍‌ ମେସିନ୍‌କୁ ତାଡ଼ି କାଉଣ୍ଟର୍‌ରୁ ବାହାର କରିନେଇଥିଲେ। ପରେ ସେଥିରୁ ଟଙ୍କା ଲୁଟି ମେସିନ୍‌କୁ ଘଟଣାସ୍ଥଳଠାରୁ ପାଖାପାଖି ୫ କିମି ଦୂର ଲିଙ୍ଗିପୁର ସନ୍ଥବିହାର ନିକଟ ଦୟା ନଦୀକୂଳରେ ଫୋପାଡ଼ି ଦେଇଥିଲେ। ଚିପ୍‌ ଲଗାଇ, ପିନ୍‌ ଗେଞ୍ଜି, ପାତ ବ୍ୟବହାର କରି ଏଟିଏମ୍‌ରୁ ଟଙ୍କା ଲୁଟ୍ ହେବା ଘଟଣାର ବହୁତ ନଜିର ଅଛି।କିନ୍ତୁ ଏମିତି ପୂରା ଏଟିଏମ୍‌ ମେସିନ୍‌କୁ ତାଡ଼ି ନେବା ଘଟଣା, ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ଧଉଳି ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମେସିନ୍‌ର ଭଗ୍ନାଂଶ ଓ ମାତ୍ର ୧ ହଜାର ଟଙ୍କା ଜବତ କରିଛି। ମେସିନ୍‌ର ବିଭିନ୍ନ ଅଂଶରୁ ସାଇଣ୍ଟିଫିକ୍‌ ଟିମ୍‌ ଫିଙ୍ଗର୍‌ପ୍ରିଣ୍ଟର ନମୁନା ସଂଗ୍ରହ କରିଛି। ସେହିପରି ଏଟିଏମ୍‌ କାଉଣ୍ଟର୍‌ ସମେତ ଆଖପାଖ ଅଞ୍ଚଳର ସିସିଟିଭି ଜବତ କରି ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌ରୁ ଲୁଟେରାମାନଙ୍କୁ ଠାବ କରିବା ପାଇଁ ଚେଷ୍ଟା କରାଯାଉଛି।

ଅପରପେକ୍ଷ, ଏଭଳି ହାଇଟେକ୍‌ ତରିକାରେ ଲୁଟ୍‌ ପୁଲିସ୍‌ର ସମସ୍ୟା ବଢ଼ାଇ ଦେଇଛି। ଏଟିଏମ୍‌ ମେସିନ୍‌ ଇନ୍‌ଷ୍ଟଲ ସଂପର୍କରେ ଲୁଟେରାଙ୍କ ଗଭୀର ଜ୍ଞାନ ଥିବା ପୁଲିସ୍‌ ଅନୁମାନ କରୁଛି। ନଚେତ୍‌ ମାତ୍ର ୨୨ ମିନିଟ୍‌ରେ ବିନା ଗ୍ୟାସ୍‌ କଟର୍‌ରେ ମେସିନ୍‌କୁ ତାଡ଼ିନେବା ସାଧାରଣ ଲୁଟେରାଙ୍କ ପକ୍ଷେ ସମ୍ଭବ ନୁହେଁ। ଏଥିପାଇଁ ଅନ୍ତତଃ ୨ରୁ ୩ଘଣ୍ଟା ଲାଗିଯିବା କଥା ବୋଲି ପୁଲିସ କହିଛି। ଆଜି ସକାଳ ପାଖାପାଖି ୮ଟାରେ ଜଣେ ଯୁବକ ଟଙ୍କା ଉଠାଇବା ପାଇଁ ଆସିଥିବା ବେଳେ ମେସିନ୍‌ ନଥିବା ଦେଖି ପୁଲିସକୁ ଜଣାଇଥିଲେ।

ଅପରେସନ୍‌ରେ ୩ଟିମ୍‌

ଏହି ଘଟଣାର ତଦନ୍ତ ପାଇଁ ପୁଲିସ କମିସନର ଓ ଡିସିପିଙ୍କ ନେତୃତ୍ବରେ ସାଇବର, ସ୍ପେସା‌ଲ୍‌ ସ୍କ୍ବାଡ୍‌କୁ ନେଇ ୩ଟି ଟିମ୍‌ ଗଠନ କରାଯାଇଛି। ସକାଳ ୮ଟାରୁ ଗୋଟିଏ ଟିମ୍‌ ଏଟିଏମ୍‌ କାଉଣ୍ଟର୍‌କୁ ଆସି ତଦନ୍ତ ଆରମ୍ଭ କରିଥିବା ବେଳେ ଅନ୍ୟ ଏକ ଟିମ୍‌ ସ୍ଥାନୀୟ ଅଞ୍ଚଳରେ ପଇଁତରା ମାରିଥିଲା। ଆଉ ଏକ ଟିମ୍‌ ବୈଷୟିକ ଦିଗରେ ଯାଞ୍ଚ କରିଥିଲା। ସକାଳ ୮ଟାରୁ ୩ଟି ଟିମ୍‌ ଲାଗି ପଡ଼ିଥିବା ବେଳେ ପାଖାପାଖି ସାଢ଼େ ୪ ଘଣ୍ଟା ପରେ ଅର୍ଥାତ୍‌ ସାଢ଼େ ୧୨ଟା ବେଳେ ଗୋଟିଏ ଟିମ୍‌ ବ୍ୟବହୃତ ଟାଟା ଏସ୍‌ ଗାଡ଼ିକୁ ନଦୀ ପଠାଠା‌ରୁ ୩କିମି ଦୂରରେ ଠାବ କରିଥିଲା। ଗାଡ଼ି ଠାବ ପରେ ଟିମ୍‌ ନଦୀପଠା ଚାରିପଟେ ପଇଁତରା ମାରିଥିଲା। ଅପରାହ୍‌ଣ ପାଖାପାଖି ୧ଟା ‌େବେଳ ନଦୀପଠାରୁ ଭଙ୍ଗା ମେସିନ୍‌କୁ ଜବତ କରିଥିଲା।

କେମିତି ଲୁଟିଲେ

ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହା ଏକ ଯୋଜନାବଦ୍ଧ ଲୁଟ୍‌। ଏଥିପାଇଁ ଦୁର୍ବୃତ୍ତମାନେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସୋମବାର ରାତି ପାଖାପାଖି ସାଢ଼େ ୧୦ଟା ବେଳେ ନଦୀକୂଳ‌ରେ ଏକାଠି ହେବା ପରେ ସେଠାରୁ ଦୁଇଟି ଟିମ୍‌ରେ ଭାଗ ହୋଇଯାଇଥିଲେ। ୩ ଜଣିଆ ଆଉ ଏକ ଟିମ୍‌ ଏଟିଏମ୍‌ ପାଖ‌ରେ ପଇଁତରା ମାରିଥିଲା। ଆଉ ଗୋଟିଏ ଟିମ୍‌ ଏଟିଏମ୍‌ଠାରୁ ୨ କିମି ଦୂରରେ ଥିବା ବିଜୟ କୁମାର ସାହୁଙ୍କ ନର୍ସରିରେ ପଶିଥିଲେ। ନର୍ସରି ତାଲା ଭାଙ୍ଗି ସେଠାରେ ଥିବା ଏକ ଟାଟା ଏସ୍‌ ଗାଡ଼ି ଚୋରି କରିଥିଲେ।

ଗାଡ଼ି ଚୋରି କରିବାରେ ସଫଳ ହେବା ପରେ ସେମାନେ ଅନ୍ୟ ଟିମ୍‌କୁ ଖବର ଦେଇଥିଲେ। ତା’ ପରେ ଆରମ୍ଭ ହୋଇଥିବା ଅପରେସନ୍‌। ଏଟିଏମ୍‌ ପାଖରେ ଥିବା ୩ ଦୁର୍ବୃତ୍ତ ମୁହଁରେ ମୁଖା ଓ ହାତରେ ଗ୍ଲୋଭ୍ସ ପିନ୍ଧି ରାତି ପ୍ରାୟ ୨ଟା ୧୮ରେ କାଉଣ୍ଟର୍‌ ଭିତରକୁ ପଶିଥିଲେ। ପ୍ରଥମେ ସିସି କ୍ୟାମେରାକୁ ଭାଙ୍ଗିବା ସହ ଆଲାରାମ୍‌ ଆଲର୍ଟ ସିଷ୍ଟମ୍‌କୁ ଅକାମି କରିଦେଇଥିଲେ। ମାତ୍ର ୨୨ ମିନିଟ୍‌ ଭିତରେ ସେମାନେ ମେସିନ୍‌କୁ ଶାବଳ ଓ ଅନ୍ୟ କିଛି ଯନ୍ତ୍ରାଂଶରେ ତାଡ଼ି ଦେଇଥିଲେ। ରାତି ୨ଟା ୪୦ରେ ଟାଟା ଏସ୍‌ କାଉଣ୍ଟର୍‌ ପାଖରେ ପହଞ୍ଚିବା ପରେ ସେମାନେ ସେଥିରେ ମେସିନ୍‌କୁ ଲଦି ଫେରାର୍‌ ହୋଇଯାଇଥିଲେ। ପାଖାପାଖି ୫ କିମି ଦୂର ଦୟାଦନୀ ପଠାରେ ମେସିନ୍‌କୁ ଓହ୍ଲାଇ ସେଥିରୁ ଟଙ୍କା ବାହାର କରି ମେସିନ୍‌କୁ ସେହିଠାରେ ଫୋପାଡ଼ି ଦେଇଥିଲେ। ତେବେ କେଉଁ ଗାଡ଼ିରେ ଚୋରି ହୋଇଛି, ପୁଲିସ୍‌ ଯେମିତି ଜାଣି ନ ପାରିବ, ସେଥିପାଇଁ ସେମାନେ ଉକ୍ତ ଟାଟା ଏସ୍‌କୁ ପୁଣିଥରେ ନର୍ସରି ପାଖରେ ଥୋଇ ଦେଇଥିଲେ।

ପୁଣେକୁ ଯାଇଥିଲା ଡାଉନ୍‌ କଲ୍‌

‌ଯେକୌଣସି କାରଣ ପାଇଁ ବି ଏଟିଏମ୍‌ ମେସିନ୍‌ ବନ୍ଦ ହୋଇଗଲେ କିମ୍ବା ଖରାପ ହୋଇଗଲେ, ତୁରନ୍ତ ଡାଉନ୍‌ କଲ ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥାଏ। ମେସେଜ୍‌ ପାଇବା ମାତ୍ରେ ସମ୍ପୃକ୍ତ ବ୍ରାଞ୍ଚ ଅଧିକାରୀଙ୍କୁ ଏଟିଏମ୍‌ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ। ରାତି ପାଖାପାଖି ସାଢ଼େ ୨ଟା‌‌ରେ ଡାଉନ୍‌ କଲ୍‌ ପୁଣେ ଅଫିସ୍‌କୁ ଯାଇଥିବା ଜଣେ ଅଧିକାରୀ କହିଛନ୍ତି। ହେଲେ ସକାଳୁ ସେମାନେ ଏଟିଏମ୍‌ ଯାଞ୍ଚ ପାଇଁ ଆସିବା ବେଳକୁ ଲୁଟ୍‌ ହୋଇସାରିଥିଲା।

୧୨ଘଣ୍ଟା ପୂର୍ବରୁ ୨୫ ଲକ୍ଷ ଜମା ହୋଇଥିଲା

ମେସିନ୍‌ ତଡ଼ାଯିବାର ମାତ୍ର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସୋମବାର ଅପରାହ୍‌ଣ ୨ଟାରେ ଏଟିଏମ୍‌ରେ ୨୫ଲକ୍ଷ ଟଙ୍କା ଜମା କରାଯାଇଥିଲା। ତଥ୍ୟରୁ ଯାହା ଜଣାପଡ଼ିଛି ଯେ ଟଙ୍କା ଜମା ପରେ ଗ୍ରାହକମାନେ ମାତ୍ର ୪ଲକ୍ଷ ଟଙ୍କା ଉଠାଇଛନ୍ତି। ମେସିନ୍‌ରେ ଆହୁରି ୨୧ଲକ୍ଷ ଟଙ୍କା ଥିଲା।

ଏଟିଏମ୍‌ ତାଡ଼ିବାରେ ଦୁଇଥର ବିଫଳ ହୋଇଥିଲେ

ରାଜ୍ୟରେ ପୂର୍ବରୁ ଦୁର୍ବୃତ୍ତମାନେ ଦୁଇ ଦୁଇ ଥର ଏଟିଏମ୍‌ ତାଡ଼ିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ପ୍ରଥମେ ୨୦୧୧ ନଭେମ୍ବର ମାସରେ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳରୁ ଏଟିଏମ୍‌ ତାଡ଼ି ନେଇଥିଲେ। ହେଲେ ଟଙ୍କା ବାହାର କରିନପାରି ମେସିନ୍‌ ଛାଡ଼ି ପଳାଇଥିଲେ। ସେହିପରି ସମ୍ବଲପୁର ଜିଲ୍ଲାରେ ମଧ୍ୟ ସମାନ ଘଟଣା ଘଟିଥିଲା। ଲୁଟେରାମାନେ ଏଟିଏମ୍‌ ମେସିନ୍‌ ନେଇଯାଇଥିଲେ। ହେଲେ ଟଙ୍କା ନେଇପାରିନଥିଲେ।

ମୁକୁଳା କାଉଣ୍ଟର୍‌ ସୁହାଇଲା

ପୂର୍ବରୁ ଏହି ଏଟିଏମ୍‌ରୁ ଦୁଇ ଦୁଇଥର ଲୁଟ୍‌ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି। ଥରେ ଲୁଟେରାମାନେ ଲୁଟ୍‌ ଉଦ୍ୟମ କରିଥିଳେ ବି ସଫଳ ହୋଇପାରିନଥିଲେ। ବ୍ୟାଟେରି ଚୋରି କରି ପଳାଇଥିଲେ। ଦ୍ବିତୀୟଥର ଲୁଟେରାମାନେ ଏଟିଏମ୍‌ରେ ତାର ଗେଞ୍ଜି ଟଙ୍କା ନେବାରେ ସକ୍ଷମ ହୋଇଥିଲେ। କିନ୍ତୁ ଏହା ସତ୍ତ୍ବେ ବ୍ୟାଙ୍କ ପକ୍ଷରୁ ସିକ୍ୟୁରିଟି ଗାର୍ଡ ମୁତୟନ କରାଯାଇନଥିଲା। ତେଣୁ ଏହି ମୁକୁଳା କାଉଣ୍ଟର୍‌ ଲୁଟେରାଙ୍କୁ ସୁହାଇଲା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର