ଡକାୟତି ପରେ ସିନ୍ଧିଚୋରି: ଝରକା ଗ୍ରିଲ୍‌ ତାଡ଼ି କଳାକନା ବୁଲାଇଲେ

୧୦୦ ଗ୍ରାମ୍‌ ସୁନା, ୫ କେଜି ରୁପା ଓ ୧୦ ହଜାର ଟଙ୍କା ଲୁଟିନେଲେ, ମାରଣାସ୍ତ୍ର ଜବତ

ପୁରୁଣା ଭୁବନେଶ୍ବର: ବୁଧବାର ରାତିରେ ମଞ୍ଚେଶ୍ବର ଥାନା ଭୋଟପଡ଼ା ଗାଁରେ ଘଟିଥିଲା ସଶସ୍ତ୍ର ଡକାୟତି। ବନ୍ଧୁକ, ଖଣ୍ଡା ଭଳି ମାରଣା‌ସ୍ତ୍ରରେ ସଜ୍ଜିତ ପାଞ୍ଚଜଣିଆ ଏକ ଡକାୟତ ଗ୍ୟାଙ୍ଗ୍‌ ବିଜେପି ନେତା ଦୀନବନ୍ଧୁ ଦାସଙ୍କ ଘରେ ପଶି ଆକ୍ରମଣ କରିବା ସହ ୩ଲକ୍ଷ ଟଙ୍କା ଓ ବିପୁଳ ସୁନାଗହଣା ଲୁଟି ନେଇଥିଲେ। ରାଜଧାନୀରେ ଏହି ଡକାୟତି ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଡକାୟତମାନଙ୍କ ଟେର୍‌ ପାଇନାହିଁ। ଏହି ଘଟଣା ରାଜଧାନୀବାସୀଙ୍କ ମନରୁ ନ ଯାଉଣୁ, ପୁଣି ଗୁରୁବାର ରାତିରେ ଶ୍ରୀଲିଙ୍ଗରାଜ ଥାନା ସାମନ୍ତରାପୁର ମହାବୀରନଗରରେ ଘଟିଛି ଏକ ବଡ଼ଧରଣର ସିନ୍ଧିଚୋରି।

ସିନ୍ଧିଚୋରମାନେ ମଞ୍ଜୁଶ୍ରୀ ମହାନ୍ତିଙ୍କ ଘରର ଝରକା ତାଡ଼ି ପ୍ରାୟ ୧୦୦ ଗ୍ରାମ୍‌ର ସୁନା ଅଳଙ୍କାର, ୫କେଜି ଓଜନର ରୁପା ଗହଣା, ୧୦ହଜାର ଟଙ୍କା ଓ ମୋବାଇଲ ଫୋନ୍‌ ଲୁଟି ନେଇଛନ୍ତି। ସିନ୍ଧିଚୋରମାନେ ମଞ୍ଜୁଶ୍ରୀ ଓ ତାଙ୍କ ଝିଅକୁ ଶୋଇଥିବା ଅବସ୍ଥାରେ ଗୋଟିଏ ଘରେ ବନ୍ଦ କରି ଅନ୍ୟ ଘରୁ ଆଲ୍‌ମିରା ଭାଙ୍ଗି ସବୁ ଲୁଟି ନେଇଛନ୍ତି। ଏନେଇ ଶ୍ରୀଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ କରିଛି।

ପୁଲିସ ଚୋରମାନେ ଛାଡ଼ି ପଳାଇଥିବା ଶାବଳ, ଲୁହାରଡ୍‌ ଓ ଛୁରିକୁ ଜବତ କରିଛି। ମାତ୍ର ଭୋଟପଡ଼ା ଡକାୟତି ମାମଲା ଭଳି ଏହି ମାମଲା‌ରେ ବି ପୁଲିସ ସିନ୍ଧିଚୋରଙ୍କ ପତ୍ତା ପାଇନାହିଁ। ଠିକ୍ ନୂଆବର୍ଷ ଆରମ୍ଭ ପୂର୍ବରୁ ରାଜଧାନୀରେ ଡକାୟତ ଓ ସିନ୍ଧିଚୋରଙ୍କ ଏଭଳି ଉତ୍ପାତ ରାଜଧାନୀବାସୀଙ୍କୁ ଭୟର ବାତାବରଣ ଭିତରକୁ ଠେଲି ଦେଇଛି।

୨ ପୋଷା କୁକୁର ‌ଭୋକିଲେନି, ନିଶା ସ୍ପ୍ରେ’ ସନ୍ଦେହ
ସିନ୍ଧିଚୋରମାନେ ନିଶା ସ୍ପ୍ରେ’ କରିଥିବା ମଞ୍ଜୁଶ୍ରୀ ସନ୍ଦେହ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ସବୁଦିନ ଭଳି ସେମାନେ ରାତି ପ୍ରାୟ ୧ଟା ବେଳେ ଶୋଇଥିଲେ। ତେଣୁ ଦୁର୍ବୃତ୍ତମାନେ ରାତି ୨ଟା ପରେ ଘରେ ପଶିଥିବା ଅନୁମାନ କରାଯାଉଛି। ବଡ଼ କଥା ହେଉଛି, ସେମାନେ ସବୁଦିନ ଭୋର୍‌ ପ୍ରାୟ ପାଞ୍ଚଟାରେ ଉଠି ପଡ଼ନ୍ତି। ମାତ୍ର ଆଜି ସେମାନେ ସକାଳ ୭ଟା ଯାଏ ଶୋଇଥିଲେ। ଉଠିବା ପରେ ଅସୁସ୍ଥ ଅନୁଭବ କରୁଥିଲେ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ତାଙ୍କର ଦୁଇଟି ପୋଷା କୁକୁର ଅଛନ୍ତି। ସେମାନେ ସକାଳ ହେବା ମାତ୍ରେ ଉଠି ପଡ଼ି ବାହାରକୁ ଯିବାକୁ ବ୍ୟସ୍ତ ହୋଇପଡ଼ନ୍ତି। ମାତ୍ର ଦୁଇ କୁକୁର ମଧ୍ୟ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରହିଥିଲେ। ତେଣୁ ସିନ୍ଧିଚୋରମାନ ସମସ୍ତଙ୍କ ଉପରେ କୌଣସି ନିଶା ସ୍ପ୍ରେ’ କରିଥିବା ସେ ସନ୍ଦେହ କରୁଛନ୍ତି।

ବୁଲୁନି ପିସିଆର୍‌
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଏହି ଅଞ୍ଚଳରେ ପିସିଆର୍‌ ଭ୍ୟାନ୍‌ ବୁଲୁ ନଥିବାରୁ ଏଭଳି କାଣ୍ଡ ଘଟୁଛି। ଏହି ଅଞ୍ଚଳକୁ ସପ୍ତାହରେ କଦବା କେତେବେଳେ ଥରେ ପିସିଆର୍‌ ଆସୁଛି। ଫଳରେ ସଂଜ ନଉଁନଉଁ ଏଠାରେ ନିଶାଡ଼ିଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। ପୁଲିସର ଦୁର୍ବଳ ପାଟ୍ରୋଲିଂ ପାଇଁ ଏଠାରେ ଚୋରି ବଢ଼ୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।

ରୋଷେଇ ଘର ଝରକା ଗ୍ରିଲ୍‌ ତାଡ଼ି ପଶିଥିଲେ
ତିନି ମହଲା ବିଶିଷ୍ଟ କୋଠାର ତଳ ମହଲାରେ ମଞ୍ଜୁଶ୍ରୀଙ୍କ ପରିବାର ରୁହନ୍ତି। ମଞ୍ଜୁଶ୍ରୀଙ୍କ ସ୍ବାମୀ ହାଇଦ୍ରାବାଦ୍‌ ଯାଇଥିବାରୁ ଗତକାଲି ମା’ ଓ ଝିଅ ଗୋଟିଏ ରୁମ୍‌ରେ ଶୋଇଥିଲେ। ସେମାନେ ସକାଳୁ ଉଠିବା ବେଳକୁ ଉକ୍ତ ରୁମ୍‌ର ବାହାରପଟୁ ବନ୍ଦ ଥିଲା। ପଡ଼ୋଶୀଙ୍କୁ ଡାକି ସେମାନେ କବାଟ ଖୋଲାଇବା ପରେ ରୁମ୍‌ରୁ ବାହାରିଥିଲେ।

ବାହାରୁ କବାଟ ବନ୍ଦ ଥିବା ଜାଣିବା ପରେ ସେମାନେ ବୁଝି ସାରିଥିଲେ ଯେ ଘରୁ ଚୋରି ହୋଇଛି। ସତକୁ ସତ ସେମାନେ ରୁମ୍‌ରୁ ବାହାରିବା ପରେ ପାଖ ଘରେ ଆଲ୍‌ମିରା ଭଙ୍ଗା ହୋଇଥିବା ଓ ସବୁ ଜିନିଷପତ୍ର ବିଛାଡ଼ି ହୋଇ ଘର ସାରା ପଡ଼ିଥିବା ଦେଖିବାକୁ ପାଇଥିଲେ। ରୋଷେଇ ଘରର ଝରକା ଗ୍ରିଲ୍‌ ତଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଆଲ୍‌ମିରାରେ ପ୍ରାୟ ୧୦୦ଗ୍ରାମ୍‌ର ସୁନାଗହଣା, ୫କେଜି ରୁପା ଗହଣା ଓ ନଗଦ ୧୦ ହଜାର ଟଙ୍କା ଥିଲା। ସିନ୍ଧିଚୋରମାନେ ସବୁ ଦରାଣ୍ଡି ନେଇଯାଇଥିବା ଜଣାପଡ଼ିଥିଲା।

ଟାର୍ଗେଟ୍‌ରେ ଥିଲା ମଞ୍ଜୁଶ୍ରୀଙ୍କ ଘର
ମଞ୍ଜୁଶ୍ରୀଙ୍କ କହିବା କଥା, ପ୍ରାୟ ୪ମାସ ପୂର୍ବରୁ ଥରେ ତାଙ୍କ ଘରୁ ଲୁଟ୍‌ ଉଦ୍ୟମ ହୋଇଥିଲା। ବିଳମ୍ବିତ ରାତିରେ ଡକାୟତମାନେ ତାଙ୍କ ଘରର ମୁଖ୍ୟ କବାଟ ଭାଙ୍ଗିବା ପରେ ତାଙ୍କ ଝିଅ ‌ଶୋଉଥିବା ରୁମ୍‌ର କବାଟ ଭାଙ୍ଗିବାକୁ ବସିଥିଲେ। ସୌଭାଗ୍ୟକୁ ସେତେବେଳ ପର୍ଯ୍ୟନ୍ତ ଝିଅ ଶୋଇନଥିଲା।

ବିଳମ୍ବରେ ଶୋଇବା ଅଭ୍ୟାସ କାରଣରୁ ସେ ଚେଇଁଥିଲା। ତେଣୁ କବାଟ ଭାଙ୍ଗିବା ଶବ୍ଦ ଶୁଣି ସେ ଭିତରୁ ଚିତ୍କାର କରି ଡାକ ପକାଇଥିଲା। ସେଦିନ ମଞ୍ଜୁଶ୍ରୀଙ୍କ ସ୍ବାମୀ ବି ଘରେ ଥିଲେ। ଝିଅର ପାଟି ଶୁଣି ସେ ବି ପାଟି କରି ପଡ଼ୋଶୀମାନଙ୍କୁ ଡାକ ପକାଇଥିଲେ। ସମସ୍ତେ ଏକାଠି ହୋଇ ବାହାରକୁ ଆସିବା ବେଳକୁ ଚୋରମାନେ ପାର୍ ହୋଇଯାଇଥିଲେ। ସେଦିନର ଭିଡିଓ ଫୁଟେଜ୍‌କୁ ପୁଲିସକୁ ଦିଆଯାଇଥିଲେ ବି ପୁଲିସ ଚୋରମାନଙ୍କୁ ଠାବ କରିପାରି ନଥିଲା। ସେହି ଦିନରୁ ମଞ୍ଜୁଶ୍ରୀଙ୍କ ଘର ସିନ୍ଧିଚୋରମାନଙ୍କ ଟାର୍ଗେଟ୍‌ରେ ଥିଲା ବୋଲି ଅନୁମାନ କରାଯାଉଛି। ଗତକାଲି ତାଙ୍କ ସ୍ବାମୀ ନଥିବା ଓ ଦ୍ବିତୀୟ ମହଲାରେ ଭଡ଼ାରେ ରହୁଥିବା ପରିବାର ନଥିବା ମଉକାରେ ଦୁର୍ବୃତ୍ତମାନେ ଲୁଟ୍‌ କରିବାକୁ ସକ୍ଷମ ହୋଇଛନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର