ଭୁବନେଶ୍ବର: କେଉଁଠି ବ୍ରିଜ୍ ଯୋଡ଼େଇ ଫାଟକୁ ମେଲା କରି ଗଛ ବାହାରିଛି ତ କେଉଁଠି ଶାଖା ପ୍ରଶାଖା ମେଲାଇ ଫ୍ଲାଏଓଭର୍‌ର ଗୋଟେ ଗୋଟେ ଫାଳ ଅକ୍ତିଆର କରିଛି। ରସୁଲଗଡ଼, ଜୟଦେବବିହାର, ଆଚାର୍ଯ୍ୟବିହାର, ସିଆର୍‌ପି, ଫାୟାର ଷ୍ଟେସନ୍, ବରମୁଣ୍ଡା ସବୁ ଫ୍ଲାଏଓଭର୍‌ରେ ଏହି ଭଳି ଗଛ ଫ୍ଲାଏଓଭର୍‌ ପାଇଁ ବିପଦ ସାଜିଛି। ବର୍ଷ ବର୍ଷ ଧରି ବ୍ରିଜ୍ ଯୋଡ଼େଇ ଫାଟରୁ ଉଠିଥିବା ଗଛକୁ କଟା ଯାଇନାହିଁ ବା ମୂଳରୁ ଉତ୍ପାଟନ କରାଯାଉନାହିଁ। ଯେଉଁଥିପାଇଁ ଫ୍ଲାଏଓଭର୍‌ରେ ଏହା ଚରି ଗଲାଣି। ନିକଟ ଅତୀତରେ ଖଣ୍ଡଗିରି ଫ୍ଲାଏଓଭର୍‌ ଖୋଲିଥିବା ବେଳେ ସହର ମଧ୍ୟ ଦେଇ ଯାଇଥିବା ଏହି ପୁରୁଣା ଫ୍ଲାଏଓଭର୍‌ର ରକ୍ଷଣାବେକ୍ଷଣ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ଭୁଲି ଯାଇଛନ୍ତି ବୋଲି ସାଧାରଣରେ କୁହାଯାଉଛି।

Advertisment

ଏ ସଂପର୍କରେ ପରିବେଶବିତ୍ ସୁନ୍ଦର ନାରାୟଣ ପାତ୍ର କହିଛନ୍ତି, ସାଧାରଣତଃ ଚଢ଼େଇମାନେ ବର, ଓସ୍ତ ଓ ଡିମିରି ଭଳି ଗଛର ଫଳ ଖାଇ ସାରିବା ପରେ ଯେଉଁଠି ବସି ମଳତ୍ୟାଗ କରନ୍ତି, ସେଠାରେ ମଂଜିରୁ ଗଛ ଉଠିଥାଏ। ଏଥିପାଇଁ ଗଛକୁ କୌଣସି ପାଣି ବା ରକ୍ଷଣାବେକ୍ଷଣ ଦରକାର ହୋଇନଥାଏ। ଗଛ ଉଠିବା ପାଇଁ ଏହା ମାଟିରୁ ପୁଷ୍ଟି ନେବା ବେଳେ ବାୟୁମଣ୍ଡଳରୁ ଆର୍ଦ୍ରତା ଓ ଜଳ ମିଳିଯାଏ। ଯେଉଁଥିପାଇଁ ଏହା ସହଜରେ ବଢ଼ି ଚାଲେ। ଏହା ଥରେ ଉଠିବା ପରେ ଗଛକୁ ଯଦି ସମୂଳେ ଉତ୍ପାଟନ ନ କରାଯାଏ, ତେବେ ପ୍ରତି ୧୫ଦିନରେ ନୂଆ ପତ୍ର ଦେଇ ଗଛ ବଢ଼ିଚାଲେ। ତେଣୁ ଏହାକୁ ମୂଳରୁ ଉପାଡ଼ିବା ଆବଶ୍ୟକ। ଏହାର ଦାୟିତ୍ବ ଏନ୍‌ଏଚ୍‌ଏଆଇ ନେବା ଆବଶ୍ୟକ। ନଚେତ୍ ଚେର ମୋଟେଇ ହୋଇ ବ୍ରିଜ୍‌ ଯୋଡ଼େଇର ଫାଟ ସୃଷ୍ଟି କରିବ।

ସେହିଭଳି ପ୍ରିଭେନସନ୍ ଅଫ୍ ଆକ୍ସିଡେଣ୍ଟ୍ ସୋସାଇଟିର କାର୍ଯ୍ୟକାରୀ ସଭାପତି ସୟଦ ମକବୁଲ୍ ଅଲ୍ଲୀ କହିଛନ୍ତି, ଫ୍ଲାଏଓଭର୍‌ ପାର୍ଶ୍ବରେ ଗଛ ଉଠି ବ୍ରିଜ୍‌ର କ୍ଷତି କରିବା ପ୍ରକ୍ରିୟା ଖୁବ୍ ମନ୍ଥର। ମାତ୍ର ଗଛର ଚେର ଯଦି ଥରେ ଯୋଡ଼େଇ ମଧ୍ୟ ଦେଇ ଭିତରକୁ ପ୍ରବେଶ କରିଯାଏ, ତେବେ ଏହାର ସମୂଳ ନାଶ କରିବା ଖୁବ୍ କଷ୍ଟକର। ତେଣୁ ଗଛ ପ୍ରାରମ୍ଭରୁ ଉଠିବା ସମୟରେ ତାକୁ ଓପାଡ଼ିବା ଆବଶ୍ୟକ। ନଚେତ ଏହାର ଚେର ମୋଟା ହେବା ପରେ ଓଭର୍‌ବ୍ରିଜ୍‌ରେ ଫାଟ ସୃଷ୍ଟି କରିବ। ବର୍ଷା ପାଣି ସେହି ଫାଟରେ ପଶି ବ୍ରିଜ୍‌କୁ ଦୁର୍ବଳ କରିଦେବ। ଏହା ପରେ ଯେକୌଣସି ସମୟରେ କିଛି ବି ଅଘଟଣ ଘଟିବାର ଆଶଙ୍କା ରହିଛି। ତେଣୁ ବ୍ରିଜ୍‌ରେ ଗଛ ଉଠିବା ପରେ ତାକୁ ଓପାଡ଼ିବା ସହିତ ଏସିଡ୍ ପକାଇ ତାକୁ ମାରିବା ଆବଶ୍ୟକ। ଯେପରି ପୁନର୍ବାର ସେଠାରେ ଆଉ ଗଛ ଉଠିବ ନ‌ାହିଁ।

ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଏନେଇ କୌଣସି ଉତ୍ତର ଦେଇ ନଥିବା ବେଳେ ଫ୍ଲାଏଓଭର୍‌ ତିଆରି ବେଳେ ଏନ୍‌ଏଚ୍‌ଏଆଇ ଯେଉଁଭଳି ଗୁରୁତ୍ବ ଦେଇ କାମ କରୁଛି, କାମ ଶେଷ ହେବା ପରେ ମଧ୍ୟ ସେହିଭଳି ରକ୍ଷଣାବେକ୍ଷଣ କରିବା ଆବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା ସଦାନନ୍ଦ ହୋତା କହିଛନ୍ତି।