ମେଡିକାଲ୍‌ରୁ ଜେଲ୍‌ ଗଲା ଜିତୁ ପଲେଇ

ରାଜଧାନୀରେ ଏନ୍‌କାଉଣ୍ଟର ଘଟଣା

ଭୁବନେଶ୍ବର: ଗତ ୨୫ ତାରିଖ ରାତିରେ ପୁଲିସ ଏନ୍‌କାଉଣ୍ଟରର ଶିକାର ହୋଇ ଚିକିତ୍ସିତ ହେଉଥିବା ଜିତୁ ପଲେଇକୁ ଆଜି କଟକ ବଡ଼ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଛି। ୬ ଦିନ ପରେ ମେଡିକାଲରୁ ଆଣି ବଡ଼ଗଡ଼ ଥାନା ପୁଲିସ ଆଜି ତାକୁ କୋର୍ଟ ଚାଲାଣ କରିଥିଲା ଏବଂ ସେଠାରୁ ତାକୁ ଝାରପଡ଼ା ସ୍ବତନ୍ତ୍ର କାରାଗାର ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଏଣିକି ଜେଲ୍‌ ମେଡିକାଲରେ ତା’ର ଚିକିତ୍ସା କରାଯିବ। ବଡ଼ଗଡ଼ ଥାନା ପୁଲିସ କେସ୍‌ ନଂ ୧୫୭ରେ ଆଇପିସି ଦଫା ୩୫୩, ୩୦୭, ଆର୍ମସ୍‌ ଆକ୍ଟ୨୫ ଓ ୨୭ରେ ତା’ ନାଁରେ ମାମଲା ରୁଜୁକରିଛି।

ସୂଚନାଯୋଗ୍ୟ ଯେ ଗତ ୧୮ ତାରିଖ ରାତିରେ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଶ୍ରୀଜୁଏଲାରିର ମାଲିକ ରମାକାନ୍ତ ମହାରଣାଙ୍କ ଉପରକୁ ବୋମାମାଡ଼ ହୋଇଥିଲା। ରାତିରେ ଦୋକାନ ବନ୍ଦ କରି ସେ ବାହାରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଲକ୍ଷ୍ୟ କରି ଚାରି ଚାରିଟି ବୋମା ଫିଙ୍ଗିଥିଲେ। ତେବେ ସୌଭାଗ୍ୟକୁ ରମାକାନ୍ତ ଓ ତାଙ୍କ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଥି‌ଲେ। ଏହି ବୋମାମାଡ଼ ପଛରେ ରମାକାନ୍ତଙ୍କ ଦୋକାନରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କ ସ୍ବାମୀ ଭାଗିରଥୀ ସ୍ବାଇଁର ହାତ ରହିଛି ବୋଲି ତଦନ୍ତରୁ ଜଣାପଡ଼ିଥିଲା।

ପରେପରେ କୁଖ୍ୟାତ ସୁପା‌ରିକିଲର୍‌ ଜିତୁ ପଲେଇର ସମ୍ପୃକ୍ତି ମଧ୍ୟ ଜଣାପଡ଼ିଥିଲା। ଭାଗିରଥୀଠାରୁ ସୁପାରି ନେଇ ଜିତୁ ଓ ତା’ ସହଯୋଗୀ ତୋଫାନି ଘଟଣା ଦିନ ବୋମାମାଡ଼ କରିଥିଲେ। ତେଣୁ ଜିତୁକୁ ଠାବ କରିବାକୁ ଖାରବେଳନଗର ଥାନା ଆଇଆଇସି ରଜନିକାନ୍ତ ମିଶ୍ର ଓ ସ୍ପେସାଲ୍‌ ସ୍କ୍ବାର୍ଡ ଏସିପି ହିମାଂଶୁ ସ୍ବାଇଁଙ୍କ ନେତୃତ୍ବରେ ଦୁଇଟି ଟିମ୍‌ ଲାଗିପଡ଼ିଥିଲେ। ୨୫ ତାରିଖ ଶନିବାର ରାତିରେ ୨ଟିଯାକ ପୁଲିସ ଟିମ୍‌ ଜିତୁକୁ ବାଙ୍କୁଆଳ ଛକରୁ ଗୋଡ଼ାଇଥିଲେ। କାର୍‌ ନେଇ ଜିତୁ କୁଆଖାଇ ପଠାକୁ ଯିବା ପରେ ସେଠାରେ ଗାଡ଼ି ଛାଡ଼ିଦେଇ ଖସିଯିବାକୁ ଉଦ୍ୟମ କରିଥିଲା। ମାତ୍ର ପୁଲିସ ଟିମ୍‌ ପାଖାପାଖି ହୋଇଯିବାରୁ ସେ ଗୁଳି ଚଳାଇଥିଲା। ଫଳରେ ପୁଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା ଏବଂ ଜିତୁର ବାମ ଗୋଡ଼ରେ ଗୁଳି ବାଜିଥିଲା।

ସମ୍ବନ୍ଧିତ ଖବର