ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ରବିବାରଠାରୁ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ। ହବିଷ୍ୟାଳିମାନେ ବ୍ରତୀ ହୋଇ ରାଈ ଦାମୋଦରଙ୍କ ପୂଜା କରିବେ। ତୁଳସୀ ଚଉଁରା ମୂଳେ ଦୀପ ଜାଳି ସେମାନେ ଭାଗବତ ଓ ପୁରାଣ ପାଠ କରିବେ। ଏଥିପାଇଁ ଚଳଚଞ୍ଚଳ ହୋଇୁଠିଛି ଏକାମ୍ର କ୍ଷେତ୍ର। ବିଭିନ୍ନ ମଠ, ମନ୍ଦିର ଓ ଧର୍ମଶାଳାରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ହବିଷ୍ୟାଳିମାନେ ପୁରୁଣା ଭୁବନେଶ୍ବରରେ ପହଞ୍ଚିଛନ୍ତି। କିନ୍ତୁ ଚନ୍ଦ୍ରଗ୍ରହଣ ଯୋଗୁଁ ସେମାନେ କୌଣସି ପ୍ରକାର ପୂଜାର୍ଚ୍ଚନା କରିପାରିନାହାନ୍ତି।
ନିୟମାନୁସାରେ କୁମାର ପୂର୍ଣ୍ଣିମା ପର ଦିନ ଏହି ବ୍ରତ ଆରମ୍ଭ ହୋଇଥାଏ। ତେଣୁ ପୂର୍ଣ୍ଣମୀ ଦିନ ସନ୍ଧ୍ୟା ସୁଦ୍ଧା ହବିଷ୍ୟାଳିମାନେ ଏକାମ୍ର କ୍ଷେତ୍ରରେ ପହଞ୍ଚିଯାଆନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ବିନ୍ଦୁସାଗର କୂଳସ୍ଥିତ ଦୁଧ୍ୱାଲା ଧର୍ମଶାଳାରେ ୧୫ଜଣ ହବିଷ୍ୟାଳି ପହଞ୍ଚିଛନ୍ତି। ଭୋର୍ରେ ଚନ୍ଦ୍ରଗ୍ରହଣ ଛାଡ଼ିବା ପରେ ପରେ ସେମାନେ ଗାଧୁଆପାଧୁଆ ସାରି କାର୍ତ୍ତିକ ବ୍ରତ ପାଇଁ ସଂକଳ୍ପ ନେବେ ଏବଂ ଚଉଁରା ମୂଳେ ପୂଜାର୍ଚ୍ଚନା କରିବେ। ପରମ୍ପରା ଅନୁଯାୟୀ ହବିଷ୍ୟାଳିମାନେ ଭୋର୍ରୁ ଉଠି ସ୍ନାନ କରିବା ପରେ ପ୍ରଥମେ ତୁଳସୀ ଗଛ ଓ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏହାପରେ ସୂର୍ଯ୍ୟଙ୍କୁ ପାଣି ଟେକି ତୁଳସୀ ପାଣି ପିଇବେ। ଦେହରେ ଓ ମୁଣ୍ଡରେ ଚିତା ତିଳକ ଲଗାଇ ଭାଗବତ ପାଠ କରିବେ। ଅନନ୍ତ ବାସୁଦେବଙ୍କ ଦର୍ଶନ ସାରି ତୁଳସୀ ଚଉଁରା ମୂଳେ ମୁରୁଜ ପକାଇବେ। ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼ ଆଦି ଚିତ୍ର ଅଙ୍କନ କରିବେ। ରାଧାକୃଷ୍ଣ ଓ ଶିବ ପାର୍ବତୀଙ୍କ ଫଟୋ ପୂଜା କରିବା ସହ ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ଦେବଦେବୀଙ୍କୁ ଦର୍ଶନ କରି ସଞ୍ଜ ଆଳତି କରିବେ। ଏହାପରେ ମହାପ୍ରଭୁଙ୍କ ଦର୍ଶନ ସାରି ଅବଢ଼ା ସେବନ କରିବେ। ସୂଚନାଯୋଗ୍ୟ ଯେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ଦାମୋଦର ବେଶ ମଧ୍ୟ ଆରମ୍ଭ ହେବ। କାର୍ତ୍ତିକ ମାସ ତମାମ୍ ମନ୍ଦିରରେ ସକାଳ ଓ ସନ୍ଧ୍ୟା ଧୂପରେ ଏହି ବେଶ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସେପଟେ ସୁଆର ସେବାୟତମାନେ ହବିଷ୍ୟାଳିମାନଙ୍କ ପାଇଁ ସ୍ବତନ୍ତ୍ର ଅବଢ଼ା ଓ ହବିଷ ଡାଲମା କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।