ଅବିନାଶ ଶୁକ୍ଳା
ଭୁବନେଶ୍ବର: ରାଜଧାନୀରେ ଦୀର୍ଘ ବର୍ଷ ଧରି ନିର୍ମାଣ ଶ୍ରମିକ ଭାବେ କାମ କରୁଛନ୍ତି ଦୀନବନ୍ଧୁ ଗୌଡ଼। ଝିଅ ବାହାଘର ପାଇଁ ସରକାରୀ ଯୋଜନାରେ ୫୦ ହଜାର ଟଙ୍କାର ସହାୟତା ପାଇବ ବୋଲି ବଡ଼ ଆଶାରେ ଆବେଦନ କଲେ। କିନ୍ତୁ ଝିଅ ବାହାଘର ସରିଗଲା ସିନା ତାଙ୍କୁ ପଇସାଟିଏ ମିଳିଲା ନାହିଁ। ଏବେ ସେ ଝିଅ ବାହାଘର ପାଇଁ କରିଥିବା ହାତ ଉଧାରିରେ ବୁଡ଼ି ରହିଛନ୍ତି। ସେହିଭଳି ପୁଅକୁ ସରକାରୀ ଆଇଟିଆଇ କଲେଜରେ ପଢ଼ାଉଛନ୍ତି ନିର୍ମାଣ ଶ୍ରମିକ ସଦାନନ୍ଦ ଦଳେଇ। ପାଠପଢ଼ା ସହାୟତା ବାବଦରେ ୪୦ ହଜାର ଟଙ୍କା ପାଇବା ଆଶାରେ ଆବେଦନ କରି ବସିଛନ୍ତି। ପୁଅର ପଢ଼ା ସରିବାକୁ ବସିଲାଣି। ମାତ୍ର ପାହୁଲାଟିଏ ସରକାରୀ ସହାୟତା ମିଳିନି। ପ୍ରକୃତ କଥା ହେଉଛି, ଦୀନବନ୍ଧୁ ଓ ସଦାନନ୍ଦ ଦଲାଲଙ୍କ ପ୍ରଦର୍ଶିତ ମାର୍ଗକୁ ଆପଣେଇ ପାରିନାହାନ୍ତି। ପିସି ବା କମିସନ ଦେଇ ପାରିନାହାନ୍ତି। ତେଣୁ ସେମାନଙ୍କ ଫାଇଲ୍ ସେମିତି କେଉଁଠି ଅଳନ୍ଧୁ ଲଗାହୋଇ ପଡ଼ିଛି। ଏହା ହେଉଛି ନିର୍ମାଣ ଶ୍ରମିକଙ୍କ କଲ୍ୟାଣକାରୀ ଯୋଜନାର ଅସଲ ଚେହେରା।
ସୂଚନାଯୋଗ୍ୟ, ଓଡ଼ିଶାରେ ୩୨ଟି ଶ୍ରମ ଜିଲ୍ଲା ରହିଛି। ସମସ୍ତ ଶ୍ରମ ଜିଲ୍ଲାରେ ୩୦ ଲକ୍ଷରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ଶ୍ରମିକମାନଙ୍କ ସୁବିଧା, ଅସୁବିଧା ଓ ହକ୍ ପାଇଁ ରାଜ୍ୟରେ ୪ ହଜାରୁ ଊର୍ଦ୍ଧ୍ବ ଶ୍ରମିକ ୟୁନିୟନ୍ ଅଛି। ସେହିଭଳି ଗାଁ ଗଣ୍ଡାରେ ବି ମାଳମାଳ ଶ୍ରମିକ ୟୁନିୟନ୍ ରହିଛି। କିନ୍ତୁ ନିଜକୁ ଶ୍ରମିକ ୟୁନିୟନ୍ର କର୍ମକର୍ତ୍ତା ବା ସଦସ୍ୟ ବୋଲି ପରିଚୟ ଦେଇ କିଛି ଦଲାଲ ନିରୀହ ଶ୍ରମିକମାନଙ୍କୁ ବିଭିନ୍ନ ବାଟରେ ଶୋଷଣ କରୁଛନ୍ତି। ସେମାନଙ୍କ ହକ୍ରେ ଭାଗ ବସାଉଛନ୍ତି। ଏମିତିକି କାର୍ଡ କରାଇବା ପାଇଁ ୩ ରୁ ୫ ହଜାର ଟଙ୍କା ନେଉଛନ୍ତି ବୋଲି ଅଭିଯୋଗ ହେଉଛି। ସେହିଭଳି ଝିଅ ବାହାଘର ପାଇଁ ମିଳୁଥିବା ୫୦ ହଜାର ଟଙ୍କା ପାଇଁ କମିସନି ବାବଦରେ ୧୦ ହଜାର ଟଙ୍କା ମାଗୁଛନ୍ତି। ପ୍ରାୟ ସବୁ ସହାୟତାରେ ଦଲାଲ୍ କମିସନି ବ୍ୟବସ୍ଥା ରହିଛି। ଯେତେ ବଡ଼ ଆର୍ଥିକ ସହାୟତା ସେତେ ବଡ଼ କମିସନି। ଯିଏ ଦେଇପାରିଲା, ସିଏ ସରକାରୀ ସହାୟତା ପାଇଲା। ଯିଏ କମିସନି ଦେଇ ନପାରିଲା, ତା’ ଆବେଦନ ପତ୍ରଟି ଫାଇଲ୍ ତଳେ ଚାପି ହୋଇରହିଲା।
ନାମ ପଞ୍ଜୀକରଣଠାରୁ ଅନୁଦାନ ମିଳିବା ପର୍ଯ୍ୟନ୍ତ ସବୁଠାରେ ନିର୍ମାଣ ଶ୍ରମିକଙ୍କ ହକ୍ରେ ଦଲାଲ୍ ଓ ଅସାଧୁ କର୍ମଚାରୀମାନଙ୍କର ଭାଗ ବସେ। ଜଣେ ଦଲାଲଙ୍କ ସିଧାସଳଖ କହିବା କଥା, ସରକାରୀ ବିଧି ବ୍ୟବସ୍ଥା ଅନୁସାରେ କାମ କରିବାକୁ ପଡ଼ୁଛି। ପିସି ନହେଲେ ଫାଇଲ୍ ଘୁଞ୍ଚୁନାହିଁ। ତେଣୁ ବାବୁଙ୍କୁ କିଛି ଦେବାକୁ ପଡ଼ୁଛି ଓ ନିଜର ଧାଁଧଉଡ଼ ପାଇଁ କିଛି ଖର୍ଚ୍ଚ ପାଣି ରଖିବାକୁ ପଡ଼ୁଛି। ଗରିବ ଲୋକଟିଏ ଠିକ୍ ସମୟରେ ପଇସା ପାଇଲେ କାମରେ ଲାଗୁଛି। ପିସି ନଦେଲେ ଫାଇଲ୍ ସେମିତି ପଡ଼ି ରହିବ, କାହାର ଲାଭ ହେବ ବୋଲି ଦଲାଲ ଜଣକ ଖୁଲମଖୋଲା କହିଛନ୍ତି। ତେଣୁ ସରକାରଙ୍କ ଏହି ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେବା ପଛରେ ଗୁପ୍ତ ଭାବେ ଏକ ବଡ଼ କେଳେଙ୍କାରୀ ଚାଲିଛି। ବିଚରା ଗରିବ ଶ୍ରମିକଟି ସରକାରୀ କଳର ଦାଓପେଞ୍ଚରେ ପଶି ନପାରି ଯେତିକି ମିଳିଲା ସେତିକିରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୁଏ। କମିସନି ବା ପିସି ଯାଉ ପଛେ, କିଛି ତ ମିଳିଯାଉ ବୋଲି ହାତଗୁଞ୍ଜା ଦେଉଛି। ମାତ୍ର ଦୀନବନ୍ଧୁ ଓ ସଦାନନ୍ଦମାନେ ଆଇନର ସଳଖ ରାସ୍ତାରେ ଯାଇ ହତାଶ ହୋଇ ବସିଛନ୍ତି। ତେଣୁ ନିର୍ମାଣ ଶ୍ରମିକଙ୍କ ନାଁରେ ଦଲାଲ୍ ଓ ଅସାଧୁ କର୍ମଚାରୀଙ୍କୁ ପୋଷିବା ପାଇଁ ଏହି ସବୁ ଯୋଜନା ହୋଇଛି ବୋଲି ଅଭିଯୋଗ ହୋଇଆସୁଛି।
ନିୟମାନୁସାରେ ନିର୍ମାଣ ଶ୍ରମିକ କାର୍ଡ ପାଇଁ ଆଧାର କାର୍ଡ, ବ୍ୟାଙ୍କ୍ ଫାସବୁକ୍, ବର୍ଷକରେ ୯୦ ଦିନ କାମ କରିଥିବା ନେଇ ଠିକାଦାରଙ୍କ ପ୍ରମାଣପତ୍ର ଓ କୌଣସି ଶ୍ରମିକ ୟୁନିୟନର ସୁପାରିସ୍ ଲୋଡ଼ା। ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ୨୦ ଟଙ୍କା ଦେଇ ଫର୍ମ ଦାଖଲ କରିବାକୁ ପଡ଼େ। ଜିଲ୍ଲା ଶ୍ରମ ଅଧିକାରୀ ଯାଞ୍ଚ କରିବା ପରେ ୨ ମାସ ମଧ୍ୟରେ ଶ୍ରମିକ କାର୍ଡ ମିଳେ। ସେହିଭଳି ୩ ବର୍ଷ ପରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ୫୦ ଟଙ୍କା ଦେଇ ଏକ ଫର୍ମ ଓ ଆଧାର କାର୍ଡ ଦାଖଲ କରି କାର୍ଡ ନବୀକରଣ କରାଯାଏ। ତେବେ ଏତିକି କାମ କରିବାକୁ ବି ଗାଁ ଗହଳିର ନିରକ୍ଷର ଶ୍ରମିକ ପାଇଁ କାଠିକାର ପାଠ ହେଉଛି। ତେଣୁ ସେ ଦଲାଲର ସହାୟତା ନେଉଛି। ଦଲାଲ ବି ଏହାକୁ ମଉକା ଭାବେ ନେଇ ବିଚରା ଶ୍ରମିକର ହକ୍ରେ ଭାଗ ବସାଉଛି।