ତାମିଲନାଡ଼ୁରୁ ଭୁବନେଶ୍ବର: ରାଜରାସ୍ତାରେ ବିତିଗଲା କୈ‌‌ଶୋରାବସ୍ଥା

ଆଶାଲୋକ ଖୋଜିଦେଲା ଠିକଣା

ଭୁବନେଶ୍ବର: ମାତ୍ର ୧୪ବର୍ଷ ବୟସରେ ଘରୁ ବାହାରି ଆସି ନିଖୋଜ ହୋଇଯାଇଥିଲା ତାମିଲନାଡ଼ୁ ନୀଳଗିରୀଶ ଜିଲ୍ଲା ପାନ୍ଥ୍‌ଲୁର୍‌ ଉପାତ୍ତି ଅଞ୍ଚଳର ଏଲାନ୍‌ଗୋଭେନ୍‌ଙ୍କ ପୁଅ ଶିବା। ସାମାନ୍ୟ ମାନସିକ ବିକାରଗ୍ରସ୍ତ ଶିବାକୁ ପରିବାରଲୋକେ ବହୁ ଖୋଜାଖୋଜି କରିବା ପ‌ରେ ବି ପାଇବା ସମ୍ଭବ ହୋଇନଥିଲା। ଏହା ଭିତରେ ବିତିଗଲା ଦୀର୍ଘ ୧୨ବର୍ଷ ଏବଂ ହଜିଗଲା ଶିବାର କୈଶୋରାବସ୍ଥା। ଶେଷରେ ଭୁବନେଶ୍ବର ପାଲଟିଥିଲା ତା’ର ଶେଷ ଠିକଣା। ତେବେ ସ୍ବେଚ୍ଛାସେବୀ ସଂଗଠନ ପିପୁଲ୍‌ସ ଫୋରମ୍‌ ପରିଚାଳିତ ‘ମିସନ୍‌ ଆଶାଲୋକ’ ଏବଂ ମୁମ୍ବାଇ ଶ୍ରଦ୍ଧା ଫାଉଣ୍ଡେସନ ଖୋଜି ଦେଇଛନ୍ତି ଶିବାର ଭିଟାମାଟି ଠିକଣା। ମିସନ୍‌ ଆଶାଲୋକ ଚିକିତ୍ସା କରାଇ ସୁସ୍ଥ କରିବା ପରେ ଶିବାକୁ ତା’ ପରିବାର ପାଖରେ ପହଞ୍ଚାଇ ଦିଆଯାଇଛି। ପୁଅକୁ ଫେରି ପାଇବାର ସବୁ ଆଶା ଛାଡ଼ି ଦେଇଥିବା ଗୋଭେନ୍‌ଙ୍କ ପରିବାର ୧୨ବର୍ଷ ପରେ ହଜିଲା ପୁଅକୁ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ସେହିଭଳି ମାନସିକ ବିକୃତିରୁ ମୁକୁଳିଥିବା ଶିବା ବାପାମା’ଙ୍କୁ ପାଇ ଅତ୍ୟନ୍ତ ଆନନ୍ଦିତ ହୋଇପଡ଼ିଛି।

ଘଟଣାଟି ଥିଲା ଏମିତି। ହଠାତ୍ ଶିବା କୁଆଡ଼େ ନିଖୋଜ ହୋଇଯାଏ। ବାପା ଗୋଭେନ୍‌ ପୁଲିସଠାରୁ ଆରମ୍ଭ କରି ତାନ୍ତ୍ରିକ ପର୍ଯ୍ୟନ୍ତ ସବୁଠାରେ ମୁଣ୍ଡ ପିଟନ୍ତି ପାଗଳା ପୁଅକୁ ଫେରି ପାଇବା ପାଇଁ। ଦିନ ପରେ ଦିନ, ମାସ ପରେ ମାସ ଓ ବର୍ଷ ପରେ ବର୍ଷ ଗଡ଼ିଯାଏ। କିନ୍ତୁ ଶିବାର ପତ୍ତା ମିଳେନାହିଁ। ଗତ ୩ ମାସ ପୂର୍ବେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ପୁରୁଣା ଟୋଲ୍‌ଗେଟ୍‌ ନିକଟରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକକୁ ମସିନ୍ ଆଶାଲୋକ ଉଦ୍ଧାର କରିଥିଲା। ରୋଗୀଣା ଯୁବକଟି ଯେ ତାମିଲନାଡ଼ୁର ଶିବା ବୋଲି ଜଣାନଥିଲା। ତା’ର ଚିକିତ୍ସା କରାଯାଇଥିଲା ଓ ସେ ଧୀରେଧୀରେ ସୁସ୍ଥ ହେବାରେ ଲାଗିଲା। କିନ୍ତୁ ତାମିଲ୍‌ ଭାଷା କହୁଥିବାରୁ ଠିକଣା ଜାଣିବା ସମ୍ଭବ ହୋଇନଥିଲା। ତେଣୁ ଆଶାଲୋକ ପରିଚାଳକ ଜଟାଧାରୀ ସାହୁ ଜଣେ ତାମିଲ୍‌ ବନ୍ଧୁଙ୍କ ସହଯୋଗରେ ଶିବାଠାରୁ ଠିକଣା ବୁଝିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଶିବାର ପରିବାର ଅନ୍ବେଷଣ ଅଭିଯାନ। ଏଥିରେ ମୁମ୍ବାଇ ଶ୍ରଦ୍ଧା ଫାଉଣ୍ଡେସନ୍ ସହଯୋଗର ହାତ ବଢ଼ାଇଲା। ଫାଉଣ୍ଡେସନ୍‌ ସଦସ୍ୟ ସୁନୀଲ କୁମାର ଦାସ ତାମିଲନାଡ଼ୁ ପୁଲିସ ସହଯୋଗରେ ଠିକଣା ପାଇବା ପ‌ରେ ଶିବାକୁ ନିଆଯାଇଥିଲା। ବିସ୍ମୟର କଥା ହେଉଛି ଘରଠାରୁ ମାତ୍ର କିଛି ଦୂରରେ ପହଞ୍ଚିଥିବା ବେଳେ ଶିବା ଧାଇଁଥିଲା ଓ ମା’ ବି ତାକୁ ଚିହ୍ନିପାରିଥିଲେ। ୧୪ବର୍ଷ ବୟସରେ ହଜିଥିବା ଶିବା ୨୬ବର୍ଷ ବୟସର ଯୁବକ ହୋଇସାରିଥିଲେ ବି ମା’ ଓ ପରିବାରବର୍ଗ ଚିହ୍ନିବାରେ କୌଣସି ଭୁଲ୍ ହୋଇନଥିଲା।

ସମ୍ବନ୍ଧିତ ଖବର