୨୨ରୁ ଅଷ୍ଟାଦଶ ଧଉଳି-କଳିଙ୍ଗ ମହୋତ୍ସବ

ପ୍ରିୟମ୍ବଦା ମହାନ୍ତି ହେଜମାଦିଙ୍କୁ ‘ବୁଦ୍ଧ ସମ୍ମାନ’

ଭୁବନେଶ୍ବର: ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଅଷ୍ଟାଦଶ ଧଉଳି-କଳିଙ୍ଗ ମହୋତ୍ସବ। ବୁଧବାର ଓଡ଼ିଶା ଡ୍ୟାନ୍ସ ଏକାଡେମି ଓ ପର୍ଯ୍ୟଟନ ବିଭାଗ ତରଫରୁ ଅନୁଷ୍ଠିତ ମିଳିତ ସାମ୍ବା‌ଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଧଉଳି ପାହାଡ଼ ପାଦ ଦେଶରେ ସନ୍ଧ୍ୟା‌ ୬ଟା ୩୦ରେ ଏହି ମହୋତ୍ସବ ଅନୁଷ୍ଠିତ ହେବ।

ଏହି ଅବସରରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ଡ୍ୟାନ୍ସ ଏକାଡେମି ତରଫରୁ ସମ୍ମାନଜନକ ‘ବୁଦ୍ଧ ସମ୍ମାନ’ ଓ ‘ଗୁରୁ ଗଙ୍ଗାଧର’ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ପ୍ରତିଭାସଂପନ୍ନ ବ୍ୟକ୍ତିତ୍ବଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଚଳିତ ବର୍ଷ ଓଡ଼ିଶୀ ନୃତ୍ୟାଙ୍ଗନା ପ୍ରଫେସର ପ୍ରିୟମ୍ବଦା ମହାନ୍ତି ହେଜମାଦିଙ୍କୁ ‘ବୁଦ୍ଧ ସମ୍ମାନ’ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ସମ୍ମାନ ବାବଦକୁ ୧ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ।

ସେହିପରି ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ, ସଂସ୍କୃତ ବିଷାରଦ ତଥା କବି ନିତ୍ୟାନନ୍ଦ ମିଶ୍ର ଏବଂ ଆମେରିକାରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ନେଇଥିବା ସୋମଦତ୍ତ ବେହୁରାଙ୍କୁ ‘ଗୁରୁ ଗଙ୍ଗାଧର ପ୍ରଧାନ’ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ଏହି ସମ୍ମାନ ବାବଦକୁ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।
ଏକାଡେମି ପରିସରରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଏକାଡେମିର ସମ୍ପାଦିକା ଅରୁଣା ମହାନ୍ତି, ପର୍ଯ୍ୟଟନ ବିଭାଗର ଯଗ୍ମ ସଚିବ ଏଲୋରା ଭାରତୀ ଜେନା, ପୂଜା ମିଶ୍ର, ଆର୍ଟ ଭିଜନର ନିର୍ଦ୍ଦେଶିକା ଇଲିଆନା ସିତାରିଷ୍ଟ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର