ଭୁବନେଶ୍ବର : କିମ୍ସ୍ କୋଭିଡ୍ ହସ୍ପିଟାଲ୍, ବେଡ୍ ନମ୍ବର ୮୬...। ଜୀବନରେ କେବେ ଭୁଲିବି ନାହିଁ। ଏହା ବୋଧେ ମୋ ପାଇଁ ଭାରୀ ଭାଗ୍ୟଶାଳୀ ଥିଲା। ଏହି ଶଯ୍ୟାରେ ଶୋଇ ମୁଁ ମରଣ ସହ ଦୀର୍ଘ ଲଢ଼େଇ କରିଥିଲି, ଜିତିଲି ଓ ନୂଆ ଜୀବନ ପାଇ ଘରକୁ ଫେରିଲି।
ଦୀର୍ଘ ୨୪ଦିନ ଧରି ଯେତେବେଳେ ମୁଁ ଅକ୍ସିଜେନ୍ରେ ଥିଲି, ସେତେବେଳେ ପ୍ରତିଟି ମୁହୂର୍ତ୍ତରେ ମୃତ୍ୟୁର ଦୂତ ମୋ ପାଖେ ପାଖେ ଦେଖାଯାଉଥିଲେ। ଏଇନେ ଚାଲଯିବି ସେଇନେ ଚାଲିଯିବି... ଭାବି ଭାବି ମୁଁ ଦୁର୍ବଳ ହେବାରେ ଲାଗିଥିଲି। କିନ୍ତୁ ତା’ରି ଭିତରେ ସେଠି ଥିବା ନର୍ସ ଓ ଡାକ୍ତରମାନଙ୍କ ଆଶ୍ବାସନାଭରା କଥା ମୋ ଦେହରେ ପ୍ରାଣ ସଞ୍ଚାରୁଥିଲା। ସେମାନେ ରାତି ୧୨ ହେଉ କି ଗୋଟାଏ, ଯେତେବେଳେ ମୋର ଦରକାର ପଡ଼ୁଥିଲା, ମୋ ପାଖରେ ରହୁଥିଲେ। ଟିକେ ଆଶ୍ବସ୍ତିବୋଧ ହେଉଥିଲେ, କହୁଥିଲେ କିଛି ହେବନି। ଆମେ ଜଗିଛୁ। ଆପଣ ଭଲ ହୋଇଯିବେ। ବୋଧେ ସେମାନଙ୍କର ଏହି ବିଶ୍ବାସଭରା କଥା, ନିରନ୍ତର ନିରୀକ୍ଷଣ ଓ ଉପଯୁକ୍ତ ଚିକିତ୍ସା ପ୍ରଥମେ ମୋତେ ମାନସିକ ସ୍ତରରେ ଏବଂ ପରେ ପରେ ଶାରୀରିକ ସ୍ତରରେ ସୁସ୍ଥ କରିଥିଲା ବୋଲି କହିଛନ୍ତି ଓଡ଼ିଶା ରଗ୍ବି ଫୁଟ୍ବଲ୍ର ସମ୍ପାଦକ ଉପେନ୍ଦ୍ର ମହାନ୍ତି।
ଏପ୍ରିଲ ୧୫ତାରିଖ ଦିନ ମୋତେ ଜ୍ବର ଜ୍ବର ଲାଗିଥିଲା। ୧୭ ତାରିଖ ଆଡ଼କୁ ଚାଲିବା, ଉଠିବା ଆଦିରେ କଷ୍ଟ ଅନୁଭବ ହେବାରୁ ଚନ୍ଦ୍ରଶେଖରପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି। ପରେ ଛାତିରେ ଅତ୍ୟଧିକ ଯନ୍ତ୍ରଣା ଅନୁଭୂତ ହେବାରୁ ଯାଇ କିମ୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେଲି। କିନ୍ତୁ ଦିନକୁ ଦିନ ମୋ ଦେହ ଅଧିକ ଖରାପ ହେବାକୁ ଲାଗିଲା। ଦେହରେ ବଳ ବୋଲି କିଛି ରହିଲା ନାହିଁ। ୧୫ମିନିଟ୍ ଲେଖାଏଁ ବେହୋସ ହୋଇ ପଡ଼ି ରହୁଥିଲି। ବିଭିନ୍ନ ପ୍ରକାର ପରୀକ୍ଷା ହେଲା। ପରୀକ୍ଷାରୁ ଜଣାପଡ଼ିଲା ଯେ ମୋର ୪୨% ଫୁସ୍ଫୁସ୍ ସଂକ୍ରମିତ ହୋଇଯାଇଛି।
ମୁଁ ଭାବିଲି ମୁଁ ବୋଧେ ଆଉ ଫେରିବିନି। ମୋ ୮୫ବର୍ଷର ବୁଢ଼ୀ ମା’, ମୋ ପିଲାଛୁଆ ଓ ସ୍ତ୍ରୀଙ୍କୁ ଆଉ କେବେ ଦେଖିପାରିବିନି। କିନ୍ତୁ ଭଗବାନଙ୍କ ଆଶୀର୍ବାଦ, ଡାକ୍ତରମାନଙ୍କ ନିରନ୍ତର ପର୍ଯ୍ୟବେକ୍ଷଣ ଓ ନର୍ସମାନଙ୍କ ସେବାଯତ୍ନ ମୋତେ ନୂଆ ଜୀବନ ଦେଇଛି। ମୁଁ ଏପ୍ରିଲ ୧୮ ତାରିଖରୁ ମେ’ ୧୦ ତାରିଖ ଯାଏ ଆଇସିୟୁରେ ଅକ୍ସିଜେନ୍ ସାହାରାରେ ଥିଲି। ପରେ ମୁଁ ସୁସ୍ଥ ହେଲି। ଡାକ୍ତରମାନେ ମୋ ରିପୋର୍ଟ ସବୁ ଭଲ ଥିବା କହିଲେ ଓ ମୋତେ ଜେନେରାଲ୍ ୱାର୍ଡକୁ ଆଣିଥିଲେ। ମେ’ ୧୨ତାରିଖରେ ମୁଁ ହସ୍ପିଟାଲ୍ରୁ ଘରକୁ ଫେରିଲି। ମରଣମୁହଁରୁ ବଞ୍ଚିକି ଆସିଛି ବୋଲି ଏବେ ବି ମୋତେ ନିଜକୁ ଆଶ୍ଚର୍ଯ୍ୟ ଲାଗୁଛି।