ଭୁବନେଶ୍ବର : ସେମାନେ ନର୍ସ ଏବଂ ଡାକ୍ତର ରୂପରେ ସାକ୍ଷାତ ଭଗବାନ ଥିଲେ। ସେମାନଙ୍କ ଲାଗି ଆଜି ମୁଁ ନୂଆ ଜୀବନ ପାଇଛି। ଦୀର୍ଘ ୧୬ ଦିନ ଧରି ମରଣ ସହ ଲଢ଼େଇ କରି ଯମ ପାଖରୁ ଫେରି ଆସିଛି। ନାକରେ ଅକ୍ସିଜେନ୍ ନଳୀ ଦିଆଯାଇଥିବା ବେଳେ ମନେମନେ ଖାଲି ଈଶ୍ବରଙ୍କୁ ଡାକୁଥିଲି। ବୋଧେ ମୋ କଥା ଈଶ୍ବର ଶୁଣିଲେ କି କ’ଣ, ସେଥିପାଇଁ ଆଜି ମୁଁ ଜୀବିତ ଅଛି। ଏମିତି କହିଛନ୍ତି, ଭୁବନେଶ୍ବର ରେଳ ବିହାରରେ ରହୁଥିବା ପ୍ରଦୀପ କୁମାର ପଟ୍ଟନାୟକ(୬୧)।
ବରିଷ୍ଠ ନାଗରିକ ହୋଇଥିବାରୁ ଭୂତାଣୁ ମୋତେ ସହଜରେ ଶିକାର କରିଥା’ନ୍ତା। ତେଣୁ ମୁଁ ଭ୍ୟାକ୍ସିନ୍ର ୨ଟି ଡୋଜ୍ ଆଗୁଆ ନେଇ ଯାଇଥିଲି। କିନ୍ତୁ ଭ୍ୟାକ୍ସିନ୍ ନେଇଥିବା ଲୋକ ବି ଆକ୍ରାନ୍ତ ହେଉଛନ୍ତି ଖବର ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପରେ ମୁଁ ସତର୍କତା ଅବଲମ୍ବନ କରୁଥିଲି। ନିୟମିତ ଯୋଗ, ପ୍ରାଣାୟମ ଜାରି ରଖିଥିଲି। ତେବେ ଯାହାକୁ ଡରି ଡରି ମୁଁ ମୋ ଜୀବନଶୈଳୀ ପରିବର୍ତ୍ତନ କରିଦେଇଥିଲି, ଶେଷକୁ ସେଇ ନିଆଁଲଗା ଭୂତାଣୁଟା ମୋତେ ଆକ୍ରମଣ କଲା। ମେ’ ୩ ତାରିଖରେ ଅସୁସ୍ଥ ଅନୁଭବ କରିବାରୁ ଘରୋଇ ଲ୍ୟାବ୍ରେ ପରୀକ୍ଷା କରାଇଲି। ରିପୋର୍ଟ ପଜିଟିଭ୍ ଆସିଲା। ରିପୋର୍ଟ ଦେଖି ତ ମୋ ଦେହରୁ ଯେମିତି ଅଧା ବଳ ପଳାଇଗଲା ଭଳି ଲାଗିଲା। ମାନସିକ ଭାବେ ଭାଙ୍ଗି ପଡ଼ିଲି। ପରେପରେ ମୋ ଅବସ୍ଥା ବିଗିଡ଼ିଲା। ନିଶ୍ବାସ ନେବାରେ ଅସୁବିଧା ହେଲା। ତେଣୁ ପରିବାରଲୋକ ମୋତେ ନାଲ୍କୋ ଛକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଲେ। ହେଲେ ସେଠାରେ ସେମାନେ ଓପିଡିରେ ରଖିଲେ। ଠିକ୍ରେ ଚିକିତ୍ସା କଲେନି। ମୋତେ ଲାଗିଲା ଯେ ଆଉ ନୁହଁ, ବୋଧେ ମୋର ଶେଷ ସମୟ ଆସିଗଲା। କିନ୍ତୁ ମୋ ଅବସ୍ଥା ଦେଖି ପୁଅ ବିଏମ୍ସି ସହ ଯୋଗାଯୋଗ କଲା ଏବଂ ସେମାନେ ତୁରନ୍ତ କିମ୍ସ୍ କୋଭିଡ୍ ହସ୍ପିଟାଲରେ ମୋତେ ଭର୍ତ୍ତି କରାଇଲେ। ସେମାନେ ସେଠାରେ ମୋତେ ସେମାନେ ଆଇସିୟୁରେ ରଖିଲେ। ୪ଦିନ ପରେ ସୁସ୍ଥ ଅନୁଭବ କରିବାରୁ ମୋତେ ୱାର୍ଡକୁ ସ୍ଥାନାନ୍ତର କଲେ। କିନ୍ତୁ ୧୨ଦିନ ମୋତେ ରୀତିମତ ଅକ୍ସିଜେନ୍ରେ ରଖିଥିଲେ।
ନୂଆ ଜୀବନ ଫେରି ପାଇବା ପଛରେ ମେଡିକାଲ ଜ୍ଞାନକୌଶଳଠାରୁ ଅଧିକ ଶ୍ରେୟ ସେଠାକାର ନର୍ସମାନଙ୍କୁ ଦେବି। ସେମାନେ ମୋ ଝିଅଠାରୁ ବି ମୋର ଅଧିକ ସେବା କରିଛନ୍ତି। ଯେତେଥର ଡାକିଲେ, ଯାହା କହିଲେ କେବେ ବି ବିରକ୍ତିଭାବ ପ୍ରକାଶ କରିନାହାନ୍ତି। ଜୀବନରେ ମୁଁ ସେମାନଙ୍କୁ କେବେ ବି ଭୁଲି ପାରିବିନି। ସେମାନେ ହିଁ ମୋତେ ବଞ୍ଚିବା ପାଇଁ ମାନସିକସ୍ତରରେ ବଳ ଯୋଗାଇ ଦେଇଥିଲେ। ସେମାନଙ୍କ ସେବା ଶୁଶ୍ରୂଷା ଏବଂ ଆଶ୍ବାସନାଭରା କଥା ପାଇଁ ମୁଁ ଆଜି ଜୀବିତ ଅଛି।