ରକ୍ତଦାତା ଗୌରୀପ୍ରସାଦଙ୍କ ଅନୁଭୂତିରୁ କିଛି…ଗୋଡ଼ ଧରି ପକାଇଥିଲେ ଜଣେ ମହିଳା

ପୁରୁଣା ଭୁବନେଶ୍ବର: ‘ବାପା ମା’ଙ୍କ ବାରଣ ସତ୍ତ୍ବେ ଥରେ ଦି’ଥର ଲୁଚି କରି ରକ୍ତ ଦେଇଥାଏ। କିନ୍ତୁ ମା’ ରାଗିବାରୁ ଆଉ ରକ୍ତ ଦେବି ନାହିଁ ବୋଲି ନିଷ୍ପତ୍ତି ନେଇ ସାରିଥାଏ। ହଠାତ୍ ଦିନେ ଏକ ଅଭାବନୀୟ ଘଟଣା ଘଟିଲା। ଡାକ୍ତରଖାନା ପରିସରରେ ବୁଲୁଥିବାବେଳେ ଜଣେ ମହିଳା କାନ୍ଦି କାନ୍ଦି ମୋ ପାଖକୁ ଆସିଲେ। ମୁଁ କିଛି ବୁଝିବା ପୂର୍ବରୁ ସେ ମୋ ଗୋଡ଼ ଧରି ପକାଇ କାନ୍ଦିବାକୁ ଲାଗିଲେ। ମୁଁ ଘୁଞ୍ଚି ଯାଉଥିଲେ ବି ସେ ମୋ ଗୋଡ଼ ଛାଡ଼ିନଥିଲେ। ରକ୍ତ ନ ଦେଲେ ମୋ ପୁଅ ମରିଯିବ ବୋଲି କହି ଜୋର୍‌ରେ କାନ୍ଦିବାକୁ ଲାଗିଥିଲେ। ମୁଁ ମନା କରି ପାରିଲିନାହିଁ। ରକ୍ତ ଦେଲି। ପରେ ଦେଖିଲି ମହିଳାଙ୍କ ପୁଅ ବଞ୍ଚି ଯାଇଥିଲା। ପୁଅକୁ ନେଇ ହସ୍ପିଟାଲରୁ ଘରକୁ ଗଲାବେଳେ ସେଦିନ ମହିଳାଙ୍କ ମୁହଁର ଖୁସି ଦେଖି ମୁଁ ଆଉ ପଛକୁ ଫେରିବାକୁ ମନ କରିନଥିଲି। ରକ୍ତ ଦେବା ଚାଲୁ ରଖିଲି। ଆଜିଯାଏ ଚାଲିଛି। ଖୁସି ଲାଗୁଛି।’ ଏହା ହେଉଛି ରକ୍ତଦାତା ଗୌରୀପ୍ରସାଦ ଦାଶଙ୍କ ଅନୁଭୂତିର କାହାଣୀ।
୧୦ ବର୍ଷରେ ୨୪ ଥର ରକ୍ତଦାନ ଓ ୯୭ ଥର ରକ୍ତ ପ୍ଲେଟଲେଟ୍ ଦାନ କରିଛନ୍ତି ଗୌରୀପ୍ରସାଦ ଦାଶ। ସେଥିପାଇଁ ତାଙ୍କୁ ଏସିଆ କଣ୍ଟିନେଟ୍‌ ଏଡିସନ୍‌ର ଇଣ୍ଟର୍‌ନ୍ୟାସନାଲ୍‌ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡରେ ସ୍ଥାନିତ କରାଯାଇଛି। ଏହି ବିଶ୍ବ ‌ରେକର୍ଡ କରିବା ପରେ ତାଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ତେବେ ସେ ପ୍ରଶଂସାରେ ନୁହେଁ, ନିଜ ଅନୁଭୂତିରୁ ରକ୍ତ ଦାନ କରିବାକୁ ପ୍ରେରଣା ପାଇ ଆସିଛନ୍ତି ବୋଲି କହିଛନ୍ତି। ରକ୍ତ ଦାନ ଦ୍ବାରା ଜଣେ ରୋଗୀର ଜୀବନ ବଞ୍ଚିଯିବାରେ ଯେଉଁ ଆନନ୍ଦ ମିଳେ, ତାହା ଅବର୍ଣ୍ଣନୀୟ ବୋଲି ସେ କୁହନ୍ତି। ନିଜ ଅନୁଭୂତି କଥା କହିବାକୁ ଯାଇ ସେ କହିଛନ୍ତି ଯେ ଥରେ ଜଣେ କର୍କଟ ରୋଗୀଙ୍କୁ ନିହାତି ରକ୍ତ ଦରକାର ପଡ଼ିବାରୁ ରାତି ଅଧରେ ଘରୁ ହସ୍ପିଟାଲ ଯିବାକୁ ପଡ଼ିଥିଲା। ସେହିଭଳି ଗରିବ ଲୋକଙ୍କୁ ରକ୍ତ ଦେଲାବେଳେ ସେମାନଙ୍କ ଖୁସି ଓ କୃତଜ୍ଞତା ବହୁତ ଆତ୍ମସନ୍ତୋଷ ଦେଇଥାଏ। ଏମିତି ବି ହୋଇଛି କେବଳ ରକ୍ତ ନୁହେଁ, ଗରିବ ରୋଗୀଙ୍କୁ କିଛି କିଛି ଆର୍ଥିକ ସହଯୋଗ ବି କରିବାକୁ ପଡ଼େ। ସେ ଏହି ମହତ କାର୍ଯ୍ୟକୁ ନିଶା ବୋଲି ଭାବନ୍ତି ନାହିଁ। ବରଂ ଏକ ସେବା ବୋଲି ଭାବି ନେଇଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର