କରୋନା ବିଜୟୀଙ୍କ ମୁହଁରୁ: ନର୍ସମାନେ ମୁଣ୍ଡକୁ ଆଉଁସି ଦେଉଥିଲେ

ଭୁବନେଶ୍ବର : ‘ଡାକ୍ତରମାନେ ହସି ହସି ସ୍ବାସ୍ଥ୍ୟ ବାବଦରେ ପଚାରୁଥିଲେ। ଦିନକୁ ଚାରି ପାଞ୍ଚଥର ଦେଖା କରୁଥିଲେ। ନର୍ସମାନେ ତ ଅଧିକ ଯତ୍ନବାନ ଥିଲେ। ସାଲାଇନ୍‌ ଲଗାଇବାଠାରୁ ଇଞ୍ଜେକ୍‌ସନ୍ ଓ ଔଷଧ ଦେବା ପର୍ଯ୍ୟନ୍ତ ସବୁଥିରେ ବେଶ୍ ସମୟାନୁବର୍ତ୍ତୀ ଓ ଯତ୍ନଶୀଳ ଥିଲେ। ଏମିତିକି ମଝିରେ ମଝିରେ ମୁଣ୍ଡକୁ ଆଉଁସି ଦେଇ ଆଶ୍ବାସନା ଦେଉଥିଲେ। ତେଣୁ ଡାକ୍ତରମାନଙ୍କ ବ୍ୟବହାର ଏବଂ ନର୍ସମାନଙ୍କ ମା’ ଓ ଭଉଣୀର ସ୍ନେହଯୁକ୍ତ ଯତ୍ନ ହିଁ କରୋନା ମୁହଁରୁ ରୋଗୀଙ୍କୁ ବଞ୍ଚାଉଛି ବୋଲି କହିବାକୁ ପଡ଼ିବ।’ କରୋନା ବିଜୟୀ ସୁବ୍ରତ ନନ୍ଦ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦଶଦିନର ଅନୂଭୂତି ବର୍ଣ୍ଣନା କରିବାକୁ ଯାଇ ଡାକ୍ତର ଓ ନର୍ସମାନଙ୍କୁ ଏମିତି ପ୍ରଶଂସା କରିଛନ୍ତି।

କେନ୍ଦ୍ରାପଡ଼ାର ସୁବ୍ରତ ନନ୍ଦ ରାଜଧାନୀର ଏକ ପ୍ରତିଷ୍ଠିତ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ତାଙ୍କ କହିବା କଥା, କରୋନା ସଂକ୍ରମିତ ହେବା ପରେ ସେ ମାନସିକସ୍ତରରେ ହତାଶ ହୋଇପଡ଼ିଥିଲେ। ହସ୍ପିଟାଲରେ ଭର୍ତ୍ତି ନ ହେବା ପର୍ଯ୍ୟନ୍ତ ତାଙ୍କୁ ଲାଗୁଥିଲା ଯେମତି ଛାତି ଫାଟିଯିବ ଓ ସେ ମରିଯିବେ। ସବୁଆଡ଼ ଅନ୍ଧାର ଦେଖାଯାଉଥିଲା। ତଣ୍ଟିରେ ଖାଦ୍ୟ ଯାଉନଥିଲା। ଅମ୍ଳଜାନସ୍ତର କମି ଯାଇଥିବାରୁ ନିଶ୍ବାସ ନେବା କଷ୍ଟ ହେଉଥିଲା। ତେବେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଓ ମୁହଁରେ ଅମ୍ଳଜାନ ପାଇପ୍‌ ଲାଗିଲା ପରେ ମନରେ ବଞ୍ଚିବାର ଆଶା ଉଜ୍ଜିବୀତ ହୋଇଥିଲା। ଏହା ପରେ ଡାକ୍ତର ଓ ନର୍ସମାନଙ୍କ ଯତ୍ନ ଥିଲା ବଡ଼ କଥା। ଡାକ୍ତରମାନେ ପାଖକୁ ଆସୁଥିଲେ, ପଚାରୁଥିଲେ ଓ ଭଲ ହୋଇଯିବ ବୋଲି କହି ମନବଳ ବଢ଼ାଉଥିଲେ। ତେବେ ନର୍ସମାନଙ୍କ ସେବା ଥିଲା ବଡ଼ ପ୍ରସଙ୍ଗ। ସାଲାଇନ୍‌ ଲଗାଇବା, ଇଞ୍ଜେକ୍‌ସନ୍ ଦେବା ଓ ଠିକଣା ସମୟରେ ଔଷଧ ଦେବା ଭଳି ଗୁରୁଦାୟିତ୍ବର ଭାର ଥିଲା ସେମାନଙ୍କ କାନ୍ଧରେ। ଏକ ଅନୁଭୂତି ମନେ ପକାଇ ସୁବ୍ରତ କହନ୍ତି ଯେ ସାଲାଇନ୍‌ ଲଗାଇବା ବେଳେ ତାଙ୍କ ଶିରା ପାଇବାରେ ନର୍ସମାନେ ସମସ୍ୟାର ପଡ଼ିଥିଲେ। ତେଣୁ ସେ କିଛିଟା ବିବ୍ରତ ହୋଇପଡ଼ିଥିଲେ। ଠିକ୍ ସେତିକିବେଳେ ଜଣେ ନର୍ସ ତାଙ୍କ ମୁଣ୍ଡକୁ ଆଉଁସି ଦେଇଥିଲେ ଓ ଆଶ୍ବାସନା ଦେଇଥିଲେ। ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଉକ୍ତ ନର୍ସଙ୍କ ମୁଣ୍ଡ ଆଉଁସା ତାଙ୍କ କଷ୍ଟକୁ ବହୁ ମାତ୍ରାରେ ଲାଘବ କରିଥିଲା ବୋଲି ସେ କହିଛନ୍ତି। ପରେ ଡାକ୍ତରମାନଙ୍କ ପଚରାଉଚରା ଓ ନର୍ସମାନଙ୍କ ସେବା ଯୋଗୁଁ ସେ କରୋନାକୁ ନିଶ୍ଚୟ ଜିତିବେ ବୋଲି ଭାବିଥିବା କହିଛନ୍ତି।

ପ୍ରଥମ ଅନୁଭୂତି ବର୍ଣ୍ଣନା କରିବାକୁ ଯାଇ ସୁବ୍ରତ କୁହନ୍ତି, ୫ଦିନ ଜ୍ବରରେ ପୀଡ଼ିତ ହେବା ପରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହେଲେ। ସେତେବେଳକୁ ତାଙ୍କ ଶରୀରର ଅମ୍ଳଜାନସ୍ତର କମି ସାରିଥାଏ। କଥା କହିବାକୁ ସେ ସକ୍ଷମ ହେଉନଥିଲେ। ତାଙ୍କ ଭିଣୋଇ ଓ ଭଣଜା ଟୁଇଟର୍ ମାଧ୍ୟମରେ ବିଏମ୍‌ସି ସହ ଯୋଗାଯୋଗ କରିଥିଲେ। ଏହାପରେ ବିଏମ୍‌ସି ତରଫରୁ ଆମ୍ବୁଲାନ୍ସ ଆସିଥିଲା ଓ ତାଙ୍କୁ ହାଇଟେକ୍ ‌କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ବେଡ୍‌ ମିଳିବାରେ କିଛିଟା ସମସ୍ୟା ହୋଇଥିଲା। ପ୍ରାୟ ୫ ଘଣ୍ଟା ପରେ ବେଡ୍‌ ମିଳିଥିଲା। ହସ୍ପିଟାଲରେ ବେଡ୍ ମିଳିବା ପର୍ଯ୍ୟନ୍ତ ଯେତିକି କଷ୍ଟ ବା ସମସ୍ୟା ହୋଇଥିଲା, ପରେ ଆଉ ସେସବୁକ କିଛି ନଥିଲା ବୋଲି ସୁବ୍ରତ କହିଛନ୍ତି। କରୋନା କଷଣ ସହ ଡାକ୍ତର ଓ ନର୍ସମାନଙ୍କ ସେବା ସବୁଦିନ ମନେ ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର