ଧର୍ମପଦ ପୁରସ୍କାର ବିଜେତାଙ୍କ ମୁହଁରୁ…

ଚିତ୍ରକଳାଟିଏ ଭଲରେ କରିପାରିଲେ ତାହା ମୋ ପାଇଁ ପୁରସ୍କାର: ବନବିହାରୀ ପରିଡ଼ା
କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇରେ କରୁଣାକର ପରିଡ଼ା ଓ ରାଧାରାଣୀ ପରିଡ଼ାଙ୍କଠାରୁ ୧୯୩୪ ମସିହାରେ ଜନ୍ମିତ ବନବିହାରୀ ପରିଡ଼ା ୧୯୬୦ ମସିହାରେ ଶାନ୍ତି ନିକେତନରୁ ଫାଇନ୍‌ ଆର୍ଟରେ ଉତ୍ତୀର୍ଣ୍ଣ ହେବା ପରେ ଚିତ୍ରକଳା ଜାରି ରଖିଥିଲେ। ସେ କହିଛନ୍ତି, ସମ୍ମାନ କି ପୁରସ୍କାର ପ୍ରତି ମୋ’ର ଆଗ୍ରହ ନଥାଏ, ତଥାପି ଏ ପୁରସ୍କାର ପାଇ ଖୁସି ଲାଗୁଛି। କଳାକୁ ନେଇ ବଞ୍ଚିବାରେ ଭିନ୍ନ ଆନନ୍ଦ ଥାଏ। ଚିତ୍ରକଳାଟିଏ ଭଲରେ କରିପାରିଲେ ତାହା ହିଁ ମୋ ପାଇଁ ପୁରସ୍କାର ସଦୃଶ ବୋଲି ସେ କହିଛନ୍ତି।

ପୁରସ୍କାର ଡେରିରେ ପାଇଲି, ବିଜୁ ବାବୁ ମନେ ପଡ଼ୁଛନ୍ତି: ଶ୍ୟାମସୁନ୍ଦର ପଟ୍ଟନାୟକ
ଆଠଗଡ଼ ରାଧାନାଥପୁର ଶାସନରେ ରାମଚନ୍ଦ୍ର ପଟ୍ଟନାୟକ ଓ ତିଳୋତ୍ତମା ଦେଇଙ୍କଠାରୁ ଜନ୍ମିତ ଶ୍ୟାମସୁନ୍ଦର ପଟ୍ଟନାୟକ ଚିତ୍ରକଳା ବିଷୟରେ ଅଧ୍ୟୟନ ପାଇଁ ୧୯୫୪ ମସିହାରେ ବିଜୁ ବାବୁଙ୍କ ପାଖକୁ ଯାଇଥିଲେ। ବିଜୁବାବୁ ତାଙ୍କୁ ପଚାରିଥିଲେ, ତୁ ଖଣ୍ଡଗିରି ବାବଦରେ କ’ଣ ଜାଣିଛୁ? ସେ କହିଲେ, ଖଣ୍ଡଗିରି ଦେଖି ନାହିଁ, ଜାଣିବି କ’ଣ?‌ ତେବେ ସେଇଠି ତାଙ୍କୁ କଥା ଦେଇ ଆସିଲେ ଯେ ସେ ଖଣ୍ଡଗିରି ଉପରେ କାମ କରିବେ। ପରବର୍ତୀ ସମୟରେ ଚିତ୍ର ଓ ବହି ମାଧ୍ୟମରେ ଖାରବେଳଙ୍କ କଥାକୁ ବୟାନ କରିଥିଲେ। ମାତ୍ର ଏସବୁ ‌ଦେଖିବାକୁ ସେତେବେଳେ ବିଜୁ ବାବୁ ନଥିଲେ। ପରବର୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି ଚିତ୍ର ହିଁ ମୋତେ ଅଜସ୍ର ପ୍ରସିଦ୍ଧି ଓ ପରିଚୟ ଦେବାରେ ସହାୟକ ହୋଇଥିଲା। ଏ ପୁରସ୍କାର ପାଇ ମୁଁ ଆନନ୍ଦିତ। କିନ୍ତୁ ଯେଉଁ ସମୟରେ ପାଇବା କଥା ପାଇପାରିନାହିଁ। ଡେରିରେ ପାଇଥିଲେ ମଧ୍ୟ କଳାକାର ପାଇଁ ପୁରସ୍କାର ବହୁତ ମହତ୍ବ ରଖେ। ଆଜି ଏ ପୁରସ୍କାର ପାଇବା ଅବସରରେ ବିଜୁ ବାବୁଙ୍କଠାରୁ ପାଇଥିବା ସାହାଯ୍ୟ ଓ ଉତ୍ସାହ ସ୍ମରଣ କରୁଛି।

ମା’ଙ୍କ ପ୍ରଭାବ ମୋତେ ଚିତ୍ରକଳା ପ୍ରତି ଆକୃଷ୍ଟ କରିଥିଲା: ଜଗଦୀଶ ଚନ୍ଦ୍ର କାନୁନ୍‌ଗୋ
୧୯୪୦ ମସିହାରେ ଜଗତସିଂପୁରସ୍ଥିତ ବାଲିକୁଦାରେ ଗୌରୀଚରଣ କାନୁନ୍‌ଗୋ ଓ ମାଳତି ଦେବୀଙ୍କଠାରୁ ଜନ୍ମିତ ଜଗଦୀଶ ଚନ୍ଦ୍ର କାନୁନ୍‌ଗୋ ପିଲା ବେଳୁ ଓଡ଼ିଶାର କଳା ସଂସ୍କୃତି ପ୍ରେମରେ ପଡ଼ି ଯାଇଥିଲେ। ମା’ ମାଳତୀ ଦେବୀ ଖୁବ୍‌ ସୁନ୍ଦର ଚିତା ଓ ମୁରୁଜ ଆଙ୍କୁଥିବାରୁ ଏହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ଖଲ୍ଲିକୋଟରୁ ଚିତ୍ରକଳାରେ ୧୯୬୩ରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଚାକିରି ବି କରିଥିଲେ। ମାତ୍ର ତାଙ୍କ ବଡ଼ବାପା ନିତ୍ୟାନନ୍ଦ କାନୁନ୍‌ଗୋ ଓ ପିଉସୀ ସରଳା ଦେବୀଙ୍କ ପ୍ରଭାବରୁ ସେ ଚାକିରିରେ ବାନ୍ଧି ହୋଇପାରି ନଥିଲେ। ତେଣୁ ଚାକିରି ଛାଡ଼ି ସ୍ବାଧୀନ ଭାବେ କିଛି କରିବା ଲକ୍ଷ୍ୟ ନେଇ ଓଡ଼ିଶା ଲଳିତ କଳା ଏକାଡେମିରେ କାମ ଆରମ୍ଭ କଲେ। କଳା କ୍ଷେତ୍ରରେ ସମର୍ପଣର ସ୍ବୀକୃତି ସ୍ବରୂପ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବାରୁ ଖୁବ୍‌ ଆନନ୍ଦିତ ବୋଲି ଶ୍ରୀ କାନୁନ୍‌ଗୋ କହିଛନ୍ତି।

ସମଗ୍ର ଜୀବନର ସାଧନାର ସ୍ବୀକୃତି: ମହେନ୍ଦ୍ର ପ୍ରସାଦ ମହାପାତ୍ର
୧୯୪୮ ମସିହାରେ କଟକ ବାଙ୍କୀସ୍ଥିତ ସାହାଡ଼ାପଦାରେ ରାଜକିଶୋର ମହାପାତ୍ର ଓ ଅହଲ୍ୟା ମହାପାତ୍ରଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ମହେନ୍ଦ୍ର। ୧୯୭୦ରେ ଖଲ୍ଲିକୋଟ କଲେଜରୁ ଚାରୁକଳା ଓ କାରୁକଳାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହେଲେ। ଏହି ନଭେମ୍ବର ୧୩ ତାରିଖରେ ଶିଳ୍ପୀ ସମ୍ବର୍ଧନା ପାଇଥିବା ବେଳେ ୧୩ ଦିନ ପରେ ଧର୍ମପଦ ପୁରସ୍କାର ପାଇଁ ତାଙ୍କ ନାମ ଘୋଷଣା ହେବା ସମଗ୍ର ଜୀବନର ସାଧନାର ସ୍ବୀକୃତି ବୋଲି ସେ କହିଛନ୍ତି। ଚିତ୍ର ସହ ମୂର୍ତି ଓ କବିତା ଲେଖିବାରେ ସେ ରୁଚି ରଖନ୍ତି। ‌୧୯୭୫ ମସିହାରେ ରବିବାରିଆ ଚିତ୍ରକଳା କ୍ଲାସ୍‌ ଆରମ୍ଭ କରିବାର ଧାରା ତାଙ୍କରିଠାରୁ ହିଁ ଆରମ୍ଭ ହୋଇଥିଲା। ଜଳ ରଙ୍ଗରେ ତୈଳଚିତ୍ରର ଭ୍ରମ ସୃଷ୍ଟି କରୁଥିବା ତାଙ୍କ ତୂଳୀରେ ବଟ ଗଣେଶ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିଲା।

ପ୍ରତ୍ୟେକ ଚିତ୍ର ମୋ ସନ୍ତାନ: ବିନୋଦ ମହାରଣା
୧୯୪୫ ମସିହା ଫେବ୍ରୁଆରି ୩ ତାରିଖରେ ପୁରୀର ଚିତ୍ରକର ସାହିରେ ହରିହର ମହାରଣା ଓ ନିଶାମଣି ଦେଇଙ୍କଠାରୁ ଜନ୍ମିତ ବିନୋଦ ମହାରଣା ଚିତ୍ରକର ପରିବ‌ାରରେ ଜନ୍ମ ନେଇଥିଲେ ହେଁ ସେତେବେଳେ କଳାକୁ ପେସା କରିବା କଥା ଚିନ୍ତା କରିହେଉନଥିଲା। ମାତ୍ର କଳା ପ୍ରତି ନିଶା ଯୋଗୁଁ ସେ ଅସିତ ମୁଖାର୍ଜୀଙ୍କଠାରୁ ତାଲିମ ନେଇ କଳାରେ ବ୍ରତୀ ହେଲେ। ମଠ ମନ୍ଦିରକୁ ନିଜସ୍ବ ଶୈଳୀରେ ପଟ୍ଟଚିତ୍ରରେ ଉତାରି ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ। ହସ୍ତଶିଳ୍ପ ଶିକ୍ଷା କେନ୍ଦ୍ରରେ ଶିକ୍ଷକ ଭାବେ ବହୁ ଶିଳ୍ପୀଙ୍କୁ ଗଢ଼ିଥିଲେ। ତାଙ୍କ କହିବା ମୁତାବକ, ପ୍ରତ୍ୟେକ ଚିତ୍ର ମୋ ସନ୍ତାନ। ସେମାନଙ୍କୁ ସେତିକି ମନଯୋଗ ଦେଇ ଗଢ଼େ ବୋଲି ତାହା ଜୀବନ୍ତ ହୁଅନ୍ତି। ପାରମ୍ପରିକ କଳାର ନିଶାରେ ଚୂର୍‌ ରହିଥିବାରୁ ଏହାର ପରିଣାମ ସ୍ବରୂପ ଏହି ସର୍ବୋଚ୍ଚ ପୁରସ୍କାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର