ଭୁବନେଶ୍ବର: ଆଖିରେ ନିଦ ନାହିଁ। ରାତି ପାହୁ ପାହୁ ଭୋଟ ଭିକ୍ଷା। କର୍ମୀଙ୍କୁ ସାଙ୍ଗରେ ଧରି ପ୍ରାର୍ଥୀମାନେ ଭୋଟରଙ୍କ ନିକଟରେ ପହଞ୍ଚି ଯାଉଛନ୍ତି। କିଏ ବିଶାଳ ପଟୁଆରରେ ଶୋଭାଯାତ୍ରା କରୁଛି ତ ଆଉ କିଏ ସଭା ସମିତି କରି ଭୋଟରଙ୍କ ଆସ୍ଥା ଭାଜନ ହେବାକୁ ଲାଗିପଡ଼ିଛନ୍ତି। ସହରର ଗଳିକନ୍ଦି, ସାହି, କଲୋନି, ବସ୍ତିରେ ଜମୁଛି ଘମାଘୋଟ ପ୍ରଚାର। ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ପାଖେଇ ଆସୁଥିବା ବେଳେ ନେତା ଓ ଜନତା ଏବେ ତତ୍ପର। ଗାଁଠାରୁ ସହର ଯାଏଁ ଛାଇଗଲାଣି ପୋଷ୍ଟର, ବ୍ୟାନର। ସାଧାରଣ ସଭା, ଶୋଭାଯାତ୍ରା, ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ପରେ ମଧ୍ୟ ବିଜେଡି, ବିଜେପି ଓ କଂଗ୍ରେସ କର୍ମୀମାନେ କାନ୍ଥବାଡ଼ରେ ପୋଷ୍ଟର ଲଗାଇ ଚାଲିଛନ୍ତି।
ରାଜଧାନୀ ଭିତରେ ଏତେଟା ବ୍ୟାନର ଦେଖିବାକୁ ମିଳୁ ନ ଥିବା ବେଳେ ଗାଁ ଗହଳିରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସହ ଦଳର ମୁଖିଆଙ୍କ ଫଟୋ ଛାଇଯାଇଛି। ବିଧାୟକଙ୍କ ସମର୍ଥକମାନେ ଦଳ ଦଳ ହୋଇ ଲୋକଙ୍କ ଘରକୁ ଯାଉଛନ୍ତି ଏବଂ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ୱାର୍ଡର ବିକାଶରେ ସାମିଲ୍ ହେବାକୁ ଅନୁରୋଧ କରୁଛନ୍ତି। ପ୍ରଚାର ଗାଡ଼ି ମଧ୍ୟ ଗଳିକନ୍ଦିରେ ବୁଲୁଛି। କିଏ କେଉଁଠି ହୋର୍ଡିଂ ଲଗାଇବ ତାହାକୁ ନେଇ ମଧ୍ୟ ପ୍ରତିଯୋଗିତା ଚାଲିଛି। ପ୍ରଚାର ପାଇଁ ହାତରେ ଆଉ ମାତ୍ର ତିନି ଦିନ ବାକି ଥିବାରୁ ବିଧାୟକ ପ୍ରାର୍ଥୀଙ୍କ ହୋର୍ଡିଂ ସହରର ପ୍ରମୁଖ ସ୍ଥାନରେ ଲଗାଯାଇଛି। ବିଏମ୍ସି ପକ୍ଷରୁ ଲିଜ୍ରେ ଦିଆଯାଇଥିବା ଘରୋଇ ହୋର୍ଡିଂ ସ୍ଥାନରେ ହିଁ କେବଳ ପ୍ରାର୍ଥୀଙ୍କ ବ୍ୟାନର ଦେଖିବାକୁ ମିଳିଛି। ବିଶେଷ କରି ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଛି। ଏଭଳି ଘମାଘୋଟ ପ୍ରଚାରରେ ରାଜଧାନୀ ପଡ଼ୁଛି ଉଠୁଛି।
ଗୋଟିଏ ପଟେ ସହରରେ ପୋଷ୍ଟର ଛାଉଣି ହୋଇଥିବା ବେଳେ ଅନ୍ୟପଟରେ ବିଏମ୍ସିର ନିରବତା ନେଇ ପ୍ରଶ୍ନ ଉଠିଲାଣି। ମାସେ ଦୁଇ ମାସ ପୂର୍ବରୁ ପୋଷ୍ଟର ଦେଖିବା କ୍ଷଣି ଚିଇଁକି ଉଠୁଥିବା ବିଏମ୍ସିର ଅଧିକାରୀମାନେ ଏବେ ସମ୍ପୂର୍ଣ୍ଣ ନିରବ। କାର୍ଯ୍ୟନୁଷ୍ଠାନ ଦୂରେ ଥାଉ, ପୋଷ୍ଟର ହଟାଇବାକୁ ମଧ୍ୟ ସେମାନଙ୍କର ଜୁ ପାଉ ନାହିଁ। ସହରର ତିନିଟି ଯାକ ନିର୍ବାଚନମଣ୍ଡଳୀ ଅଧୀନ ୬୭ଟି ୱାର୍ଡରେ ସମାନ ଚିତ୍ର ସାମ୍ନାକୁ ଆସୁଛି। କାନ୍ଥବାଡ଼ରେ ମାଳମାଳ ପୋଷ୍ଟର ଶୋଭା ପାଉଛି। କର୍ମୀମାନେ ରାତି ଅନିଦ୍ରା ହୋଇ ପୋଷ୍ଟର ମାରି ନିଜ ପ୍ରିୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। କେଉଁଠି ବିଜେପି ପ୍ରାର୍ଥୀଙ୍କର ତ ଆଉ କେଉଁଠି ବିଜେଡି ପ୍ରାର୍ଥୀଙ୍କର। କଂଗ୍ରେସ ପ୍ରାର୍ଥୀଙ୍କ ପୋଷ୍ଟର ସଂଖ୍ୟା ଟିକିଏ କମ୍ ରହିଥିବା ଦେଖିବାକୁ ମିଳୁଛି। ସେଗୁଡ଼ିକୁ ହଟାଇ ପାରୁ ନାହିଁ ବିଏମ୍ସି। ଲୋକେ ଯେତେବେଳେ ପୋଷ୍ଟର ଲଗାଉଥିଲେ ବିଏମ୍ସି ତତ୍କ୍ଷଣାତ ତାହାକୁ ହଟାଇବା ସହ ଜରିମାନା ଆଦାୟ କରୁଥିଲା। ଏମିତିକି ଗୋଟିଏ ଗୋଟିଏ ସଂସ୍ଥାକୁ ଲକ୍ଷାଧିକ ଟଙ୍କା ଜରିମାନା କରିବାର ନଜରି ମଧ୍ୟ ରହିଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏନେଇ ସଚେତନ କରୁଥିବା ବିଏମ୍ସି ଏବେ କିନ୍ତୁ ଚୁପ୍।
କେବଳ ସେତିକି ନୁହେଁ, ପୋଷ୍ଟର ଲଗାଇବାକୁ ନେଇ କର୍ମୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ପରିସ୍ଥିତି ଉପୁଜିଲାଣି। କେତେକ ସ୍ଥାନରେ ହାତାହାତି ହୋଇ ଥାନାରେ ଅଭିଯୋଗ ପହଞ୍ଚିଥିବା ଜଣାପଡ଼ିଛି। ସହରର ବସ୍ତିଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ସବୁଠି ଏବେ ସମାନ ଚିତ୍ର। ଯିଏ ଯେଉଁ ଦଳର ସମର୍ଥକ ତାଙ୍କ ଘର ସମ୍ମୁଖରେ ସେହି ଦଳର ପ୍ରାର୍ଥୀଙ୍କ ପୋଷ୍ଟର ଲାଗୁଛି। ଯଦି କିଏ ଅନ୍ୟ ଦଳର ପୋଷ୍ଟର ଲଗାଇ ଦେଉଛନ୍ତି ତେବେ ତାହାକୁ ସଙ୍ଗେ ସଙ୍ଗେ ଚିରି ଦିଆଯାଉଛି। ବସ୍ତି ଓ ପଞ୍ଚାୟତ ଅଞ୍ଚଳରେ ପୋଷ୍ଟର ଚିରା ପ୍ରତିଯୋଗିତା ଟିକିଏ ଅଧିକ ରହିଛି। କେତେକ ସ୍ଥାନରେ ପୋଷ୍ଟର ଚିରିବାକୁ ସ୍ବତନ୍ତ୍ର କର୍ମୀମାନେ ନିୟୋଜିତ ହୋଇଛନ୍ତି। ଅବଶ୍ୟ ଏହି ପ୍ରତିଯୋଗିତାରୁ ଆପାର୍ଟମେଣ୍ଟ ଟିକିଏ ନିସ୍ତାର ପାଇଛି। ପ୍ରାର୍ଥୀମାନେ ସେଠାରେ ପ୍ରଚାର କରୁଛନ୍ତି ସତ। ହେଲେ କଟକଣା ଥିବାରୁ କର୍ମୀମାନେ ପୋଷ୍ଟର ଲଗାଇବାରେ ସକ୍ଷମ ହେଉ ନାହାନ୍ତି।