ଆଜିଠାରୁ ପୁଣି ଥରେ ‘ଆହେ ନୀଳଶଇଳ’, ଲୋକାର୍ପଣ ହେବ ନାଟକର ପୁସ୍ତକ

୮ରୁ ତିନିଦିନ ଧରି ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହେବ

ଭୁବନେଶ୍ବର : ଦର୍ଶକଙ୍କ ଅନୁରୋଧ କ୍ରମେ ଶୁକ୍ରବାରଠାରୁ ପୁଣି ଥରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’। ଏହି ଅବସରରେ ଓଡ଼ିଶା ଇତିହାସର ଏକ ବହୁଚର୍ଚ୍ଚିତ ଅଧ୍ୟାୟକୁ ନେଇ ରଚିତ ‘ଆହେ ନୀଳଶଇଳ’ ନାଟକ ପୁସ୍ତକ ରୂପେ ଆତ୍ମପ୍ରକାଶ କରିଛି। ଶୁକ୍ରବାର ସନ୍ଧ୍ୟା ୬ଟାରେ ‘ଆହେ ନୀଳଶଇଳ’ ପୁସ୍ତକର ଲୋକର୍ପଣ ରବୀନ୍ଦ୍ର ମଣ୍ଡପରେ କରାଯିବ। ସୂଚନାଯୋଗ୍ୟ, ‘ଚକଲେଟ୍ ପ୍ରଡକସନ୍ସ’ ନିବେଦିତ ‘ଆହେ ନୀଳଶଇଳ’ ଜୁଲାଇ ୮,୯ ଓ ୧୦ ତିନିଦିନ ଧରି ପ୍ରତ୍ୟହ ସଂଧ୍ୟା ୬ଟାରେ ପ୍ରଦର୍ଶିତ ହେବ। ଏହାର ଟିକେଟ୍ ‘ବୁକ୍ ମାଇଁ ସୋ’ ୱେବସାଇଟରେ ଉପଲବ୍ଧ ହେଉଛି ଓ ପ୍ରତି ଟିକେଟର ମୂଲ୍ୟ ୩୦୦ ଟଙ୍କା ରହିଛି।

କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କୁ ଯବନ ଆକ୍ରମଣ ଭୟରେ ମନ୍ଦିରରୁ ସ୍ଥାନାନ୍ତର, ପରେ ରତ୍ନସିଂହାସନରେ ତାଙ୍କର ପୁନଃପ୍ରତିଷ୍ଠା ଏବଂ ମହାପ୍ରଭୁଙ୍କ ମାନରକ୍ଷା ପାଇଁ ଗଜପତି ରାମଚନ୍ଦ୍ରଦେବଙ୍କ ସଂଘର୍ଷ ଓ ତ୍ୟାଗର କାହାଣୀକୁ ‘ଆହେ ନୀଳଶଇଳ’ରେ ରୂପାୟିତ କରିଛନ୍ତି ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡକ୍ଟର ପ୍ରତିମା କୁମାରୀ ହୋତା। ଏହି ପୁସ୍ତକଟିକୁ ‘ଆମ ଓଡ଼ିଶା’ ପ୍ରକାଶନ ପକ୍ଷରୁ ପ୍ରକାଶ କରାଯାଇଛି । ୧୦୦ ଟଙ୍କା ମୂଲ୍ୟର ଏହି ପୁସ୍ତକଟି ଦର୍ଶକମାନଙ୍କ ପାଇଁ ରବୀନ୍ଦ୍ର ମଣ୍ଡପରେ ଆକର୍ଷଣୀୟ ରିହାତି ମୂଲ୍ୟରେ ଉପଲବ୍ଧ ହେବ। ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ଏହି ରିହାତିର ସୁଯୋଗ ନେବା ପାଇଁ ନାଟକପ୍ରେମୀମାନଙ୍କୁ ‘ସମ୍ବାଦ ଗ୍ରୁପ୍’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଅନୁରୋଧ କରାଯାଉଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୭ରୁ ୧୦ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ପ୍ରଦର୍ଶିତ ହୋଇ ‘ଆହେ ନୀଳଶଇଳ’ ବିପୁଳ ଦର୍ଶକ ସମର୍ଥନ ହାସଲ କରିଥିଲା। ତେବେ ନାଟକ ଦେଖିବାରୁ ବଞ୍ଚିତ ହୋଇଥିବା ଦର୍ଶକ ପୁଣି ଥରେ ଏହାର ପ୍ରଦର୍ଶନ ଲାଗି ଅନୁରୋଧ କରି ଆସୁଥିଲେ। ଖିମଜୀ ଜୁଏଲର୍ସ ଉପସ୍ଥାପିତ ‘ଆହେ ନୀଳଶଇଳ’ ନାଟକର ନିର୍ଦ୍ଦେଶନା ଦେଇଛନ୍ତି ଲାଲା ବୀରେନ୍ ରାୟ । ଏଥିରେ ଅଭିନେତା ଲରେନ୍ସ ଗଜପତି ରାମଚନ୍ଦ୍ର ଦେବ, ସୋଫିଆ ଆଲମ୍ ମହାରାଣୀ, ପ୍ରକାଶ ଜେନା ତକି ଖାଁ, ଶ୍ରଦ୍ଧା ପାଣିଗ୍ରାହୀ ରେଜିଆ ଓ ମନୀଷା ରଥ ସରଦେଈ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ହାସ୍ୟାଭିନେତା ହାଡୁ ଷଣ୍ଢ ସୁଆର ଭୂମିକାରେ ନଜର ଆସିଥିବା ବେଳେ ଆରଜେ କେପି ମୁରାଦ ଅଲ୍ଲୀ ଚରିତ୍ର ନିଭାଇଛନ୍ତି। ଏହାବାଦ୍ ନିଶାନ୍ତ, ପାର୍ଥ, ଚିନ୍ମୟ, ଶମ୍ଭୁ ହୋତା, ଗୋବିନ୍ଦ ମହାପାତ୍ର, ଉମା, ରଘୁନାଥ, ବିନୁ, ପ୍ରଭାତ, ସୁନୀଲ ଓ ରାକେଶ ପ୍ରମୁଖ କଳାକାର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ନିର୍ଦ୍ଦେଶନାରେ ସହଯୋଗ କରିଛନ୍ତି ଅନନ୍ତ, ସୁବାସ ଓ ଜିତୁ। ‘ବୁକ୍ ମାଇଁ ସୋ’ ବ୍ୟତୀତ ୯୮୫୩୦୩୫୧୦୪ ନମ୍ବରକୁ ଯୋଗାଯୋଗ କରି ନାଟକର ଟିକେଟ କ୍ରୟ କରିହେବ ବୋଲି ପ୍ରଯୋଜନା ସଂସ୍ଥା ‘ଚକଲେଟ୍ ପ୍ରଡକସନ୍ସ’ ପକ୍ଷରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର