ଆଜିଠୁ ଚନ୍ଦନଯାତ୍ରା, ମେୟର ବୁଲି ଦେଖିଲେ ବିନ୍ଦୁସାଗର

ଚାପ ଖେଳିବେ, ଚନ୍ଦନ ପାଣିରେ ବୁଡ଼ିବେ

ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ତିଥି। ବିଧି ଓ ପରମ୍ପରା ଅନୁସାରେ ଆରମ୍ଭ ହେବ ଶ୍ରୀଲିଙ୍ଗରାଜ ମହାପ୍ରଭଙ୍କୁ ଚନ୍ଦନଯାତ୍ରା। ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ପ୍ରଭୁ ଏହି ମାନବୀୟ ଲୀଳାଖେଳା କରିବେ। ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା, ପ୍ରଭୁ କପିଳନାଥ ଓ ପ୍ରଭୁ ବାସୁଦେବ ପବିତ୍ର ପୁଷ୍କରିଣୀ ବିନ୍ଦୁସାଗରରେ ଚାପ ଖେଳିବା ସହ ସୁବାସିତ ଚନ୍ଦନ ଜଳରେ ବୁଡ଼ିବେ। ୩ ସପ୍ତାହ ଧରି ଚାଲିବ ଏହି ଯାତ୍ରା। ସବୁଦିନ ପ୍ରଭୁ ଏକ ବିରାଟ ପଟୁଆରରେ ଓ ଶୋଭାଯାତ୍ରାରେ ବାହାରି ବିନ୍ଦୁସାଗରକୁ ଯିବେ ଏବଂ ସେଠାରେ ଚାପ ଡଙ୍ଗାରେ ଭଉଁରି ଖେଳି ଜଗତି ଉପରେ ଚନ୍ଦନ ଜଳରେ ସ୍ନାନ କରି ପୁଣି ମନ୍ଦିରକୁ ଫେରିବେ।

ଏକାମ୍ର କ୍ଷେତ୍ରର ଏହି ପ୍ରସିଦ୍ଧ ଚନ୍ଦନ ଯାତ୍ରା ପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ କିଛି ବର୍ଷ ହେଲା ପ୍ରଭୁ କପିଳନାଥ ଏହି ଯାତ୍ରାରେ ସାମିଲ୍‌ ହେଉନାହାନ୍ତି। ପରମ୍ପରା ଭଙ୍ଗ ହେଉଥିଲେ ମଧ୍ୟ ପ୍ରଶାସନ ପ୍ରଭୁ କପିଳନାଥଙ୍କୁ ଏଥିରେ ପୁଣି ସାମିଲ କରାଇବାରେ ସଫଳ ହୋଇନାହିଁ। ତେଣୁ ଏଥର ବି କପିଳନାଥଙ୍କୁ ଏହି ପଟୁଆରରେ ଦେଖିବାକୁ ମିଳିବ କି ନାହିଁ, ତାହା ଅନିଶ୍ଚିତତାରେ ରହିଛି। ମନ୍ଦିର ପ୍ରଶାସନ ପକ୍ଷରୁ ଯାତ୍ରା ବାବଦରେ ମିଳିଥିବା ସୂଚନାନୁସାରେ ଆସନ୍ତାକାଲି ଶ୍ରୀଲିଙ୍ଗରାଜ ମନ୍ଦିରରରେ ସମସ୍ତ ନୀତିକାନ୍ତି ସମାପନ ହେବା ପରେ ଅପରାହ୍‌ଣରେ ଦେବଦେବୀମାନେ ଚନ୍ଦନ ଯାତ୍ରା ପାଇଁ ବାହାରିବେ। ଠାକୁରମାନେ ମନ୍ଦିରରୁ ପାଲିଙ୍କିରେ ବସି ଶୋଭାଯାତ୍ରାରେ ବାହାରିବେ। ସୁସଜ୍ଜିତ ପାଲିଙ୍କି ସମ୍ମୁଖରେ ଘଣ୍ଟଘଣ୍ଟା କାହାଳୀ ଆଦି ବାଜିବ। ଶୋଭାଯାତ୍ରା ବିନ୍ଦୁସାଗର ବ୍ରହ୍ମାଘାଟ କୂଳରେ ପହଞ୍ଚିବା ପରେ ଚାପ ଡଙ୍ଗାକୁ ଗମନ କରିବେ। ଏହା ପୂର୍ବରୁ ଚାପ ଡଙ୍ଗାକୁ ପୂଜାପଣ୍ଡା ସେବାୟତ ଛେରାପହଁରା କରିବେ। ପରେ ପାଳିଆ ବଡ଼ୁ ସେବାୟତ ଠାକୁରଙ୍କୁ ମଣେଇବେ ଓ ଦେବଦେବୀମାନେ ଚାପ ଡଙ୍ଗାସ୍ଥିତ ସିଂହାସନରେ ବସିବେ। ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଓ ମା’ ଦୁର୍ଗା ଉପବିଷ୍ଟ ହେବେ। ମୁଖ୍ୟ ସିଂହାସନର ଦୁଇକଡ଼ରେ ଥିବା ସିଂହାସନରେ ପ୍ରଭୁ ବାସୁଦେବ ବସି ଯାତ୍ରା କରିବେ।

ସୂଚନାନୁସାରେ, ବିନ୍ଦୁସାଗର ପୁଷ୍କରିଣୀରେ ଚାପ ଖେଳିବା ଭିତରେ ପ୍ରଭୁ ୨୨ ଦିନ ଧରି ମଠ ଘାଟରେ ଭୋଗ ଖାଇବେ। କିନ୍ତୁ ବିଧି ଅନୁସାରେ ଅକ୍ଷୟ ତୃତୀୟା ଦିନ ପ୍ରଭୁ ମହନୀ ଘାଟରେ ଭୋଗ ଖାଇବେ। ସବୁଦିନ ଜଗତି ଚାରିକଡ଼ରେ ଚାପ ଡଙ୍ଗା ୮ଘେରା ଭଉଁରି ଖେଳିବା ବିଧି ରହିଛି। ଏହା ପରେ ଠାକୁର ଜଗତି ଉପରକୁ ଯିବେ। ସେଠାରେ ଯାଥାରୀତି ପୂଜାର୍ଚ୍ଚନା ପରେ ବିଗ୍ରହମା‌ନେ ଚନ୍ଦନ ପାଣିରେ ବୁଡ଼ିବେ। ଚନ୍ଦନ, ଅଗୁରୁ, କର୍ପୂର, ମଲ୍ଲି ଫୁଲ, ଚମ୍ପା ଫୁଲ ପଡ଼ିଥିବା କୁଣ୍ଡରେ ଦେବଦେବୀମାନେ ବୁଡ଼ି ରହିବେ। ନିୟମାନୁସାରେ ଠାକୁରଙ୍କ ବିଗ୍ରହମାନଙ୍କୁ ବେକ ପର୍ଯ୍ୟନ୍ତ ସୁବାସିତ ଜଳକୁଣ୍ଡରେ ବୁଡ଼ାଇ ରଖାଯାଏ। ଗୋଟିଏ କୁଣ୍ଡରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଓ ମା’ ଦୁର୍ଗାଙ୍କ ପ୍ରତିମା ବୁଡ଼ି ରହିବା ବିଧି ଥିବା ବେଳେ ପ୍ରଭୁ ବାସୁଦେବଙ୍କୁ ଅଲଗା କୁଣ୍ଡରେ ବୁଡ଼ାଇ ରଖାଯାଏ। ଦେହ ଶୀତଳ ପଡ଼ିବା‌ ପର୍ଯ୍ୟନ୍ତ ଠାକୁରମାନେ କୁଣ୍ଡରେ ବୁଡ଼ି ରହନ୍ତି। ଏହା ପରେ କୁଣ୍ଡରୁ ବାହାରି ପୁଣି ଚାପଡଙ୍ଗାକୁ ଆସନ୍ତି ଓ ଭଉଁରି ଖେଳି ଘାଟ ଓ ପରେ ମନ୍ଦିରକୁ ପ୍ରତ୍ୟାବର୍ତନ କରନ୍ତି। ଚଳିତ ବର୍ଷ କରୋନା କଟକଣା ନଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଏହି ସୁନ୍ଦର ଜଳକ୍ରୀଡ଼ା ଦେଖିବାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି।

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପ୍ରସ୍ତୁତି ‌ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ଭୁବନେଶ୍ବର ମେୟର ସୁଲୋଚନା ଦାସ ବିନ୍ଦୁସାଗର ବୁଲି ଦେଖିଛନ୍ତି। ଏହି ଅବସର‌ରେ ସେ ବିନ୍ଦୁସାଗରରୁ ହେଉଥିବା ଦଳ ସଫେଇ କାମ ତଦାରଖ କରିଥିଲେ। ବିନ୍ଦୁସାଗର କଡ଼ ରାସ୍ତା ବୁଲି ଦେଖିବା ବେଳେ ବାଟରେ ପଡ଼ିଥିବା ଭଙ୍ଗା କୁଡ଼ୁଆ ଓ ମଦ ବୋତଲ ଦେଖି ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ରାସ୍ତାକୁ ଠିକ୍‌ ଭାବେ ସଫେଇ କରିବା ଓ ଭଙ୍ଗା କୁଡ଼ୁଆକୁ ଠିକଣା ଜାଗାରେ ପକାଇବା ପାଇଁ ସେ ବିଏମ୍‌ସିର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଅସାମାଜିକ ବ୍ୟକ୍ତିମାନେ ରାତିରେ ମଦ୍ୟପାନ କରି ବିନ୍ଦୁସାଗର କୂଳରେ ମଦ ବୋତଲ ଫିଙ୍ଗୁଥିବା ଘଟଣା ବାବଦରେ ସେ ପୁଲିସ କମିସନରଙ୍କୁ ଫୋନ୍‌ କରି ଜଣାଇଥିଲେ। ଜଗତି ଓ ବିନ୍ଦୁସାଗର କଡ଼ ରାସ୍ତାରେ ଅଧିକ ଲାଇଟ୍‌ ଲଗାଇବାକୁ ସେ ଅଧିକାରୀଙ୍କୁ କହିଥିଲେ। ଏହି ସମୟରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁଆର, ଶିବ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ମହାରଣା ସେବାୟତମାନେ ଚାପ ଡଙ୍ଗା ପ୍ରସ୍ତୁତି କରୁଥିବା ଦେଖି ସେ ସେମାନଙ୍କୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର