ପୁରୁଣା ଭୁବନେଶ୍ୱର: ଆମ ପରମ୍ପରାରେ ଆଶ୍ବିନମାସ କୃଷ୍ଣପକ୍ଷଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନକୁ ‘ପିତୃପକ୍ଷ’ ବା ‘ଅପରପକ୍ଷ’ କୁହାଯାଏ। ଆସନ୍ତାକାଲି ଅର୍ଥାତ୍‌ ୮ ତାରିଖ ସୋମବାରରୁ ଆରମ୍ଭ ହେଉଛି ପିତୃପକ୍ଷ। ଏହା ୨୧ ତାରିଖ ଅମାବାସ୍ୟା ତିଥି ପର୍ଯ୍ୟନ୍ତ ପାଳନ କରାଯିବ। ଏହି ଦିନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଏ। ଶ୍ରଦ୍ଧାଳୁମାନେ ତାଙ୍କ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ। 

Advertisment

ପୂଜକ କାଳୀଚରଣ ଦାଶଙ୍କ କହିବା ଅନୁଯାୟୀ, ଏକାମ୍ର କ୍ଷେତ୍ରରେ ବିନ୍ଦୁସାଗର ବ୍ୟତୀତ ସାମନ୍ତରାପୁର ସୂକ୍ଷ୍ମେଶ୍ୱର ମନ୍ଦିର ନିକଟ ଗୟା କୁଣ୍ଡରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ଆଶ୍ୱିନ ମାସ ପ୍ରଥମ ଦିନରୁ ଅମାବାସ୍ୟା ତିଥି ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ପିଣ୍ଡଦାନ ତଥା ମହାଳୟା ଶ୍ରାଦ୍ଧ ନିମନ୍ତେ ଶ୍ରୀକ୍ଷେତ୍ରର ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ, ଯାଜପୁରର ନାଭିଗୟା ଭଳି ଏକାମ୍ର କ୍ଷେତ୍ରରେ ବିନ୍ଦୁସାଗର କୂଳ ଓ ସୂକ୍ଷ୍ମେଶ୍ୱର ମନ୍ଦିର ପୁଷ୍କରିଣୀକୁ ଶ୍ରଦ୍ଧାଳୁମାନେ ବହୁସଂଖ୍ୟାରେ ଆସିଥାନ୍ତି। ପୂଜାପଣ୍ଡା ନିଯୋଗର ମଣ୍ଟୁ ପୂଜାପଣ୍ଡାଙ୍କ ମତ ହେଲା, ବର୍ତ୍ତମାନ ସମୟରେ ମହାପ୍ରଭୁ ଶୟନ କାଳରେ ଥାଆନ୍ତି। ଶୟନ ଚତୁର୍ଦ୍ଦଶୀ ତିଥିରୁ ଉତ୍‌ଥାପନ ଚତୁର୍ଦ୍ଦଶୀ ତିଥି ପର୍ଯ୍ୟନ୍ତ ଚାରିମାସ ବିବାହ, ବ୍ରତ, ଗୃହ ପ୍ରବେଶ ଆଦି ଶୁଭ କାର୍ଯ୍ୟ ହୁଏ ନାହିଁ। ଏହି ସମୟରେ ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି ହୋଇଥାଏ। ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି ଓ ଦେବଦେବୀଙ୍କ ଶୟନ କାଳରେ ପିତୃକାର୍ଯ୍ୟ କରିବା କର୍ମକାଣ୍ଡରେ ବ୍ୟବସ୍ଥା ରହିଛି। ତେଣୁ ଆଶ୍ୱିନ ମାସ କୃଷ୍ଣପକ୍ଷ ପିତୃପକ୍ଷ ଭାବେ ପ୍ରସିଦ୍ଧ। ଏହି ପକ୍ଷରେ ପିତୃପୁରୁଷଙ୍କୁ ତର୍ପଣ କରାଯାଏ। ପିତୃପୁରୁଷଙ୍କ ତିଥିରେ ତାଙ୍କ ଉତ୍ତର ପୁରୁଷ ଶ୍ରାଦ୍ଧ ଦେଇଥାନ୍ତି। ଯେଉଁମାନେ ତିଥି ଅନୁସାରେ ପିଣ୍ଡଦାନ କରି ନ ପାରନ୍ତି ସେମାନେ ମହାଳୟାରେ ପିଣ୍ଡଦାନ କରିଥାନ୍ତି। ପିତୃପକ୍ଷରେ ଭାରତର ପୁରୁଷୋତ୍ତମ କ୍ଷେତ୍ର ମହୋଦଧି, ଗୟା ଏବଂ ଗଙ୍ଗାଯମୁନା ଓ ସରସ୍ୱତୀର ସଙ୍ଗମସ୍ଥଳ ଆହ୍ଲାବାଦର ପ୍ରୟାଗଠାରେ ଅସ୍ଥି ବିସର୍ଜନ ଏବଂ ପିଣ୍ଡଦାନର ବ୍ୟବସ୍ଥା ରହିଛି ବୋଲି ପଣ୍ଡିତ ଗୋପୀନାଥ କର କହିଛନ୍ତି। 

ଅାବର୍ଜନା ଭର୍ତ୍ତି ଐତିହ୍ୟ ତୀର୍ଥ ସୂକ୍ଷ୍ମେଶ୍ବର ପୁଷ୍କରିଣୀ

 ଶ୍ରୀରାମନଗରସ୍ଥିତ ଐତିହ୍ୟ ତୀର୍ଥ ସୂକ୍ଷ୍ମେଶ୍ବର ପୁଷ୍କରିଣୀ ଓ ଗୟାକୁଣ୍ଡ ଦଳ ଆବର୍ଜନାରେ ଭର୍ତ୍ତି ହୋଇଛି। ସୂକ୍ଷ୍ମେଶ୍ବର ମନ୍ଦିରରେ ପାଣି ଗଳୁଥିବା ବେଳେ ପୁଷ୍କରିଣୀ ଓ ଗୟାକୁଣ୍ଡରେ ଆବର୍ଜନା ଯୋଗୁ ସେଠାରେ ଶ୍ରାଦ୍ଧ ଦେବାକୁ ନାକ ଟେକୁଛନ୍ତି ଶ୍ରଦ୍ଧାଳୁ। ସ୍ଥାନୀୟ ଅଧିବାସୀ ବିଚିତ୍ର ମଲିଆଙ୍କ କହିବା ଅନୁଯାୟୀ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ୫୯ ନମ୍ବର ୱାର୍ଡସ୍ଥିତ ଶ୍ରୀରାମନଗରଠାରେ ଶ୍ରୀସୂକ୍ଷ୍ମେଶ୍ବର ମନ୍ଦିର ରହିଛି। ସେହିପରି ପୁଷ୍କରିଣୀ ରହିଛି ବିଏମ୍‌ସି ଅଧୀନରେ। ଏହି ପୁଷ୍କରିଣୀକୁ ତୀର୍ଥଜଳ ଭାବେ ବ୍ୟବହାର କରାଯିବା ସହ ଠାକୁରଙ୍କ ସ୍ନାନ ଓ ପୂଜାରେ ବ୍ୟବହାର କରାଯାଏ। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ପିତୃପକ୍ଷରେ ସେଠାରେ ଶହ ଶହ ଲୋକ ପିଣ୍ଡଦାନ କରିବେ। ତେବେ ଆବର୍ଜନାରେ ପୂରିଯାଇଥିବାରୁ ପୁଷ୍କରିଣୀ ଓ ଗୟାକୁଣ୍ଡକୁ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କରିବାକୁ ବିଏମ୍‌ସି କମିସନରଙ୍କଠାରେ ଦାବି କରାଯାଇଛି ବୋଲି ଶ୍ରୀ ମଲିଆ କହିଛନ୍ତି।