ରାଜଧାନୀରେ ଫଳ ବେପାର ମାନ୍ଦା

ଭୁବନେଶ୍ବର : ସାଧାରଣତଃ ଖରାଦିନେ ଫଳ ବଜାର ଶସ୍ତା ହୋଇଥାଏ ଓ ବେପାର ଭଲ ଜମେ। କମଳା ଓ ଅଙ୍ଗୁର ଭଳି କିଛି ଫଳ ଦାମ କମ୍‌ ରହିବା କାରଣରୁ ସବୁ ବର୍ଗର ଲୋକେ ଫଳ କିଣିବାକୁ ମନ ବଳାଇଥାନ୍ତି। କିନ୍ତୁ ଚଳିତ ବର୍ଷ ଫଳ ବଜାରରେ ଭିନ୍ନ ସ୍ଥିତି ଦେଖିବାକୁ ମିଳିଛି। ସ୍ବାଭାବିକଭାବେ ଖରାଦିନିଆ ଫଳ ଦାମ୍‌ ଶସ୍ତା ଥିଲେ ବି ଗ୍ରାହକମାନେ ଫଳ ବଜାର ମୁହାଁ ହୋଇପାରୁନାହାନ୍ତି। ସମ୍ପ୍ରତି ଦର ବୃଦ୍ଧି ସାଧାରଣ ବର୍ଗର ଲୋକଙ୍କ କ୍ରୟ ଶକ୍ତିକୁ ବହୁ ମାତ୍ରାରେ ହ୍ରାସ କରିଥିବାରୁ ଲୋ‌କେ ଫଳ ବଜାର ଆଡ଼କୁ ଚାହିଁବାକୁ ଭୟ କରୁଥିବା କୁହାଯାଉଛି। ତେଣୁ ଚଳିତ ବର୍ଷ ଫଳ ବ୍ୟବସାୟୀମାନେ କ୍ଷତି ସହୁଥିବା ଜଣାପଡ଼ିଛି।

ଏବେ ଅଙ୍ଗୁର ଦର ରହିଛି କିଲୋ ପିଛା ୮୦ରୁ ୧୦୦ ଟଙ୍କା। ମିଠା ମଞ୍ଜିବିହୀନ ଅଙ୍ଗୁର ୮୦ ଟଙ୍କାରେ ମିଳୁଛି। ସେହିଭଳି କମଳା ଦର ରହିଛି ପ୍ରାୟ ୫୦ ଟଙ୍କା। ସାଧାରଣତଃ ଖରାଦିନ ଆରମ୍ଭରୁ ଏହି ଦୁଇ ଫଳ ପ୍ରତିବର୍ଷ ଏମିତି ଶସ୍ତା ହୁଏ। ତେଣୁ ଗ୍ରାହକମାନେ ଏହି ଦୁଇ ଫଳ ବହୁ ପରିମାଣରେ କିଣିବା ଦେଖାଯାଏ। କିନ୍ତୁ ସମାନ ଦର ଥାଇ ଚଳିତ ବର୍ଷ ଏହି ଦୁଇ ଫଳର ବିକ୍ରି ସେମିତି ଆଖିଦୃଶିଆ ହେଉନାହିଁ। ଅନ୍ୟପକ୍ଷରେ ସେଓ ଦର ସାଧାରଣତଃ ଅଧିକ ଥାଏ। ଏବେ ସେଓ କିଲୋ ୧୮୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ତେଣୁ ସ୍ବାଭାବିକଭାବେ ଖରାଦିନରେ ଫଳ ସେଓ ବିକ୍ରି କମ୍‌ ହୁଏ। ମାତ୍ର ଅଙ୍ଗୁର ଓ କମଳା ବିକ୍ରି ବଢ଼ିଥାଏ। କିନ୍ତୁ ଚଳିତ ବର୍ଷ ଏହି ଦୁଇ ଫଳ ବିକ୍ରି ପ୍ରାୟ ୪୦ ଶତକଡ଼ା କମିଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ଫଳରେ ଗୋଦାମରୁ ମାଲ୍‌ ଉଠାଇବା ପରେ ଦୋକାନରେ ବିକ୍ରି ନ ହେବାରୁ ବହୁ ପରିମାଣର ଫଳ ପଚିସଢ଼ି ନଷ୍ଟ ହେଉଛି ବୋଲି ସେମାନେ କହିଛନ୍ତି। ଭୁବନେଶ୍ବର କଳ୍ପନା ଛକସ୍ଥିତ ମା’ତାରିଣୀ ଭେଣ୍ଡି ଜୋନ୍‌ର ବ୍ୟବସାୟୀ ସୁଶାନ୍ତ କୁମାର ସାହୁଙ୍କ କହିବାନୁସାରେ କରୋନା ସମୟରେ ବ୍ୟବସାୟ ସଂପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିଲା। ଏବେ କରୋନା କଟକଣା ହଟିବା ପରେ ବି ଅବସ୍ଥାରେ କୌଣସି ସୁଧାର ଆସିନାହିଁ। ସେହିପରି ୧ନଂ ମାର୍କେଟର ବ୍ୟବସାୟୀ ବିଜୟ କୁମାର ସାହୁ କହିଛନ୍ତି ଯେ ମହାମାରୀ ସମୟରେ ଫଳ ବେପାର ମାନ୍ଦା‌ ଥିଲା। ପରେ ବେପାର ବଢ଼ିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସେମିତି କିଛି ହେଲା ନାହିଁ। ବରଂ ଉଠା ବେପାରୀ ସଂଖ୍ୟା ବଢ଼ିଲା ସିନା ବେପାର ବଢ଼ିଲା ନାହିଁ। ତେଣୁ ଏବେ ସ୍ଥିତି ଏମିତି ଯେ ମହାଜନର ବକେୟା ଟଙ୍କା ସୁଝିବା କଷ୍ଟକର ହୋଇପଡ଼ୁଛି।

ଫଳ ବେପାରର ଏଭଳି ଅବସ୍ଥା ବାବଦରେ ବ୍ୟବସାୟୀମାନଙ୍କ କହିବା କଥା ଏବେ ବଜାରକୁ ଦର ବୃଦ୍ଧି ମାନ୍ଦା କରି ଦେଇଛି। କରୋନା ସଂକଟ ପରଠାରୁ ଲୋକଙ୍କ ରୋଜଗାର କମିଥିବାବେଳେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ି ଚାଲିଛି। ଡାଲି, ‌ତେଲ ଓ ପିଆଜ ଭଳି ସାମଗ୍ରୀ କିଣିବାକୁ ଲୋକଙ୍କ ପାଖରେ ପଇସା ଅଭାବ। ତେଣୁ ସ୍ବାଭାବିକଭାବେ ଲୋକେ ଫଳ ବଜାରରୁ ମୁହଁ ଫେରାଇ ନେଉଥିବା ଦେଖାଯାଉଛି। କେବଳ ସ୍ବଚ୍ଛଳ ବର୍ଗର କିଛି ଲୋକ ଏବେ ଫଳ କିଣୁଛନ୍ତି ବୋଲି ବ୍ୟବସାୟୀମାନେ କହିଛନ୍ତି। ସେହିଭଳି ରାଜଧାନୀରେ ବାରମ୍ବାର ଭେଣ୍ଡିଂ ଜୋନ୍‌କୁ ଅଦଳବଦଳ କରାଯାଉଥିବାରୁ ମଧ୍ୟ ଫଳ ବେପାର ମାନ୍ଦା ହେଉଥିବା କିଛି ବେପାରୀ କହିଛନ୍ତି। ଶ୍ରୀୟା ଛକ ନିକଟରୁ ପ୍ରାୟ ୩୨ଜଣ ବ୍ୟବସାୟୀ ଫଳ ବେପାରୀଙ୍କୁ ଉଚ୍ଛେଦ କରାଯାଇ ରାଜମହଲ ଛକ ନିକଟ ଭେଣ୍ଡିଂ ଜୋନ୍‌ରେ ଥଇଥାନ କରାଗଲା। ଯାହାଦ୍ବାରା ସେମାନଙ୍କ ବେପାର ପ୍ରଭାବିତ ହେଲା ବୋଲି ବ୍ୟବସାୟୀ ‌‌ବୈଦନାଥ ସାହୁ କହିଛନ୍ତି। ଦୋକାନ ସ୍ଥାନାନ୍ତରଣ ଯୋଗୁଁ ସେମାନେ ସେମାନଙ୍କର ନିୟମିତ ଗ୍ରାହକ ହରାଇଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର