କୋଟିଏ ଟଙ୍କାର ଚୂନ ଲଗାଇ ଫଳ ବେପାରୀ ଫେରାର: ଋଣ ଦେଇ ଅଚିନ୍ତାରେ ବ୍ୟାଙ୍କ, ବ୍ୟାଙ୍କ୍‌କୁ ଠକିଛି ୧୬ ଲକ୍ଷ

ହାତ ଉଧାରି ନେଇଛି ୮୪ ଲକ୍ଷ

ଭୁବନେଶ୍ବର: ବ୍ୟାଙ୍କ୍‌କୁ ଠକିଛି ୧୬ ଲକ୍ଷ, ୭ ଜଣଙ୍କଠାରୁ ହାତ ଉଧାରି ନେଇଛି ୮୪ ଲକ୍ଷ ଟଙ୍କା। ଏମିତି ପ୍ରାୟ କୋଟିଏ ଟଙ୍କାର ଚୂନ ଲଗାଇ ଫେରାର ହୋଇଯାଇଛି ଜଣେ ଫଳ ବେପାରୀ। ଋଣ ପାଇଁ ବନ୍ଧକ ଥିବା ଜମି ପଟ୍ଟା ଜାଲ୍‌ ଥିବା ଜାଣିବା ପରେ ଥାନାରେ ଏତଲା ଦେଇ ଅଚିନ୍ତାରେ ବସିଛି ବ୍ୟାଙ୍କ୍‌। ଏଣେ ୧୦ ଟଙ୍କିଆ କୋର୍ଟ ପେପର‌ରେ ଚୁକ୍ତିନାମା କରି ଲକ୍ଷ ଲକ୍ଷ ଟଙ୍କା ହାତ ଉଧାରି ଦେଇ ଥିବା ଲୋକ ମୁଣ୍ଡରେ ହାତ ଦେଇ ବସିଛନ୍ତି। କୋର୍ଟରେ ତାରିଖ ପରେ ତାରିଖ ଗଡ଼ୁଥିବାବେଳେ ଆଇନଶୃଙ୍ଖଳା ସହ ଧାରଣା ଓ ଆନ୍ଦୋଳନ ସମ୍ଭାଳୁଥିବା ପୁଲିସ ମଧ୍ୟ ଫେରାର ଫଳ ଦୋକାନୀକୁ ଧରିବାକୁ ସମୟ ପାଉନି।

ଧୂର୍ତ୍ତ ଫଳ ବେପାରୀ ହେଉଛି ଦିଗପହଣ୍ଡି ନରସିଂହପୁରର ପ୍ରମୋଦ ଦୋରା। ଲକ୍ଷ୍ମୀସାଗର ଥାନା ଅଞ୍ଚଳ ବୁଦ୍ଧନଗରରେ ରହି କଦଳୀ ବେପାର କରୁଥିଲା। ବେପାର କରିବା ପାଇଁ ଆହ୍ଲାବାଦ୍‌ ବ୍ୟାଙ୍କ୍‌ରୁ ୧୬ ଲକ୍ଷ ଟଙ୍କା ଋଣ କରିଥିଲା। ଦୀର୍ଘ ଦିନ ହେବା ବେପାର କରିବା ପରେ ସେ ବଡ଼ବଡ଼ ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଥିଲା। ସେମାନଙ୍କ ମଧ୍ୟରେ ଜାଗମରାର ରାଜେଶ କୁମାର ମଲ୍ଲିକ ଓ ବିଭୂତି ଭୂଷଣ ଦାସ ରହିଥିଲେ। ଏମାନଙ୍କ ସହ ସମ୍ପର୍କ ବଢ଼ିବା ପରେ ୨୦୧୭ ମସିହାରେ ବିଭୂତିଭୂଷଣଙ୍କଠାରୁ ୩୦ ଲକ୍ଷ ଓ ରାଜେଶ ମଲ୍ଲିକଙ୍କଠାରୁ ୪୦ ଲକ୍ଷ ଟଙ୍କା ହାତ ଉଧାରି ନେଇଥିଲା। ଏଥିପାଇଁ କୋର୍ଟ ପେପରରେ ଚୁକ୍ତିନାମା ହେବା ସହ ସମାନ ପରିମାଣର ଚେକ୍‌ ମଧ୍ୟ ପ୍ରଦାନ କରିଥିଲା ଦୋରା। ଏମାନଙ୍କ ସହ ଆଉ ୫ ଜଣଙ୍କୁ ମଧ୍ୟ ସେ ଠକିଥିଲା। ଏଭଳି ମୋଟ କୋଟିଏ ଟଙ୍କା ଠକି ନେଇଥିଲା ଦୋରା। ଚୁକ୍ତି ମୁତାବକ ଟଙ୍କା ସମୟରେ ନ ଦେବାରୁ ହାତ ଉଧାରି ଦେଇଥିବା ଲୋକମାନେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ୍‌ରେ ଚେକ୍‌ ଡିପୋଜିଟ୍‌ କରିଥିଲେ। କିନ୍ତୁ ଟଙ୍କା ନଥିବାରୁ ଚେକ୍‌ ବାଉନ୍ସ କରିଥିଲା। ଦୋରା ସେମାନଙ୍କୁ ଠକାମିର ଶିକାର ହୋଇଥିବା ଜାଣିବା ପରେ ସେମାନେ ଲକ୍ଷ୍ମୀସାଗର ଥାନା ସହ କୋର୍ଟର ଦ୍ବାରସ୍ଥ ହୋଇଥିଲେ।

ଅଶୋକନଗରରେ ଥିବା ଏକ ବ୍ୟାଙ୍କ୍‌ରୁ ସେ ପାଖାପାଖି ୧୬ ଲକ୍ଷ ଟଙ୍କା ଋଣ ନେଇଥିଲା। ବର୍ଷବର୍ଷ ଧରି ପରିଶୋଧ ନ କରିବାରୁ ବ୍ୟାଙ୍କ୍‌ ବନ୍ଧକ ଥିବା ଜମିର କାଗଜପତ୍ର ଯାଞ୍ଚ କରିଥିଲା। ହେଲେ ସେ ସବୁ ନକଲି ଥିବାରୁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଗତ ବର୍ଷ କ୍ୟାପିଟାଲ ଥାନାର ଦ୍ବାରସ୍ଥ ହୋଇଥିଲା। ଏବେ କୋର୍ଟ ତଦନ୍ତ ପାଇଁ ଲକ୍ଷ୍ମୀସାଗର ଥାନାକୁ ଆଦେଶ ଦେଇଥିବା ବେଳେ ବ୍ୟାଙ୍କ୍‌ ଅଭିଯୋଗ ବଳରେ କ୍ୟାପିଟାଲ ପୁଲିସ ମଧ୍ୟ ମାମଲା ରୁଜୁ କରିଛି। ଉଭୟ ଥାନା ପୁଲିସ ଏବେ ଫେରାର ଫଳ ବେପାରୀକୁ ଖୋଜୁଛନ୍ତି।

ପ୍ରଶ୍ନ ଉଠୁଛି, ଭଡ଼ାରେ ରହୁଥିବା ଜଣେ ବେପାରୀକୁ ୩୦/୪୦ ଲକ୍ଷ ଟଙ୍କା କିଭଳି ହାତ ଉଧାରି ଦେଇଦେଲେ? ବ୍ୟାଙ୍କ୍‌ ମଧ୍ୟ କାଗଜପତ୍ରର ମୌଳିକତା ଯାଞ୍ଚ ନ କରି କିଭଳି ୧୬ ଲକ୍ଷ ଟଙ୍କାର ଋଣ ଦେଇଦେଲା? କିଏ ଏହି ଫଳ ବେପାରୀ? କୋଟିଏ ଟଙ୍କାର ଚୂନ ଲଗାଇବା ପାଇଁ ଏତେ ବଡ଼ ବଡ଼ ବ୍ୟବସାୟୀଙ୍କ ସହ ବ୍ୟାଙ୍କ୍‌କୁ କେମିତି ବଶ କଲା?

ସମ୍ବନ୍ଧିତ ଖବର