ସାକାର ହେବ ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷର ସ୍ୱପ୍ନ: ଖୋଜା ଚାଲିଛି ଜାଗା

ଭୁବନେଶ୍ୱର: ଜାଗା ଚିହ୍ନଟ ହୋଇଥିଲା। ଡିଜାଇନ୍‌ ପ୍ରସ୍ତୁତି ସରିଥିଲା। ମାତ୍ର ବିରୋଧ ଯୋଗୁଁ ଅଟକି ଯାଇଥିଲା ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷ ନିର୍ମାଣର ସ୍ୱପ୍ନ। ଏବେ କିନ୍ତୁ ପୁଣି ୨୦୧୪ ମସିହାର ସେଇ ପରିକଳ୍ପିତ ପ୍ରକଳ୍ପକୁ ସାକାର ରୂପ ଦେବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। ୩ ହଜାର ୫୦୦ ଲୋକଙ୍କ ବସିବା ଭଳି ସମ୍ମିଳନୀ କକ୍ଷ ସ୍ଥାପନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଓୟୁଏଟିଠାରୁ ଜାତୀୟ ରାଜପଥ କଡ଼ରେ ଥିବା ଜାଗା ଆଣିବା ପାଇଁ କଥାବାର୍ତା ଆରମ୍ଭ ହୋଇଛି। ଏଥିସହ ଆଇଏମ୍‌ଏମ୍‌ଟି ପରିସରରେ ଥିବା ଖାଲି ଜାଗାକୁ ଦୃଷ୍ଟିରେ ରଖି ଏ ବାବଦରେ ପ୍ରାରମ୍ଭିକ ପର୍ଯ୍ୟାୟ କଥାବାର୍ତା ମଧ୍ୟ ଆରମ୍ଭ ହୋଇଛି। ସଂପ୍ରତି ରାଜଧାନୀରେ ୧୨୦୦ ସିଟ୍‌ କ୍ଷମତାଠାରୁ ଅଧିକ କ୍ଷମତା ବିଶିଷ୍ଟ ପ୍ରେକ୍ଷାଳୟ ନଥିବାରୁ ବିଶ୍ୱସ୍ତରୀୟ ବୃହତ୍‌ ସମ୍ମିଳନୀ ପାଇଁ ଖୋଲା ପଡ଼ିଆକୁ ବ୍ୟବହାର କରାଯାଉଛି। ଏଭଳି ସ୍ଥଳେ ଏହି ପ୍ରକଳ୍ପ ହୋଇପାରିଲେ ଭବିଷ୍ୟତରେ ଏହା ବିଶ୍ୱସ୍ତରୀୟ ସମ୍ମିଳନୀ ପାଇଁ ସୁଯୋଗ ସୃଷ୍ଟି କରିପାରିବ। ଏଥିସହ ଏହା ମାଇସ୍‌ ଟୁରିଜିମ୍‌ ତଥା ସମ୍ମିଳନୀ ପର୍ଯ୍ୟଟନ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରିବ। ଏନେଇ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍‌ ଡେଭେଲପ୍‌ମେଣ୍ଟ୍‌ କର୍ପୋରେସନ୍‌ ତଥା ଇଡ୍‌କୋ (ଯୋଜନା ଓ ସମନ୍ଵୟ)ର ମୁଖ୍ୟ ମହା ପ୍ରବନ୍ଧକ ଗୋଲକ ବିହାରୀ କରଙ୍କ କହିବା ମୁତାବକ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୨୦ ଏକର ଜାଗା ଆବଶ୍ୟକ। ଅତୀତରେ ଏଥିପାଇଁ ଜନତା ମଇଦାନକୁ ଦୃଷ୍ଟିରେ ରଖି ଡିଜାଇନ୍‌ ପ୍ରସ୍ତୁତ ହୋଇଥିଲା। ସଂପ୍ରତି ଜନତା ମୈଦାନ ୨୪.୩ ଏକର ଜମି ଉପରେ ଥିବା ବେଳେ ୪ ଏକର ଜମିରେ ଗାନ୍ଧୀ ପାର୍କ ରହିଛି। ଏହାକୁ ସ୍କାଏ ଓ୍ଵାକ୍‌ ମାଧ୍ୟମରେ ହୋଟେଲ୍‌କୁ ସଂଯୋଗ କରିବା ପାଇଁ ମଧ୍ୟ ଯୋଜନା ହୋଇଥିଲା। କିନ୍ତୁ ବିରୋଧ ଯୋଗୁଁ ତାହା ଅଟକି ଯାଇଥିଲା। ତେଣୁ ଯେତେ ଶୀଘ୍ର ଜାଗା ମିଳିବ, ଏହି ସମ୍ମିଳନୀ କକ୍ଷର ରି- ଡିଜାଇନ୍‌ କରାଯିବ ବୋଲି ଶ୍ରୀ କର କହିଛନ୍ତି। କେବଳ ସେତିିକି ନୁହେଁ, ସିଇଟିରେ ମଧ୍ୟ ୧ହଜାର ସିଟ୍‌ କ୍ଷମତା ବିିଶିଷ୍ଟ ସମ୍ମିଳନୀ କକ୍ଷ ନର୍ମିତ ହେବ। ସିଇଟି ପକ୍ଷରୁ ୨ ହଜାର ସିଟ୍‌ କ୍ଷମତା ବିଶିଷ୍ଟ ସମ୍ମିଳନୀ କକ୍ଷ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଗତ ୨୬ ତାରିଖ ବୈଠକରେ ଏହାକୁ ୧ହଜାର ମଧ୍ୟରେ ସୀମିତ ରଖିବା ପାଇଁ ସ୍ଥିର ହୋଇଛି। ଏଥିସହ ସୈନିକ ସ୍କୁଲ୍‌ ନିକଟରେ ୨ହଜାର ସିଟ୍‌ କ୍ଷମତା ବିଶିଷ୍ଟ କଳାମଣ୍ଡଳ ଏବଂ ସେହି ପରିସର ମଧ୍ୟରେ ୫୦୦ ସିଟ୍‌ କ୍ଷମତା ବିଶିଷ୍ଟ ଆମ୍ପି ଥିଏଟର କାମ ଆଗେଇ ଚାଲିଛି। ଏନେଇ କର୍ପୋରେଟର ନବକିଶୋର ବେହେରା କହିଛନ୍ତି ଯେ ସଂପ୍ରତି ଯେକୌଣସି ବୃହତ୍‌ ସମ୍ମିଳନୀର ଆବଶ୍ୟକତା ପଡ଼ିଲେ, କୌଣସି ଘରୋଇ ବିଶ୍ୱବିଦ୍ୟାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ତେଣୁ ଏଭଳି ଏକ ସମ୍ମିଳନୀ କକ୍ଷ ହେଲେ ତାହା ବଡ଼ ଧରଣର ସମ୍ମିଳନୀ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ଏବେ ଯାହା ଅଛି…
ଉତ୍କଳ ମଣ୍ଡପ ମୁକ୍ତାକାଶ ମଞ୍ଚକୁ ଛାଡ଼ିଦେଲେ ସଂପ୍ରତି କିଟ୍‌ରେ ୧୨୦୦ ସିଟ୍‌, ଆଇଟିଇଆର୍‌ରେ ୧ହଜାର, ରବୀନ୍ଦ୍ର ମଣ୍ଡପରେ ୮୦୦, ଜୟଦେବ ଭବନରେ ୩୭୭, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମଧ୍ୟରେ ଥିବା ଉତ୍କଳ ରଙ୍ଗମଞ୍ଚରେ ୨୦୦, ଉତ୍କଳ ସଂଗୀତ ମହାବିଦ୍ୟାଳୟ ମିନି ପ୍ରେକ୍ଷାଳୟ ମଧ୍ୟରେ ୧୦୦ ସିଟ୍‌ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଇଡ୍‌କଲ୍‌ ସମ୍ମିଳନୀ କକ୍ଷରେ ସୀମିତ ସିଟ୍‌ ମହଜୁଦ ଅଛି।

ଆଗରୁ ବି ହୋଇଥିଲା ବୃହତ୍‌ ସମ୍ମିଳନୀ କକ୍ଷର ଯୋଜନା
୨୦୧୨ରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ୫ହଜାର ସିଟ୍‌ କ୍ଷମତା ବିଶିଷ୍ଟ ପ୍ରେକ୍ଷାଳୟ ତଥା ସମ୍ମିଳନୀ କକ୍ଷ ପ୍ରତିଷ୍ଠା ପାଇଁ ଯୋଜନା ହୋଇଥିଲା। କମିଟି ଜରିଆରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ ସମ୍ମୁଖରେ ଥିବା ଖୋଲା ଜାଗାରେ ୨୦ କୋଟି ଟଙ୍କା ବ୍ୟୟରେ ଏହା ହେବ ବୋଲି ଯୋଜନା ହୋଇଥିଲା। କିନ୍ତୁ ହୋଇପାରି ନଥିଲା। ସେହିଭଳି ୨୦୦୮-୦୯ ମସିହାରେ ମଧ୍ୟ ଇଡ୍‌କୋ ପକ୍ଷରୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ମଧ୍ୟରେ ୨ହଜାର ୫୦୦ ସିଟ୍‌ କ୍ଷମତା ବିଶିଷ୍ଟ ବୃହତ୍‌ ସମ୍ମିଳନୀ କକ୍ଷ ପାଇଁ ପ୍ରସ୍ତାବ ରହିଥିଲା। ତାହା ବି ଆଗେଇ ପାରିନଥିଲା।

ସମ୍ବନ୍ଧିତ ଖବର