ବଡ଼ଦିନ ଓ ନୂଆବର୍ଷରେ ନନ୍ଦନକାନନରେ ଜମିବ ଭିଡ଼, ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ବ

ବାରଙ୍ଗ: ବଡ଼ଦିନ ଓ ନୂଆବର୍ଷ ଅପେକ୍ଷାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଚଳିତବର୍ଷ ଅନୁକୂଳ ପାଗ ଏବଂ ବୁଧବାରରେ ବଡ଼ଦିନ ଓ ନୂଆବର୍ଷ ପଡ଼ୁଥିବାରୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ହେବାର ଆଶା କରାଯାଉଛି। ନନ୍ଦନକାନନର ୨୧୨ଟି ଖୁଆଡ଼ ମଧ୍ୟରେ ଥିବା ୩ ହଜାରରୁ ଊର୍ଦ୍ଧ୍ବ ଜୀବଜନ୍ତୁଙ୍କୁ ବୁଲି ଦେଖିବା ସହ କିଭଳି ପର୍ଯ୍ୟଟକ ସୁରକ୍ଷିତ ଭାବେ ଫେରିବେ, ସେଥିଲାଗି କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ନନ୍ଦନକାନନ ଛକ ଓ ପରିସରରେ ପୁଲିସ ଫୋର୍ସ ସହ ନନ୍ଦନକାନନର କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ କଡ଼ା ପହରା ରହିବ। ବସଷ୍ଟାଣ୍ତ ଛକ ଓ ନନ୍ଦନକାନନ ଛକରେ ଟ୍ରାଫିକ୍ ନିୟନ୍ତ୍ରଣର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଅତିରିକ୍ତ ଟିକେଟ୍‌ କାଉଣ୍ଟର ଖୋଲା ଯାଇଛି। ପର୍ଯ୍ୟଟକ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେଲେ ନିକଟସ୍ଥ କର୍ମଚାରୀଙ୍କ ସହାୟତା ଲୋଡ଼ିବାକୁ ନିର୍ଦ୍ଦେଶ ରହିଛି। ଦୁର୍ଘଟଣାଜନିତ ପରିସ୍ଥିତିର ମୁକାବିଲା ଲାଗି ଲାଇଫ୍ ଜ୍ୟାକେଟ ଓ ପାଣି ଟାଙ୍କି ସହ ଅଗ୍ନିଶମ ଓ ଓଡ୍ରାଫ ଦଳ ମୁତୟନ ରହିଛନ୍ତି।

ସମ୍ବନ୍ଧିତ ଖବର