ରୁପା ଛାଉଣି ହେବ ସିଂହଦ୍ବାର କବାଟ!

ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ କମିସନର, ଏଏସ୍‌ଆଇ ସୁପରିନଟେଣ୍ଡେଣ୍ଟ

ଭୁବନେଶ୍ବର: ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର କବାଟ ମରାମତି ଚାଲିଛି। ଶ୍ରୀମନ୍ଦିର କବାଟ ଭଳି ଏଥିରେ ରୁପା ଛାଉଣି କରିବାକୁ ପ୍ରସ୍ତାବ ଦେଇଛନ୍ତି ସେବାୟତ। ଗତ ୨୪ ତାରିଖରେ ବିଏମ୍‌ସି କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସେବାୟତମାନେ ଏହି ପ୍ରସ୍ତାବ ଦେବା ପରେ ଏହା ଉପରେ ବିଚାରବିମର୍ଶ ଆରମ୍ଭ ହୋଇଛି।

ଆଜି ସକାଳେ ବିଏ୍‌ସି କମିସନର ସଞ୍ଜୟ ସିଂ ଓ ଏଏସ୍ଆଇ ଅଧୀକ୍ଷକ ଅରୁଣ ମଲ୍ଲିକ ମନ୍ଦିର ବୁଲି ସୁବିଧା ଅସୁବିଧା ବିଷୟରେ ସେବାୟତଙ୍କଠାରୁ ବୁଝିଥିଲେ। ଆଉ ତିନି ଦିନ ପରେ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଯାଉଥିବାରୁ ଏହା କିଭଳି ଶୃଙ୍ଖଳିତ ହେବ, ସେନେଇ ଆଲୋଚନା ହୋଇଥିଲା। କ୍ଷେତ୍ର ପରିଦର୍ଶନ ପରେ କମିସନର ଶ୍ରୀ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ମନ୍ଦିରର ସୁରକ୍ଷାକୁ ପ୍ରାଥମିକତା ଦେଇଛୁ। ସେବାୟତଙ୍କ ସହ ସେମାନଙ୍କର ଅଭିଯୋଗକୁ ନେଇ ଆଲୋଚନା ହୋଇଛି। ସିଂହଦ୍ୱାର କବାଟ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ଶ୍ରୀମନ୍ଦିର ଢାଞ୍ଚାରେ ରୁପା ପ୍ରଲେପ ଦିଆଯିବା ନେଇ ସେବାୟତମାନେ ଯେଉଁ ପ୍ରସ୍ତାବ ଦେଇଛନ୍ତି, ତାହାକୁ ଅନୁଧ୍ୟାନ କରାଯାଉଛି। ଅନ୍ୟପଟେ ଏଏସ୍‌ଆଇ ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି, କବାଟରେ ରୁପା ଛାଉଣି ନେଇ କିଛି ଯୋଜନା ହୋଇନାହିଁ। ମନ୍ଦିର ଭିତରେ ପାଣି ଗଳୁଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ସେଥିରେ ସତ୍ୟତା ନାହିଁ। ମନ୍ଦିରର କୌଣସି ସ୍ଥାନରେ ପାଣି ଗଳୁ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସିଂହଦ୍ବାର କବାଟ ସହ ଅନ୍ୟାନ୍ୟ ସମସ୍ୟା ନେଇ ଅଭିଯୋଗ ଆସିବା ପରେ ଏଏସ୍‌ଆଇ ଏକ ବୈଠକ ଡାକିଥିଲା। ବିଏମ୍‌ସି କମିସନରଙ୍କ ଅଧ୍ୟକ୍ଷତାରେ ଏଏସ୍‌ଆଇ ସର୍କଲ ଅଫିସ୍‌ରେ ବୈଠକ ବସିଥିଲା। ଏଥିରେ ବିଭିନ୍ନ ସେବାୟତ ନିଯୋଗ ସହ ମନ୍ଦିର ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ ମନ୍ଦିର କବାଟ ପରିବର୍ତ୍ତନ କରିବା, ମନ୍ଦିରରୁ ପାଣି ଗଳିବା ସହ ବିଭିନ୍ନ ଅଭିଯୋଗ ଉପରେ ଆଲୋଚନା ହୋଇଥିଲା। ବୈଠକର ନିଷ୍ପତ୍ତି ମୁତାବକ ଆଜି ଉଭୟ ଅଧିକାରୀ ମନ୍ଦିର ପରିଦର୍ଶନ କରିଥିଲେ।

ଶ୍ରୀଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ପାଇଁ ମାର୍ଗଦର୍ଶିକା ଜାରି

ରୋଗୀ, ଗର୍ଭବତୀ, ବୟସ୍କ, ୧୮ ବର୍ଷରୁ କମ୍‌ ପିଲାଙ୍କୁ ଦର୍ଶନ ମନା

ଭୁବନେଶ୍ବର: ଆସନ୍ତା ୧ତାରିଖରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। କେଉଁମାନେ ଦର୍ଶନ କରିବେ, କିଭଳି ଦର୍ଶନ ଶୃଙ୍ଖଳିତ ହେବ, କୋଭିଡ୍‌ କଟକଣା କିଭଳି ଅନୁପାଳନ ହେବ, ସେନେଇ ଗତ ୧୦ ତାରିଖ ଦିନ ବିଏମ୍‌ସି ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିଥିବା ବେଳେ ଏହା ଆଧାରରେ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ନୂଆ‌ ମାର୍ଗଦର୍ଶିକା ଜାରି ହୋଇଛି। ଗତ ୧୮ତାରିଖ ଦିନ ବସିଥିବା ଟ୍ରଷ୍ଟବୋର୍ଡ ବୈଠକରେ ଏହି ଏସ୍‌ଓପି ସ୍ବୀକୃତି ଲାଭ କରିବା ପରେ ଗତକାଲି ଜାରି କରାଯାଇଥିବା ଜଣାପଡ଼ିଛି।

ଏହି ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ଦର୍ଶନାର୍ଥୀ ୨ଟି କୋଭିଡ୍‌ ଟିକା ନେଇସାରିଥିବା ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ। ମୋବାଇଲ କିମ୍ବା କାଗଜ‌ରେ ଦେଖାଇବା ପରେ ସେମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ। ତେବେ ଗର୍ଭବତୀ, ବୟସ୍କ, ୧୮ ବର୍ଷରୁ କମ୍‌ ବୟସ୍କ ପିଲା, ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ଦର୍ଶନ କରିବାର ସୁଯୋଗ ପାଇବେ ନାହିଁ। ଏସ୍‌ଏଆର୍‌ଆଇ/ଆଇଏଲ୍‌ଆଇ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ। ଏକ ସମୟରେ ସିଂହଦ୍ବାରରୁ ଆଡ଼କାଠ ପର୍ଯ୍ୟନ୍ତ ସର୍ବାଧିକ ଶହେ ଜଣ ଯାତ୍ରୀଙ୍କୁ ରହିବାକୁ ଅନୁମତି ମିଳିବ। ଗୋଟିଏ ଜାଗାରେ ୨୫ରୁ ଊର୍ଦ୍ଧ୍ବ ଭକ୍ତ ଏକାଠି ହୋଇପାରିବେ ନାହିଁ। ଗର୍ଭଗୃହରେ କୌଣସି ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। ଭୋଗ ଲାଗି କରାଇବା ପାଇଁ ସୁଯୋଗ ରହିବ ନାହିଁ, ଭକ୍ତ କେବଳ ଦର୍ଶନ କରିବେ। ବିଏମ୍‌ସି ପକ୍ଷରୁ କରାଯାଇଥିବା ବ୍ୟାରିକେଡ୍‌ ଦେଇ ଭକ୍ତମାନେ ଧାଡ଼ିରେ ଆସିବେ। ସେଠାରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସାନିଟାଇଜର୍‌ରେ ହାତ ଧୋଇବେ। ଭକ୍ତମାନଙ୍କ ମଧ୍ୟରେ ଯେଭଳି ଅତିକମ୍‌ରେ ୬ ଫୁଟ୍‌ ସାମାଜିକ ଦୂରତା ବଜାୟ ରହିବ, ତାହା ମନ୍ଦିର କର୍ତ୍ତୃପକ୍ଷ ନିଶ୍ଚିତ କରିବେ। କୌଣସି ସେବାୟତ କିମ୍ବା ଭକ୍ତ ପାନ, ଗୁଟ୍‌ଖା ଖାଇବେ ନାହିଁ କିମ୍ବା ଏଣେତେଣେ ଛେପ ପକାଇବେ ନାହିଁ। ଏଥିରେ ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହେଲେ ମନ୍ଦିର ଖୋଲିବା ନିଷ୍ପତ୍ତି ବିଏମ୍‌ସି ପ୍ରତ୍ୟାହାର କରିନେବ ବୋଲି ତାଗିଦ୍‌ କରାଯାଇଛି।

ସମ୍ବନ୍ଧିତ ଖବର